11222

ତାଳଚେର ଖଣି ଖାଦାନ କ୍ଷତିଗ୍ରସ୍ତ ପ୍ରଜା ସଂଘର ବିକ୍ଷୋଭ

106

ତାଳଚେର/ଡେରା, ୧୯ା୨(ଆପ୍ର): ଚାରିଦଫା ଦାବି ନେଇ ତାଳଚେର ଖଣି ଖାଦାନ କ୍ଷତିଗ୍ରସ୍ତ ପ୍ରଜା ସଂଘ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଦେଶର ବୃହତ୍ ସ୍ୱାର୍ଥ ଦୃଷ୍ଟିରୁ ତାଳଚେରରେ ଏମ୍ସିଏଲ୍ର ବିଭିନ୍ନ କୋଇଲା ଖଣି, ଏନ୍ଟିପିସି ତାପଜ ବିଦୁ୍ୟତ୍ କେନ୍ଦ୍ର ଓ ତିନୋଟି କୋଲ୍ ୱାସେରୀ ଏଠାରେ କାର୍ଯ୍ୟ କରୁଛନ୍ତି । ଏହାଦ୍ୱାରା ତାଳଚେରରେ ଦିନକୁ ଦିନ ମାତ୍ରାଧିକ ପ୍ରଦୂଷଣ ବୃଦ୍ଧି ପାଇବା ସହିତ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ୨ ଲକ୍ଷରୁ ଊଦ୍ଧ୍ୱର୍ ତାଳଚେରବାସୀ ଏହି ପ୍ରଦୂଷଣ ଯୋଗୁଁ ଫୁସ୍ଫୁସ୍, ଗଳା, କର୍ଣ୍ଣ, ନାଶା, ଶ୍ୱାସ, ମଧୁମେହ ଓ ଥାଇରଏଡ୍ ରୋଗରେ ଆକ୍ରାନ୍ତ ହୋଇପଡ଼ିଛନ୍ତି । ଫଳରେ ଅଞ୍ଚଳବାସୀଙ୍କର ସ୍ୱାସ୍ଥ୍ୟ ପ୍ରତି ଶିଳ୍ପସଂସ୍ଥା ଓ ଖଣି ଖାଦାନଗୁଡ଼ିକର କୌଣସି ଦୃଷ୍ଟି ନଦେବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଅଭିଯୋଗ କରାଯାଇଛି । ପ୍ରଦୂଷଣ ପାଇଁ ଦାୟୀ ଥିବା ଏହି ଶିଳ୍ପସଂସ୍ଥାଠାରୁ ରାଜ୍ୟ ଓ କେନ୍ଦ୍ର ସରକାର ବାର୍ଷିକ ପ୍ରାୟ ୧୫ ହଜାର କୋଟି ଟଙ୍କା ରାଜସ୍ୱ ପାଉଥିଲା ବେଳେ ତାଳଚେରବାସୀଙ୍କ ଜୀବନ ଜୀବିକା ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ନଜର ନପଡ଼ିବା ଘଟଣା ଅଞ୍ଚଳବାସୀଙ୍କ ପାଇଁ ଦୁଃଖ ଆଣିଦେଇଛି । ଏପରିକି ତାଳଚେରର କୌଣସି ଶିଳ୍ପ ସଂସ୍ଥା ରାଜ୍ୟ ପ୍ରଦୂଷଣ ବୋର୍ଡର ନୀତି ନିୟମକୁ ପାଳନ କରୁନଥିବା ଦ୍ୱାରା ସ୍ୱଚ୍ଛବାୟୁ ବଦଳରେ ପ୍ରଦୂଷିତ ଓ ବିଷାକ୍ତ ବାୟୁ ସାଧାରଣ ଲୋକମାନେ ଗ୍ରହଣ କରୁଛନ୍ତି । ଏଥିଯୋଗୁଁ ଅକାଳରେ ବାର୍ଦ୍ଧକ୍ୟ ମାଡ଼ି ବସୁଛି । ଏମ୍ସିଏଲ୍ରେ ପ୍ରାୟ ୩୦ ହଜାର ଲୋକ ବାସ କରୁଥିଲା ବେଳେ ସ୍ଥାନୀୟ ଖଣି କ୍ଷତିଗ୍ରସ୍ତରୁ ମାତ୍ର ୩ ହଜାର ଲୋକ କାର୍ଯ୍ୟ କରୁଛନ୍ତି । ଫଳରେ ବେକାରି ସମସ୍ୟା ଦିନକୁ ଦିନ ଉକ୍ରଟ ହେବାରେ ଲାଗିଛି । ସେହିପରି ତାଳଚେର ଷ୍ଟେସନ୍ ଠାରୁ ଅନୁଗୁଳକୁ ଲୁପ୍ ଲାଇନ୍ କାର୍ଯ୍ୟ ଆଜି ସୁଦ୍ଧା ତ୍ୱରାନ୍ୱିତ ହୋଇପାରିଲା ନାହିଁ । ତାଳଚେର ଷ୍ଟେସନରୁ କଣିହାଁ ଶିଳ୍ପାଞ୍ଚଳକୁ ଦୈନିକ ଟ୍ରେନ୍ ଯୋଗେ କୋଇଲା ପରିବହନ କରାଯାଉଥିଲା ବେଳେ ସେହି ଅଞ୍ଚଳ ପାଇଁ ଏକ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିପାରିଲା ନାହିଁ । ଏ ସମସ୍ୟା ଗୁଡ଼ିକ ସଂଘ ହୃଦ୍ବୋଧ କରି ତାଳଚେରର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଦୃଢ଼ ପ୍ରତିଜ୍ଞାବଦ୍ଧ ବୋଲି କୁହାଯାଇଛି । ତାଳଚେରରେ କାର୍ଯ୍ୟରତ ଠିକା ସଂସ୍ଥାମାନଙ୍କରେ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଶତକଡ଼ା ୯୦ ପ୍ରତିଶତ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, ଏମ୍ସିଏଲ୍ କୋଇଲା ଖଣି ଦ୍ୱାରା କୃତି୍ରମ ମାଟିଗଦାର ପାହାଡ଼ ଓ କୃତ୍ରିମ ଜଳାଶୟ ଗୁଡ଼ିକୁ ସମତଳ କରାଯାଇ ଏହାର ଉନ୍ନତିକରଣ କରି ଖଣି କ୍ଷତିଗ୍ରସ୍ତ ପ୍ରଜାଙ୍କୁ ପ୍ରଦାନ, ତାଳଚେରର ଉନ୍ନତି ପାଇଁ ବାର୍ଷିକ ୫୦୦ କୋଟି ଟଙ୍କାର ଖର୍ଚ୍ଚ ଅଟକଳର ଏକ ୧୦ ବର୍ଷିଆ ସ୍ୱତନ୍ତ୍ର ପ୍ୟାକେଜ୍, ତାଳଚେର-ପୁରୀ ପାସେଞ୍ଜର ଟ୍ରେନ୍କୁ କଣିହାଁ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବାକୁ କ୍ଷତିଗ୍ରସ୍ତ ପ୍ରଜା ସଂଘର ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।
ଏହି ଦାବି ଗୁଡ଼ିକ ପୂରଣ କରାନଗଲେ କ୍ଷତିଗ୍ରସ୍ତ ପ୍ରଜା ସଂଘ ପକ୍ଷରୁ ବଡ଼ ଧରଣର ଆନେ୍ଦାଳନ କରିବା ସହିତ ତାଳଚେରରୁ ଖଣ୍ଡିଏ କୋଇଲା ବାହାରକୁ ଚାଲାଣ କରାଯାଇପାରିବ ନାହିଁ ବୋଲି ସଂଘର ସଭାପତି ଇଂ ମନୋଜ ପ୍ରଧାନ, ଉପସଭାପତି ଧୀରେନ୍ କୁମାର ପ୍ରଧାନ, ସାଧାରଣ ସମ୍ପାଦକ ବିଭୂତି କୁମାର ବିଶ୍ୱାଳ, ବ୍ରଜନାଥପୁର ସରପଞ୍ଚ ଭାଗିରଥୀ ସାହୁ, ସହ ସମ୍ପାଦକ ସନାତନ ପ୍ରଧାନ, ଅନୁକୂଳ ଆଚାର୍ଯ୍ୟ, ଅବନିକାନ୍ତ ସାହୁ, କଳାକାର ସିଂହ, ସତ୍ୟବାନ ପରିଡ଼ା, ହରଗୋବିନ୍ଦ ବେହେରା, କ୍ଷୀରସିନ୍ଧୁ ସେଠୀ, ବିମାନ ପଲେଇ, ପଞ୍ଚାନନ ସେନାପତି ପ୍ରମୁଖ ଚେତାବନୀ ଦେଇଛନ୍ତି । ଏହି ମର୍ମରେ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ତାଳଚେର ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଜରିଆରେ ସଂଘ ପକ୍ଷରୁ ପ୍ରଦାନ କରାଯାଇଛି ।

ସେଆର କରନ୍ତୁ:



Powered by odothemes.com