IMG-20180218-WA0017

ଦୁଇ ଯବାନ ସହିଦ, ୬ ଆହତ

91

ମାଲକାନଗିରି,୧୮ା୨ (ଆପ୍ର): ଛତିଶଗଡ଼ରେ ଦକ୍ଷିଣ ଛତିଶଗଡ଼ ଅନ୍ତର୍ଗତ ସୁକ୍ମା ଜିଲ୍ଲାରେ ଆଜି ଅପରାହ୍ଣରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଭୟଙ୍କର ଗୁଳିବିନିମୟ ଘଟି ବହୁ ମୃତାହତ ହୋଇଛନ୍ତି । ଭେଜି ଜଙ୍ଗଲରେ ପ୍ରାୟ ୫ ଘଣ୍ଟା ଧରି ଚାଲିଥିବା ଗୁଳି ବିନିମୟରେ ଦୁଇ ପୁଲିସ ସହିଦ ହୋଇଥିବାବେଳେ ଆଉ ୬ ଜଣ ଆହତ ହୋଇଛନ୍ତି । ଏକାଧିକ ନକ୍ସଲ ମୃତାହତ ହୋଇଥିବା କୁହାଯାଉଛି । ରାସ୍ତା ନିର୍ମାଣ କରୁଥିବା ଏକ ଠିକା କମ୍ପାନୀର ଜଣେ ସୁପରଭାଇଜରଙ୍କୁ ମଧ୍ୟ ନକ୍ସଲପନ୍ଥୀ ଗୁଳିକରି ହତ୍ୟା କରିଛନ୍ତି । ଦୁର୍ଦ୍ଦାନ୍ତ ମାଓ କମାଣ୍ଡର ହିଡ୍ମା ଖସି ଯାଇଥିବା ପୁଲିସ କହିଛି । ନକ୍ସଲପନ୍ଥୀ ସଂପୃକ୍ତ ଠିକା କମ୍ପାନୀର କ୍ୟାମ୍ପରେ ନିଆଁ ଲଗାଇଦେବା ସହିତ ପ୍ରାୟ ୧୨ଟି ଗାଡ଼ି ଜାଳିଦେଇଛନ୍ତି । ସେହିପରି ଏରାବୋର୍ ଜଙ୍ଗଲରେ ଆଉ ଏକ ଏନ୍କାଉଣ୍ଟରହୋଇଛି । ସୁରକ୍ଷାବାହିନୀ ଜଣେ ନକ୍ସଲଙ୍କୁ ହତ୍ୟା କରିଛନ୍ତି । ନିହତ ନକ୍ସଲ ଭାମିଆ ଗଦର ମୃତଦେହ ଉଦ୍ଧାର କରାଯାଇଛି । ଦକ୍ଷିଣ ବସ୍ତର ଜୋନ୍ ଡିଆଇଜି ପି. ସୁନ୍ଦରରାଜ୍ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ରାୟପୁରଠାରୁ ପ୍ରାୟ ୫୦୦ କିଲୋମିଟର ଦୂର ଭେଜି ଥାନା ଅନ୍ତର୍ଗତ ଚିନ୍ତାଗୁମ୍ଫା-ଇଞ୍ଜରମ୍ ମାର୍ଗରେ ରାସ୍ତା ତିଆରି ଚାଲିଥିଲା । କାମ ବନ୍ଦ କରିବା ଲାଗି ମାଓବାଦୀ ଆକ୍ରମଣ କରି ଠିକାଦାରଙ୍କ କ୍ୟାମ୍ପ୍ରେ ନିଆଁ ଲଗାଇବା ସହିତ କାମରେ ନିୟୋଜିତ ଗାଡ଼ିଗୁଡ଼ିକ ଜାଳିଦେଇଥିଲେ । ପ୍ରାୟ ୧୨ ଗାଡ଼ି ଜଳିଯାଇଥିଲା । ଆକ୍ରମଣ ସଂପର୍କରେ ସୂଚନା ପାଇ ଏସ୍ଟିଏଫ୍, ଡିଆର୍ଜି ଏବଂ ରାଜ୍ୟ ପୁଲିସ ମିଳିତ ଭାବେ କମ୍ବିଂ ଅପରେସନ୍ କରିଥିଲେ । ପୁଲିସ ଆସୁଥିବା ଖବର ପାଇ ଏଲମାଗୁଡ଼ା ଗ୍ରାମ ନିକଟରେ ମାଓବାଦୀ ଆମ୍ବୁସ୍ ଲଗାଇଥିଲେ । ପୁଲିସ ସହିତ ଶତାଧିକ ମାଓବାଦୀ ମୁହାଁମୁହିଁ ହୋଇଥିଲେ ଓ ବହୁ ସମୟ ଧରି ଉଭୟପକ୍ଷ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ମାଓବାଦୀଙ୍କ ଆକ୍ରମଣରେ କନେଷ୍ଟବଳ ମାଡ଼କାମ୍ ହାଣ୍ଡା ଏବଂ ମୁକେଶ କାଡତି ସହିଦ ହୋଇଥିବା ବେଳେ ସାଲବନ ରାଜା, ଚାପା ରାକେଶ, ଶିବରାମ ସୋନି, ପଦମ୍ ସୋୟମ୍, ରୂପ ସିଂହ ପୋୟମ୍ ଏବଂ ସୋଡି ବଚ୍ଚା ଆହତ ହୋଇଥିଲେ । ସମସ୍ତଙ୍କୁ ତୁରନ୍ତ ଭେଜି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯିବା ପରେ ରାୟପୁର ସ୍ଥାନାନ୍ତର କରାଯାଇଛି ।
ରାସ୍ତାକାମକୁ ବିରୋଧ କରି ନକ୍ସଲପନ୍ଥୀ ସଂପୃକ୍ତ ଅଞ୍ଚଳରେ ଆକ୍ରମଣ ପାଇଁ ଯୋଜନା କରିଥିବା ଗୁଇନ୍ଦା ରିପୋର୍ଟ ଆଧାରରେ ଏହି ଅପରେସନ୍ କରାଯାଇଥିଲା ବୋଲି ଡିଆଇଜି ସୂଚନା ଦେଇଛନ୍ତି । ରାସ୍ତାକାମ କରୁଥିବା କମ୍ପାନୀର ସୁପରଭାଇଜର ଅନିଲ କୁମାରଙ୍କୁ ମଧ୍ୟ ନକ୍ସଲପନ୍ଥୀ ହତ୍ୟା କରିଛନ୍ତି । ସଂପୃକ୍ତ ଅଞ୍ଚଳକୁ ସିଆର୍ପିଏଫ୍ର କୋବ୍ରା ବାହିନୀକୁ ପଠାଯାଇଛି । ଘଟଣାସ୍ଥଳରେ ୟୁନିଫର୍ମ ଏବଂ ରକ୍ତ ପଡ଼ିଥିବାରୁ ଅନେକ ମାଓବାଦୀ ମୃତାହତ ହୋଇଥିବା ସ୍ପେଶାଲ ଡିଜି ଡିଏନ୍ ଅଗସ୍ତି ସୂଚନା ଦେଇଛନ୍ତି । ଆହତଙ୍କ ମଧ୍ୟରେ ୪ ଜଣ ଏସ୍ଟିଏଫ୍ ଯବାନ ଅନ୍ତର୍ଭୁକ୍ତ । ଆହତ ଯବାନମାନେ କହିଛନ୍ତି, ପ୍ରାୟ ୨ଶହରୁ ଅଧିକ ମାଓବାଦୀ ୟୁନିଫର୍ମ ଓ କଳା ପୋଷାକ ପିନ୍ଧି ଲୁଚି ରହିଥିଲେ । ଆକ୍ରମଣରେ ମହିଳା ମାଓବାଦୀ ସାମିଲ ଥିଲେ । ସମସ୍ତେ ତେଲଗୁ ଓ ଓଡ଼ିଆରେ କକଥାବାର୍ତ୍ତା କରୁଥିଲେ । ସେନା ପୋଷାକ ପରିହିତ ମାଓବାଦୀ ଲଢ଼େଇରେ ସାମିଲ ହୋଇଥିଲେ ଏବଂ ପାହଡ଼ ଆଢ଼ୁଆଳ ଓ ଗଛ ଉପରେ ଥାଇ ଆକ୍ରମଣ କରିଥିଲେ ବୋଲି ଆହତ ଯବାନମାନେ ପ୍ରକାଶ କରିଛନ୍ତି ।




Powered by odothemes.com