ଖୁବ୍ଶୀଘ୍ର ବ୍ରହ୍ମପୁରରେ କମିଶନରେଟ୍ ପୁଲିସ | ସର୍ବସାଧାରଣ ଖବରକାଗଜ
cyber-ps-inaguration

ଖୁବ୍ଶୀଘ୍ର ବ୍ରହ୍ମପୁରରେ କମିଶନରେଟ୍ ପୁଲିସ

55

ବ୍ରହ୍ମପୁର (ବୁ୍ୟରୋ): ବହୁ ଦିନ ବ୍ୟବଧାନ ପରେ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣକୁ ଆସିଛି । ଅପରାଧିଙ୍କୁ ଦମନ କରିବାରେ ୨ଜିଲ୍ଲାର ପୁଲିସ ଅଧିକାରୀମାନେ ସଫଳ ହୋଇଛନ୍ତି ଓ ଏହା ଦାୟିତ୍ୱରେ ଥିବା ଏସ୍ପି ତଥା ଡିଆଇଜି ଆଶିଷ କୁମାର ସିଂଙ୍କ ଯୋଗୁ ସମ୍ଭବ ହୋଇଛି ବୋଲି ୨ଦିନିଆ ଗଞ୍ଜାମ ଗସ୍ତରେ ଆସିଥିବା ରାଜ୍ୟ ପୁଲିସ ମହାନିଦେ୍ର୍ଦଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି । ରବିବାର ବ୍ରହ୍ମପୁର ପୁଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଜିଲ୍ଲା ପୁଲିସ ପକ୍ଷରୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା । ସେଠାରେ ଦକ୍ଷିଣାଞ୍ଚଳ ପୁଲିସ ଆଇଜି ଘନଶ୍ୟାମ ଉପାଧ୍ୟାୟ, ଡିଆଇଜି ଆଶିଷ କୁମାର ସିଂଙ୍କ ସମେତ ଜିଲ୍ଲା ପୁଲିସର ବହୁ ପଦାଧିକାରୀ ଉପସ୍ଥିତ ରହି ଡ. ଶର୍ମାଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ଡ. ଶର୍ମା ବ୍ରହ୍ମପୁର ବଡ଼ବଜାର ଥାନା ନିକଟରେ ସାଇବର ଥାନାର ଉଦ୍ଘାଟନ କରିଥିଲେ । ଏହି ଅବସରରେ ଶ୍ରୀ ଶର୍ମା ଅଞ୍ଚଳର ବରିଷ୍ଠ ନାଗରିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବିଚାରବିମର୍ଷ କରି ରାଜ୍ୟ ପୁଲିସର ବିଭିନ୍ନ କାର୍ଯ୍ୟପନ୍ଥାର ରୂପରେଖ ବିଷୟରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନ୍ର ସିଏମ୍ଡି ଲଳିତ ଦାଶ, ଦକ୍ଷିଣାଞ୍ଚଳ ଆଇଜି, ଡିଆଇଜି ଓ ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଡ. ଶର୍ମା କହିଛନ୍ତି ଯେ, ରାଜ୍ୟରେ ଅପରାଧ ନିୟନ୍ତ୍ରଣ କରିବାରେ ପୁଲିସ ପ୍ରଶାସନ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଶାନ୍ତି ଓ ଶୃଙ୍ଖଳିତ ସମାଜ ଗଠନ କରିବାକୁ ତା’ର ଉଦ୍ୟମ ଜାରି ରଖିଛି । ଅପରାଧ ଓ ଅପରାଧିଙ୍କୁ ଦମନ କରିବାରେ ପୁଲିସ ଯେଉଁ କାର୍ଯ୍ୟପନ୍ଥା ଗ୍ରହଣ କରୁଛି, ତାକୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି କଟୁସମାଲୋଚନା କରୁଛନ୍ତି । ଏହାସହ ରାଜ୍ୟରେ ହାଇୱେ ପାଟ୍ରୋଲିଂ ଆରମ୍ଭ କରିବା ପାଇଁ ଖୁବ୍ଶୀଘ୍ର ପଦକ୍ଷେପ ନିଆଯିବ, ୧୯୯୪ରୁ ୧୯୯୫ ବର୍ଷେ ବ୍ରହ୍ମପୁର ଏସ୍ପି ଭାବେ ଦାୟିତ୍ୱ ନେଇ ବ୍ରହ୍ମପୁର ସହରବାସୀଙ୍କ ଶ୍ରଦ୍ଧାଭାଜନ ହୋଇପାରିଥିଲି । ତେଣୁ ସହର ବିଷୟରେ ମୁଁ ଅବଗତ ବୋଲି ଡିଜିପି କହିଛନ୍ତି । ରାଜ୍ୟରେ ସାଇବର କ୍ରାଇମ୍କୁ ନେଇ ସେ ସାମାଜିକ ବ୍ୟକ୍ତି ଓ ଅପରାଧିମାନେ ଇଣ୍ଟରନେଟ୍ ତଥା ବିଭିନ୍ନ ସାଇବର ଜରିଆରେ ଅପରାଧ ଘଟାଉଛନ୍ତି । ସାଧାରଣ ଥାନା ଜରିଆରେ ଏହି ମାମଲାର ତଦନ୍ତ କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ତେଣୁ ଏହି ସାଇବର ଥାନା ଖୋଲିବା ଦ୍ୱାରା ୧୦ଟି ଜିଲ୍ଲାର ଜନସାଧାରଣ ଉପକୃତ ହୋଇପାରିବେ । ବର୍ତ୍ତମାନ ଏଠାରେ ଜଣେ ଇନ୍ସ୍ପେକ୍ଟର, ୨ଜଣ ସବ୍ ଇନ୍ସ୍ପେକ୍ଟର ଏବଂ ୪ଜଣ କନେଷ୍ଟବଳଙ୍କୁ ନେଇ ସାଇବର ଥାନା ଆରମ୍ଭ ହୋଇଛି । ପରବର୍ତ୍ତି ସମୟରେ ଏହି ଥାନାର ଦକ୍ଷତା ବୃଦ୍ଧି କରାଯିବ । ରାଜ୍ୟର ଭୁବନେଶ୍ୱର, ବାଲେଶ୍ୱର, ଜୟପୁର ଓ ଅନ୍ୟ ଏକ ସହରରେ ୪ଟି ନୂଆ ସାଇବର ଥାନା କରିବାକୁ ନିଷ୍ପତ୍ତି ନିଆଯାଇଛି । ବ୍ରହ୍ମପୁର ପୁଲିସ ଜିଲ୍ଲାର ପରିଧିକୁ ନେଇ ସମସ୍ୟା ରହିଥିବାରୁ ଏସ୍ପିଙ୍କ ରିପୋର୍ଟକୁ ଆଧାର କରି ଅତିଶୀଘ୍ର ଥାନା ମାନଙ୍କର ଭୌଗଳିକ ସୀମାରେଖା ବଦଳିବ ଏବଂ ଖୁବ୍ଶୀଘ୍ର ବ୍ରହ୍ମପୁରରେ କମିଶନରେଟ୍ ବ୍ୟବସ୍ଥା କରାଯିବ । ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତ ହୋଇସାରିଥିବା ଡିଜିପି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି । ବ୍ରହ୍ମପୁରରେ ମଡେଲ୍ କଣ୍ଟ୍ରୋଲ୍ ରୁମ୍ ଖୋଲିବାକୁ ଟଙ୍କା ମଞ୍ଜୁର ହୋଇସାରିଛି । ପ୍ରଥମ ପର୍ଯ୍ୟାୟରେ କଣ୍ଟ୍ରୋଲ୍ ରୁମ୍ ଖୋଲିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ସିସିଟିଭି କ୍ୟାମେରା ଲଗାଯିବ । ଭୁବନେଶ୍ୱର ଓ କଟକରେ ମଡେଲ୍ କଣ୍ଟ୍ରୋଲ୍ ରୁମ୍ ଖୋଲିବା ପରେ ଡାଏଲ୍ ୧୦୦କୁ ଖୁବ୍ ଲୋକପ୍ରିୟତା ମିଳିଛି । ବ୍ରହ୍ମପୁରରେ ବୋଧେ ଏହା ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ଡିଜିପି କହିଛନ୍ତି । ରାଜ୍ୟରେ ୪୦ପ୍ରତିଶତ ପୁଲିସ କର୍ମଚାରୀ ଅଭାବ ରହିବା ସହ ୧ହଜାର ସବ୍ ଇନ୍ସ୍ପେକ୍ଟର ପଦବୀ ଖାଲି ପଡ଼ିଛି । ରାଜ୍ୟ ସରକାର ଏହି ଜାଗାରେ ଅବସରପ୍ରାପ୍ତ ବରିଷ୍ଠ ସବ୍ଇନ୍ସ୍ପେକ୍ଟରଙ୍କୁ ଠିକାରେ ନିଯୁକ୍ତି ଦେବାକୁ ଯୋଜନା କରୁଛନ୍ତି । ପରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ପୁଲିସ ପକ୍ଷରୁ ଦିଆଯାଉଥିବା ସୁବିଧା ସୁଯୋଗ ଉପରେ ମତବ୍ୟକ୍ତ କରିଥିଲେ ଡିଜିପି ଡ. ଶର୍ମା । କାର୍ଯ୍ୟକ୍ରମରେ ଉପରିସ୍ଥ ପୁଲିସ ଅଧିକାରୀଙ୍କ ସହ ଅତିରିକ୍ତ ଏସ୍ପି ତ୍ରିନାଥ ପଟେଲ ଓ ଶାନ୍ତୁନୁ ଦାଶ, ଏସ୍ଡିପିଓ ପ୍ରଭାତ ଚନ୍ଦ୍ର ରାଉତରାୟ, ପି.କେ. ଜେନାଙ୍କ ସମେତ ସମସ୍ତ ଥାନାଧିକାରୀ ଓ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।




Powered by odothemes.com