naveen

ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି

162

ଅସହିଷ୍ଣୁ ରାଜନୀତିର ଝଲକ
ବରପାଲି, ୨୦ା୨(ବୁ୍ୟରୋ): ଅସହିଷ୍ଣୁତା ରାଜନୀତିର ନମୁନା ଆଜି ବିଜେପୁର ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି । ବରପାଲି ବ୍ଲକ୍ର କୁମ୍ଭାରୀ ଗ୍ରାମକୁ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ପାଇଁ ଆସିଥିଲେ । ଏକ ବିଶାଳ ରୋଡ୍ ସୋ’ରେ ସେ କୁମ୍ଭାରୀ ଗ୍ରାମରେ ପହଞ୍ଚôଲା ପରେ ସେଠାରେ ଏକ ପଥପ୍ରାନ୍ତ ସଭାରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ୍ ମାଗିଲା ବେଳେ ସଭାମଞ୍ଚକୁ ଲକ୍ଷ୍ୟ କରି ବାହାର ଅଞ୍ଚଳର ଜଣେ ଯୁବକ ଚପଲ ଫୋପାଡିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀମାନେ ଏହା ମୁଖ୍ୟମନ୍ତ୍ରୀଙ୍କ ଦେହରେ ବାଜିବାକୁ ଦେଇନଥିଲେ । ପରେ ସୁରକ୍ଷାକର୍ମୀମାନେ ସମ୍ପୃକ୍ତ ଯୁବକକୁ କାବୁ କରିନେଇଛନ୍ତି । କୁମ୍ଭାରୀ ଗ୍ରାମବାସୀ ମଧ୍ୟ ଏହି ଘଟଣାର ତୀବ୍ର ପ୍ରତିବାଦ କରିଛନ୍ତି । ଏହାର ପ୍ରତିବାଦରେ ସମଗ୍ର ଗ୍ରାମବାସୀ ଆଜି ରାତି ଉପବାସରେ କଟାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଅପରପକ୍ଷରେ ବିଜେପି ପ୍ରାୟୋଜିତ ଏହି ଗୁଣ୍ଡାଗିରିରେ ନବୀନ ପଟ୍ଟନାୟକ ଆଦୌ ବିଚଳିତ ହୋଇନାହାନ୍ତି । ସେ କୁମ୍ଭାରୀ ସଭା ପରେ ମହାଦା ଯାଇ ପୁଣି ଏକ ରୋଡ୍ ସୋ’ରେ ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗିଛନ୍ତି । ମହାଦାରୁ ଫେରିଲା ପରେ ବିନା ସୁରକ୍ଷାକର୍ମୀ ଓ ମାଇକ୍ରେ ଏକ ଗାଁକୁ ଯାଇ ପ୍ରଚାର କରିଛନ୍ତି । ବରପାଲି ବ୍ଲକ୍ର କୁମ୍ଭାରୀ ପଞ୍ଚାୟତ ହେଉଛି ଏକ ବଡ ଗ୍ରାମ । ୮ଟି ୱାର୍ଡର ଏହି ଗ୍ରାମକୁ ନେଇ ପଞ୍ଚାୟତ କରାଯାଇଛି । ଦୀର୍ଘ ୨୨ ବର୍ଷ ପରେ ସେହି ଗ୍ରାମକୁ ମୁଖ୍ୟମନ୍ତ୍ରୀ ଆସିଥିଲେ । ପୂର୍ବରୁ ସ୍ୱର୍ଗତ ବିଜୁ ପଟ୍ଟନାୟକ ପ୍ରଚାର ଲାଗି ସେହି ଗ୍ରାମକୁ ଯାଇଥିଲେ । ଏହାପରେ ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ ସେହି ଅଞ୍ଚଳକୁ ଯାଇନଥିଲେ । ୨୨ ବର୍ଷ ପରେ ନବୀନ ପଟ୍ଟନାୟକ ସେହି ଗ୍ରାମକୁ ଯାଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଗ୍ରାମର ମହିଳାମାନେ ନିଜ ଘର ସମ୍ମୁଖରେ ଝୋଟି ପକାଇ ସ୍ୱାଗତମ ଲେଖିବା ସହ ପୂର୍ଣ୍ଣ କୁମ୍ଭ ବସାଇଥିଲେ । ପ୍ରତିଯୋଗିତା