sex-ratio-birth

ଲିଙ୍ଗଗତ ବୈଷମ୍ୟ: ଶୀର୍ଷରେ ଗୁଜରାଟ

331

ହଜାରେ ପୁଅରେ ୮୫୪ ଝିଅ
ନୂଆଦିଲ୍ଲୀ, ୧୭ା୨: ‘ବେଟି ବଚାଓ ବେଟି ପଢାଓ’ ସ୍ଲୋଗାନ୍ ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ରାଜ୍ୟ ଗୁଜରାଟରେ ଝିଅଙ୍କ ସଂଖ୍ୟା ଅନ୍ୟାନ୍ୟ ରାଜ୍ୟ ତୁଳନାରେ ସବୁଠାରୁ କମ୍ । କନ୍ୟା ଭୃଣହତ୍ୟା ନିରାକରଣ ଓ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଉଥିବା ଏନ୍ଡିଏ ସରକାରରେ ଏହା ସବୁଠୁ ବିଡମ୍ବନା । କୌଣସି ଘରୋଇ ସଂସ୍ଥା ନୁହନ୍ତି, ନିଜେ ନିତି ଆୟୋଗ ଲିଙ୍ଗଗତ ଅନୁପାତ ହ୍ରାସ ନେଇ ଉଦ୍ବେଗଜନକ ରିପୋର୍ଟ ପ୍ରଦାନ କରିଛନ୍ତି । ଆୟୋଗ ୨୧ ବୃହତ ରାଜ୍ୟକୁ ଅଗ୍ରାଧିକାର ଦେଇ ରିପୋର୍ଟ ପ୍ରସ୍ତୁତ କରିଥିଲେ । ସେଥିମଧ୍ୟରୁ ୧୭ ରାଜ୍ୟରେ ମହିଳାଙ୍କ ସଂଖ୍ୟା ୧୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିବା ଦର୍ଶାଇଛନ୍ତି । ଗୁଜରାଟରେ ସର୍ବାଧିକ ୫୩ ପଏଣ୍ଟ ହ୍ରାସ ପାଇଥିବା ରିପୋର୍ଟରୁ ଜଣାପଡିଛି । ନିତି ଆୟୋଗ ଜନ୍ମ ସମୟରେ ଲିଙ୍ଗଗତ ଅନୁପାତ (ଏସ୍ଆର୍ବି) ନେଇ ସର୍ଭେ କରିଥିଲେ । ‘ସୁସ୍ଥ ରାଜ୍ୟ ବିକଶିତ ଦେଶ’ ଶୀର୍ଷକ ରିପୋର୍ଟରେ ପୁଅଙ୍କ ତୁଳନାରେ କନ୍ୟା କମ୍ ଜନ୍ମଗ୍ରହଣ କରୁଥିବାରୁ ଲିଙ୍ଗ ଚିହ୍ନଟ କରି ଗର୍ଭପାତ ବିରୋଧରେ ଅଧିକ କଡା ପଦକ୍ଷେପ ଗ୍ରହଣ ପାଇଁ ଦର୍ଶାଇଛନ୍ତି । ସୂଚନା ଅନୁଯାୟୀ, ୨୦୧୨-୧୪ ଓ ୨୦୧୩-୧୫କୁ ମୂଳ ଆଧାରଭାବେ ଗ୍ରହଣ କରାଯାଇଥିଲା । ୨୦୧୨-୧୪ ମଧ୍ୟରେ ଗୁଜରାଟରେ ଜନ୍ମ ହେଉଥିବା ପ୍ରତି ହଜାରେ ପୁଅଙ୍କ ତୁଳନାରେ କନ୍ୟା ସଂଖ୍ୟା ୯୦୭ ଥିବାବେଳେ ୨୦୧୩-୧୫ରେ ଏହା ୮୫୪କୁ ହ୍ରାସ ପାଇଛି । ହରିଆଣାରେ ଲିଙ୍ଗ ଅନୁପାତ ୩୫ ପଏଣ୍ଟ, ରାଜସ୍ଥାନରେ ୩୨, ଉତ୍ତରାଖଣ୍ଡରେ ୨୭, ମହାରାଷ୍ଟ୍ରରେ ୧୮, ହିମାଚଳରେ ୧୪, ଛତିଶଗଡରେ ୧୨, କର୍ଣ୍ଣାଟକରେ ୧୧ ପଏଣ୍ଟ ହ୍ରାସ ପାଇଛି । ଅନ୍ୟପକ୍ଷରେ ପଞ୍ଜାବ, ଉତ୍ତର ପ୍ରଦେଶ, ବିହାର ଇତ୍ୟାଦି ରାଜ୍ୟରେ ଏସ୍ଆର୍ବିରେ ଉନ୍ନତି ପରିଲକ୍ଷିତ ହୋଇଛି । ପଞ୍ଜାବରେ ଲିଙ୍ଗଗତ ଅନୁପାତ ୧୯ ପଏଣ୍ଟ, ଉତ୍ତର ପ୍ରଦେଶରେ ୧୦ ଓ ବିହାରରେ ୯ ପଏଣ୍ଟ ବୃଦ୍ଧି ପାଇଛି । ନିତି ଆୟୋଗ ଦର୍ଶାଇଛନ୍ତି ଯେ ପିସିପିଏନ୍ଡିଟି ଆକ୍ଟ-୧୯୯୪ କଡାକଡି କରିବା, କନ୍ୟା ଭୃଣ ହତ୍ୟା ପ୍ରତିରୋଧ ଓ ଶିଶୁକନ୍ୟା ସୁରକ୍ଷା ଉପରେ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦିଆଯିବା ଜରୁରୀ ।

ସେଆର କରନ୍ତୁ:



Powered by odothemes.com