Nirmanadhina-pola

ଅଞ୍ଚଳବାସୀଙ୍କ ସ୍ୱପ୍ନ ହେବ ସାକାର

60

ବିଞ୍ଝାରପୁର-କଳାମାଟିଆ ରାସ୍ତା ସଂଯୋଗୀକରଣ
ସିଂହପୁର (ଆପ୍ର): ବିଞ୍ଝାରପୁର ବ୍ଲକରେ ଗତ ଏକ ଦଶନ୍ଧି ଧରି ହୋଇଥିବା ବିକାଶ କାର୍ଯ୍ୟକ୍ରମ ବିଗତ ଦିନମାନଙ୍କ ଠାରୁ ଭିନ୍ନତା ବହନ କରିଛି । ବିଗତ ଦିନର ଗ୍ରାମାଞ୍ଚଳର ଅବସ୍ଥାରେ ଏବେ ଅଭୂତପୂର୍ବ ପରିବର୍ତ୍ତନ ହୋଇଛି । ଯୋଗାଯୋଗ, ଗମନାଗମନ କ୍ଷେତ୍ରରେ ସବୁଠୁ ବେଶୀ ଉନ୍ନତି ହୋଇଛି । ବିଞ୍ଝାରପୁର ବ୍ଲକର ମଲିପୁର, କଣ୍ଟିପୁର ଓ ଘଣ୍ଟିଆଳି ନିକଟରେ ୩ଟି ସେତୁ ନିର୍ମାଣ ହେବାପରେ ଯୋଗାଯୋଗ ଓ ଗମନାଗମନ କ୍ଷେତ୍ରରେ ଏକ ଅଭିନବ ଆନେ୍ଦାଳନ ଘଟିଛି । ତେବେ ବିଞ୍ଝାରପୁର-କଳାମାଟିଆ ରାସ୍ତା ନିର୍ମାଣ ଏକ ଯୁଗାନ୍ତକାରୀ ପରିକଳ୍ପନା ବୋଲି ଲୋକେ କହିଛନ୍ତି । ନଦନଦୀ ପରିବେଷ୍ଟିତ ଏହି ଅଞ୍ଚଳକୁ ପାଦରେ ଗମନା ଗମନ ଅସମ୍ଭବ ଥିବା ବେଳେ ଏହି ରାସ୍ତାର ନିର୍ମାଣ ଆରମ୍ଭ ହୋଇଛି । ବିଞ୍ଝାରପୁର ଠାରୁ ମଲିପୁର, ଜଗନ୍ନାଥପୁର ବାଇପାସରେ ରଣପୁର, କଣ୍ଟିପୁର ବିଲ ମଝିରେ ଶ୍ୟାମେଶ୍ୱର ହୋଇ ରାସ୍ତାଟି କଳାମାଟିଆକୁ ଯୋଗାଯୋଗ ପାଇଁ ପଥ ପରିଷ୍କାର ହୋଇଛି । ମିଳିଥିବା ସୂଚନା ମୁତାବକ ସ୍ଥାନୀୟ ବିଧାୟିକାଙ୍କ ଉଦ୍ୟମ ଯୋଗୁଁ ଏପରି ଏକ ଅସମ୍ଭବ ପରିକଳ୍ପନା ସାକାର ହୋଇଛି । ନିର୍ମାଣାଧୀନ ରାସ୍ତାକୁ ପ୍ରଥମ ପର୍ଯ୍ୟାୟରେ ୬କି.ମି ପର୍ଯ୍ୟନ୍ତ ନିର୍ମାଣ କରାଯିବାକୁ ଯୋଜନା ରହିଛି । ଏଥିପାଇଁ ୧୧କୋଟି ୮୪ଲକ୍ଷ ୨୯ହଜାର ୫୭ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଛି । ପୂର୍ତ୍ତ ବିଭାଗ (ପାଣିକୋଇଲି ଡିଭିଜନ) ନିର୍ମାଣ ତଦାରଖର ଦାୟିତ୍ୱ ନେଇଥିବା ବେଳେ କୋଣାର୍କ ଇନୋଭେସନ୍ ପ୍ରାଇଭେଟ୍ ଲିମିଟେଡ ନାମକ ନିର୍ମାଣ ସଂସ୍ଥା ଏହି କାର୍ଯ୍ୟର ନିର୍ମାଣ ଦାୟିତ୍ୱ ନେଇଛନ୍ତି । ଏହା ଚଳିତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବ ବୋଲି ଜଣାଯାଇଛି । ରାସ୍ତା ମଝିରେ ୫ଟି ହାଇ ଲେବୁଲ ଜଳପଥ (ପୋଲ) ନିର୍ମାଣ କରାଯାଇଛି । ଏହି ରାସ୍ତା କେବଳ ବିଞ୍ଝାରପୁର – ବରୀ ବ୍ଲକ ନୁହେଁ, ଯାଜପୁର କେନ୍ଦ୍ରାପଡ଼ା ସୀମାକୁ ଯୋଡ଼ିବା ସହ ପାରାଦୀପ ବନ୍ଦରକୁ ଦୂରତା କମାଇବ ବୋଲି ଜଣାପଡ଼ିଛି । ଏହି ରାସ୍ତା ଉପରେ ବିଞ୍ଝାରପୁର, ବରୀ ସମେତ ରାଜକନିକା ବ୍ଲକର କିଛି ଅଂଶ ନିର୍ଭର କରିବେ । ତେବେ ଏହି ରାସ୍ତାଟି ରେ ଗମନାଗମନର ପ୍ରସାର ନିମନ୍ତେ ଖରସ୍ରୋତା ନଦୀର ବିଞ୍ଝାରପୁର ବ୍ଲକ ଜଗନ୍ନାଥପୁର ଓ ବରୀ ବ୍ଲକର ଡିହ ବାରିଙ୍ଗି ଠାରେ ଥିବା ପାଟନାଳ ଉପରେ ଦୁଇଗୋଟି ସେତୁର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଅଧିବାସୀ ମତ ଦେଇଛନ୍ତି ।




Powered by odothemes.com