fire

ଜଳିଗଲା ସାହି: ୩୯ ପରିବାର ସର୍ବସ୍ୱାନ୍ତ

160

ଅନୁଗୁଳ୧୮ା୨ (ଆପ୍ର): ରବିବାର ଅପରାହ୍ନରେ ବନ୍ତଳା ଥାନା କରତପଟା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୯ଟି ପରିବାରର ପ୍ରାୟ ୬୦ବଖରା ଘର ସଂପୂର୍ଣ୍ଣ ଭସ୍ମ ହୋଇଯାଇଛି । ଘରେ ଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ଜଳିପୋଡି ପାଉଁଶ ହେବା ସହିତ ଗଉଡ଼ସାହି ଧ୍ୱଂସସ୍ତୁପରେ ପରିଣତ ହୋଇଛି । ଅଗ୍ନିଶମ ବାହିନୀ ପହଞ୍ଚôଥିଲେ ବି ଜଳାଭାବ ଯୋଗୁ ନିଆଁକୁ ଆୟତ୍ତ କରିବାରେ ବିଳମ୍ବ ଘଟିଛି । ପ୍ରକାଶ ଯେ, ଆଜି କରତପଟାର ଧରଣୀ ବେହେରାଙ୍କ ମାଆଙ୍କର ଦଶାହ ଚାଲିଥିଲା । ଦଶାହ ନେଇ ସାହିଲୋକେ ବ୍ୟସ୍ତ ରହିଥିଲେ । ଅପରାହ୍ଣ ୩ଟା ସମୟରେ ଅନିତା ଠେଲାଙ୍କ ଘରୁ ନିଆଁ ବାହାରି ଚାହୁଁଚାହୁଁ ଆଖପାଖକୁ ବ୍ୟାପି ଯାଇଥିଲା । ପ୍ରାୟ ୩୯ ପରିବାରର ୬୦ ବଖରାରୁ ଅଧିକ ଜଳିଯାଇଥିଲା । ଗ୍ରାମବାସୀ ନିଆଁକୁ କିପରି ଆୟତ୍ତ ବୁଦ୍ଧି ବାଟ ପାଇନଥିଲେ । ଗ୍ରାମରେ ପାଣି ମୁଖ୍ୟ ସମସ୍ୟା ହୋଇଥିବା ବେଳେ ନିଆଁକୁ ଆୟତ୍ତ କରିବାରେ ଗ୍ରାମବାସୀ ସକ୍ଷମ ହୋଇନଥିଲେ । ନିଆଁର ପ୍ରକୋପ ଏତେ ଥିଲା କେହି ନିକଟକୁ ଯାଇପାରିନଥିଲେ । ଗୁହାଳରେ ଥିବା ଗାଈଗୋରୁଙ୍କୁ ବଡ଼କଷ୍ଟରେ ବାହାରକୁ ଅଣାଯାଇଥିଲା । ବହୁ ଚେଷ୍ଟା କରି ଲୋକେ ନିକଟସ୍ଥ କୂଅ ପୋଖରୀରୁ ପାଣି ଆଣି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ପାଣି ଶୁଖି ଯିବାରୁ ନିଆଁ ଲିଭାଇବା ସମ୍ଭବ ହୋଇନଥିଲା । ଖବର ପାଇବାର ଦେଢ଼ଘଣ୍ଟା ପରେ ଅନୁଗୁଳରୁ ଦମକଳ ବାହିନୀ ଦୁଇଟି ଗାଡ଼ିରେ ପାଣି ନେଇ ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ସବୁ ଛାରଖାର୍ ହୋଇଯାଇଥିଲା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ । ଅନିତାଙ୍କ ଭାଇ ପଳଉ ଠେଲା ଦୁଇ ଝିଅଙ୍କ ବାହାଘର ପାଇଁ ଘରେ ରଖିଥିବା ସମସ୍ତ ସରଞ୍ଜାମ ପାଉଁଶ ହୋଇ ଯାଇଥିଲା । ନଥିଲା ଠେଲାଙ୍କ ୪ ଛେଳି ଜଳି ଯାଇଥିବା ବେଳେ ତୀର୍ଥବାସୀ ଠେଲା, ଜିତେନ୍ଦ୍ର ଠେଲା, ପୁଡି ଷଣ୍ଢ, ଦିଗାମ୍ବର ଠେଲା, ଜଟିଳ ଠେଲା, ଅରୁଣ ବେହେରା , ବିଦ୍ୟ ବେହେରା, ମାୟା ବେହେରା, ଗୟା ବେହେରା, ତର ଷଣ୍ଢ, ଖିଜୁ ବେହେରା, ଚିହିରୁ ବେହେରା, ପ୍ରକାଶ ଷଣ୍ଢ, ଡମ ଷଣ୍ଢ, କୁଲୁଣି ଠେଲା, ଉତ୍ତମ ଷଣ୍ଢ, ମହୁଲି ବେହେରା, ସିକୁନ ଠେଲା, ଦିଲ୍ଲୀପ ଠେଲା, ଉପଗ୍ରାହୀ ଷଣ୍ଢ, ଶାସ୍ୱତୀ ଷଣ୍ଢ ପ୍ରମୁଖ ପ୍ରମୁଖ ସର୍ବସ୍ୱାନ୍ତ ହୋଇଯାଇଛନ୍ତି । କେତେକଙ୍କର କେବଳ ପିନ୍ଧିଥିବା ବସ୍ତ୍ର ବ୍ୟତିତ ଅନ୍ୟ କିଛି ନଥିବା ଜଣାପଡ଼ିଛି । ନନ୍ଦପୁର ସରପଞ୍ଚ ଅନିତା ପ୍ରଧାନ, ବିଜେପି ନେତା ସରୋଜ କୁମାର ଜେନା ପ୍ରମୁଖ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ଖବର ପାଇ ଅନୁଗୁଳ ବ୍ଲକର ଅତିରିକ୍ତ ବିଡିଓ ବିଜୟ କୁମାର ମେହେର, ଅତିରିକ୍ତ ତହସିଲଦାର ବିମଳ କୁମାର ଲେଙ୍କା, ଚମ୍ପତିମୁଣ୍ଡା ରାଜସ୍ୱ ଅଧିକାରୀ ପ୍ରମୁଖ କ୍ଷୟକ୍ଷତି ଆକଳନ କରିଛନ୍ତି । ବିପନ୍ନ ପରିବାରକୁ ରନ୍ଧା ଖାଦ୍ୟ ସହିତ ଶୁଖିଲା ଖାଦ୍ୟ, ଶିଶୁ ଖାଦ୍ୟ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି ।

ସେଆର କରନ୍ତୁ:



Powered by odothemes.com