Strike-by-Villagers-of-Mallibandha-(1)

ଗ୍ରାମବାସୀଙ୍କ ହିଙ୍ଗୁଳା ଖଣି ବନ୍ଦ ଆନେ୍ଦାଳନ

84

ସାଉଥବଲଣ୍ଡା(ଆପ୍ର): ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ଦାବିରେ ତାଳଚେର ବ୍ଲକ ଗୋପାଳପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ମଲ୍ଲୀବନ୍ଧ ଗ୍ରାମବାସୀ ମଙ୍ଗଳବାର ପୂର୍ବାହ୍ନରେ ହିଙ୍ଗୁଳା କୋଇଲା ଖଣି, ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଶାଳବଣିଆସ୍ଥିତ ପରିବହନ ରାସ୍ତାକୁ ଅବରୋଧ କରିଛନ୍ତି । ଗ୍ରାମର ଶତାଧିକ ପୁରୁଷ ଓ ନାରୀ ଖଣିର ବିଭିନ୍ନ ସ୍ଥାନରେ ବସି ଆନେ୍ଦାଳନ କରିବାରୁ କୋଇଲା ଉତ୍ପାଦନ ଓ ପରିବହନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ସୂଚନାରୁ ପ୍ରକାଶ ଯେ, ଏମ୍ସିଏଲ୍ ଦ୍ୱାରା ମଲ୍ଲୀବନ୍ଧ ଗ୍ରାମର ବାସଗୃହ ସହ ଭୂସମ୍ପତ୍ତି କୋଲ ବିୟରିଂ ଆକ୍ଟ ଅନୁଯାୟୀ ଅଧିଗ୍ରହଣ ହୋଇଥିଲା । ଏହା ସହ ମଲ୍ଲୀବନ୍ଧ ଗ୍ରାମବାସୀଙ୍କୁ ଏମ୍ସିଏଲ୍ ପକ୍ଷରୁ ଶତକଡା ପଚାଶ ଭାଗ ନିଯୁକ୍ତି ପ୍ରଦାନ କରାଯାଇଛି । ମାତ୍ର ଅବଶିଷ୍ଟ ନିଯୁକ୍ତି ଦେବାକୁ ଖଣି କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କେତେକ ଗ୍ରାମବାସୀଙ୍କ ଚାକିରୀ କରିବାର ବୟସ ଅତିକ୍ରାନ୍ତ ହୋଇଯାଉଥିବାରୁ ଏହାର ପ୍ରତିବାଦରେ ସେମାନେ ବିଭିନ୍ନ ସମୟରେ ଆନେ୍ଦାଳନ କରିଥିଲେ ମଧ୍ୟ ଖଣି କର୍ତ୍ତୃପକ୍ଷ ନାନା ଆଳ ଦେଖାଇ ସମୟ ଗଡ଼ାଇ ଚାଲିଛନ୍ତି । ତେଣୁ ଏମ୍ସିଏଲ୍ ପକ୍ଷରୁ ଅବଶିଷ୍ଟ ଖଣି କ୍ଷତିଗ୍ରସ୍ତ ପ୍ରଜାମାନଙ୍କର ଯୋଗ୍ୟତା ଭିତ୍ତିରେ ଆୱ୍ୱାର୍ଡ ଲିଷ୍ଟ ଚୂଡାନ୍ତ କରିବା ସହ ତୁରନ୍ତ ନିଯୁକ୍ତି ପ୍ରଦାନ କରିବା ଏବଂ ଘରଦ୍ୱାରର ବର୍ଦ୍ଧିତ ଦର ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରିବା ଦାବି ନେଇ ଗ୍ରାମ ସଭାପତି ବଗାଧର ଗଡ଼ନାୟକଙ୍କ ନେତୃତ୍ୱରେ ଖଣି ବନ୍ଦ ଆନେ୍ଦାଳନ କରାଯାଇଥିଲା । ସମସ୍ୟାର ସମାଧାନ ନିମନ୍ତେ ମଙ୍ଗଳବାର ଅପରାହ୍ନରେ ହିଙ୍ଗୁଳା ଟାଇମ୍ ଅଫିସଠାରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ପୁଲିସ ଓ ଖଣି କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏକ ସମାଧାନ ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ମାସ ୨୧ ତାରିଖ ଦିନ ପ୍ରୋଭିଜିନାଲ୍ ସ୍ପନସର୍ ଲିଷ୍ଟ(ନିଯୁକ୍ତି ତାଲିକା) ସହ ନୂତନ କ୍ଷତିପୂରଣ ତାଲିକା ଖଣି କର୍ତ୍ତୃପକ୍ଷ ଗ୍ରାମବାସୀଙ୍କୁ ପ୍ରଦାନ କରିବେ ବୋଲି ଚୂଡ଼ାନ୍ତ ହୋଇଛି । ଏହାସହ ମାର୍ଚ୍ଚ ୩୧ ସୁଦ୍ଧା ଖଣି କର୍ତ୍ତୃପକ୍ଷ ଘରଦ୍ୱାରର ଉପଯୁକ୍ତ ମୂଲ୍ୟାୟନ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବାରୁ ଅପରାହ୍ନ ୩ଟାରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ସନ୍ଧ୍ୟାରେ ଖଣି କାର୍ଯ୍ୟ ସ୍ୱାଭାବିକ ହୋଇଥିଲା ।

ସେଆର କରନ୍ତୁ:



Powered by odothemes.com