News-3-(1)

ହାଇସ୍କୁଲ୍ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବର୍ଜନ ନିଷ୍ପତ୍ତି

51

ଘଟଗାଁ,୨୧ା୨(ଆପ୍ର): ସ୍ଥାନୀୟ ବାଲିଯୋଡ଼ି ଗ୍ରାମର ମା’ ମଙ୍ଗଳା ଗ୍ରା.ପ. ହାଇସ୍କୁଲର ଦଶମ ଶ୍ରେଣୀ ପଢୁଥିବା ୩୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ବର୍ଜନ କରିବାର ଚେତାବନୀ ଦେଇଛନ୍ତି । ସେଣ୍ଟରଟି ସ୍କୁଲ୍ ଠାରୁ ୨୩କିଲୋମିଟର ଦୂରରେ ପଡ଼ିଥିବାରୁ ଛାତ୍ରଛାତ୍ରୀମାନେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ସୂଚନା ମୁତାବକ, ନିୟମାନୁଯାୟୀ ପରୀକ୍ଷାର ସେଣ୍ଟରଟି ବିଦ୍ୟାଳୟଠାରୁ ଅତିବେଶୀରେ ୧୦କିଲୋମିଟର ହେବା କଥା । ମାତ୍ର ଉକ୍ତ ବାଲିଯୋଡ଼ି ମା’ ମଙ୍ଗଳା ଗ୍ରାମପଞ୍ଚାୟତ ହାଇସ୍କୁଲର ସେଣ୍ଟର୍ ଠାରୁ ୨୩କିଲୋମିଟର ଦୂରରେ ପଡ଼ିଛି । ଫଳରେ ଚଳିତବର୍ଷ ପରୀକ୍ଷାର୍ଥୀ ଆଦିବାସୀ ଗରିବ ଛାତ୍ରଛାତ୍ରୀ ଏତେ ଦୂର ଯାଇ ପରୀକ୍ଷା ଦେବା ଅତ୍ୟନ୍ତ କଷ୍ଟଦାୟକ ଓ ବ୍ୟୟବହୁଳ ବୋଲି ଛାତ୍ରଛାତ୍ରୀ କହିଛନ୍ତି । ଏନେଇ ଗ୍ରାମବାସୀ, ଅଭିଭାବକ ଓ ପ୍ରଧାନଶିକ୍ଷକ ବ୍ଲକ୍ ଶିକ୍ଷାଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରିନଥିଲେ । ତେଣୁ ଆସନ୍ତା ୨୩ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଆଜି ପ୍ରଧାନଶିକ୍ଷକ ସମ୍ପୃକ୍ତ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ଡକାଇ ଆଡ୍ମିଟ୍କାର୍ଡ ପ୍ରଦାନ କରିବା ବେଳେ ଏହାକୁ ସେମାନେ ଗ୍ରହଣ କରିନଥିଲେ । ପରୀକ୍ଷା କେନ୍ଦ୍ର ନବଦଳାଇଲେ ସେମାନେ ଏବର୍ଷ ପରୀକ୍ଷା ଦେବେ ନାହିଁ ବୋଲି ରୋକ୍ଠୋକ୍ ମନା କରିଦେଇଥିଲେ । ସୂଚନାଯୋଗ୍ୟ ଯେ ବିଗତ ୫ବର୍ଷ ଧରି ଏହି ମା’ ମଙ୍ଗଳା ଗ୍ରା.ପ. ହାଇସ୍କୁଲ୍ର ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ସୁଦୂର ଢେଙ୍କିକୋଟ୍ର ସତ୍ୟନାରାୟଣ ବିଦ୍ୟାପୀଠ ଠାରେ ପଡ଼ିଆସୁଛି । ଏହି ଅଞ୍ଚଳର ବହୁ ଛାତ୍ରଛାତ୍ରୀ ପରୀକ୍ଷା ଦେବା ବେଳେ ହଇରାଣ ହରକତ ହେଉଛନ୍ତି । ତେଣୁ ଜିଲ୍ଲାପାଳ ଓ ଜିଲ୍ଲାଶିକ୍ଷାଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ପରୀକ୍ଷା କେନ୍ଦ୍ର ସ୍ଥାନାନ୍ତର ବା ବିକଳ୍ପ ବ୍ୟବସ୍ଥା କରିବା ପାଇଁ ବୁଦ୍ଧିଜୀବୀ ତଥା ଅଭିଭାବକ ମହଲରେ ଦାବି ହୋଇଛି ।




Powered by odothemes.com