ଭିତ୍ତିରେ ଗ୍ରାମବାସୀମାନେ ଏଭଳି କରୁଥିବାର ଲକ୍ଷ୍ୟ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ଲାଗି ଘଣ୍ଟା ଘଣ୍ଟା ଧରି ମହିଳାମାନେ ଅପେକ୍ଷା କରି ବସିଥିଲେ । ମୁଖ୍ୟମନ୍ତ୍ରୀ ସେଠାରେ ଏକ ବିଶାଳ ଶୋଭାଯାତ୍ରାରେ ପହଞ୍ଚôଲା ପରେ ଗାଁ ମୁଣ୍ଡରୁ ଶଙ୍ଖ, ବାଜା ବଜାଇ ସେମାନେ ପାଛୋଟି ନେଇଥିଲେ । ଗ୍ରାମବାସୀମାନେ ବାରଣ୍ଡାଠାରୁ ଆରମ୍ଭ କରି ଛାତ ଉପରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରାୟ ୧୦ ହଜାରରୁ ଊଦ୍ଧ୍ୱର୍ ଲୋକ ସଭାସ୍ଥଳରେ ରୁଣ୍ଡ ହୋଇଥିଲେ । ସେଠାରେ ପ୍ରାର୍ଥୀ ରୀତା ସାହୁ ନିଜ ପାଇଁ ଭୋଟ୍ ମାଗିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍ବୋଧନ ଦେଇଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେପୁରବାସୀଙ୍କ ସହ ସେ ଅଛନ୍ତି । ବିଜେପୁରର ବିକାଶ କରିବା ଲାଗି ସେ ଦୃଢ ସଂକଳ୍ପବଦ୍ଧ । ଏଥିଲାଗି ଭଉଣୀ ରୀତା ସାହୁଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ସେ ନିବେଦନ କରିଥିଲେ । ଠିକ୍ ଏହି ସମୟରେ ସଭାମଞ୍ଚର ସମ୍ମୁଖରେ ବସିଥିବା ଯୁବକ ହଠାତ୍ ଉଠି ସଭା ମଞ୍ଚକୁ ଚପଲ ଫୋପାଡିଥିଲା । ସୁରକ୍ଷା କର୍ମୀଙ୍କ ସତର୍କତା ଦୃଷ୍ଟିରୁ ଏହା ମୁଖ୍ୟମନ୍ତ୍ରୀଙ୍କ ଦେହରେ ବାଜିନଥିଲା । ଏହାପରେ ସ୍ଥାନୀୟ ଗ୍ରାମବାସୀ ଓ ସୁରକ୍ଷା କର୍ମୀ ସମ୍ପୃକ୍ତ ଯୁବକକୁ କାବୁ କରିନେଇଥିଲେ । ସମ୍ପୃକ୍ତ ଯୁବକର ନାମ କାର୍ତ୍ତିକ ମେହର ଓ ସେ ପଦ୍ମପୁର ଅଞ୍ଚଳରୁ ଆସିଥିଲା ବୋଲି ପୁଲିସ୍ କହିଛି । ଏହାଛଡା ଯୁବକର ପକେଟ୍ରୁ ବିଜେପିର ପତାକା ଓ ଲିପ୍ଲେଟ୍ ମିଳିଛି । ବିଜେପିର ସେ ସମର୍ଥକ ବୋଲି ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ବେଶ୍ ଉତ୍ତେଜନା ପ୍ରକାଶ ପାଇଥିଲା । ସମ୍ପୃକ୍ତ ଯୁବକ ଅନ୍ୟ ଅଞ୍ଚଳରୁ କିଭଳି ସେମାନଙ୍କ ଗ୍ରାମକୁ ଆସିଲା ବୋଲି ଗ୍ରାମବାସୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏଭଳି ଘଟଣା ସେମାନଙ୍କୁ ମର୍ମାହତ କରିଛି ବୋଲି ବହୁ ଗ୍ରାମବାସୀ ମତପ୍ରକାଶ କରିଛନ୍ତି । ଏହାର ଜବାବ୍ ସେମାନେ ୨୪ ତାରିଖରେ ଭୋଟ୍ରେ ଦେବେ ବୋଲି ଦୃଢ ଚେତାବନୀ ଦେଇଛନ୍ତି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଆଦୌ ବିଚଳିତ ମଧ୍ୟ ହୋଇନାହାନ୍ତି ।

ସେଆର କରନ୍ତୁ:



Powered by odothemes.com