ODISHA-GRAMYA-BANK-AT-BANT-1

ସଞ୍ଚୟ ଖାତା ଖୋଲି ନପାରି ଫେରୁଛନ୍ତି ହିତାଧିକାରୀ

78

ସେବା ଯୋଗାଇବାରେ ଗ୍ରାମ୍ୟବ୍ୟାଙ୍କ୍ ବିଫଳ
ବନ୍ତ,୨୧ା୨(ଆପ୍ର): ରାଜ୍ୟ ସରକାର ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ନେଇ ମିଶନଶକ୍ତି ଭଳି ଯୋଜନା କାର୍ଯ୍ୟକାରୀ କରିବା ସହିତ ବିଭିନ୍ନ ବ୍ୟାଙ୍କ ଓ ସମନ୍ୱିତ ଶିଶୁ ବିକାଶ ବିଭାଗ ଜରିଆରେ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ଫଳରେ ମହିଳାମାନେ ନିଜ ଅଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ସରକାରୀ ପ୍ରୋତ୍ସାହନ ନେବାରେ ସଫଳ ହେଉଛନ୍ତି । ଏପରିସ୍ଥଳେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ୍ ସଂସ୍ଥା ମହିଳାଙ୍କୁ ସଞ୍ଚୟ ଖାତା ଖୋଲାଇବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଫଳରେ ମହିଳା ମାନେ ବାରମ୍ବାର ବ୍ୟାଙ୍କ ଦୌଡ଼ିଦୌଡ଼ି ନୟାନ୍ତ ହେଉଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବନ୍ତ ସଦର ମହକୁମାରେ ଥିବା ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ୍ ଶାଖାରେ । ନିଳୋକ ଗ୍ରାମର କେତେକ ମହିଳା ସ୍ୱସ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ନାମରେ ଏକ ଜମା ଖାତା ଖୋଲିବା ନେଇ ଗତ ୧୫ତାରିଖରେ ବନ୍ତସ୍ଥିତ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ୍ ଶାଖାକୁ ଯାଇଥିଲେ । ଶାଖା ପରିଚାଳକ ସେମାନଙ୍କୁ ଖାତା ଖୋଲାଇ ଦେଇ ନଥିଲେ । ଫଳରେ ୪କିମି ଦୂରରୁ ଆସିଥିବା ମହିଳାମାନେ ବାଧ୍ୟ ହୋଇ ଘରକୁ ଫେରି ଯାଇଥିଲେ । ପରେ ୧୯ତାରିଖରେ ସଂପୃକ୍ତ ଗୋଷ୍ଠୀର ମହିଳାମାନେ ଉକ୍ତ ବ୍ୟାଙ୍କକୁ ଆସି ଶାଖା ପରିଚାଳକଙ୍କୁ ଜମା ଖୋଲିବା ନେଇ କହିବାରୁ ଶାଖା ପରିଚାଳକ ଆଜି ହୋଇପାରିବ ନାହିଁ ବୋଲି ରୋକ୍ଠୋକ୍ ମନା କରିଦେଇଥିଲେ । ଫଳରେ ଦ୍ୱିତୀୟ ବାର ଆସିଥିବା ମହିଳାମାନେ ନିରାଶ ହୋଇ ଫେରି ଯାଇଥିଲେ । ଫଳରେ ସଂପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ନାମରେ ଜମାଖାତା ଖୋଲା ଯାଇପାରିନଥିଲା । ଏନେଇ ମହିଳାମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ସଂପୃକ୍ତ ବ୍ୟାଙ୍କର ଶାଖା ପରିଚାଳକଙ୍କୁ ଏନେଇ ପଚାରିବାରେ ସେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ମୁଁ ଫେରାଇ ଦେଇଥିଲି ବୋଲି କହିଥିଲେ । ପ୍ରକାଶଥାଉକି, ବନ୍ତ ସଦର ମହକୁମାରେ ୨ଟି ଜାତୀୟକରଣ ବ୍ୟାଙ୍କ ଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ୨ଟି ବ୍ୟାଙ୍କ କାର୍ଯ୍ୟ କରୁଛି । ମାତ୍ର ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ସାଧାରଣ ଗ୍ରାହକଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସଠିକ୍ ଭାବେ ସେବା ପ୍ରଦାନ କରୁ ନାହିଁ । ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେଇ ବିହିତ ପଦକ୍ଷେପ ନେବାକୁ ବନ୍ତ ଅଞ୍ଚଳବାସୀ ଦାବି କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com