BALI-GUDA-ANGANWADI1

ନାଳପାଣିରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନଭୋଜନ

54

ବାଲିଗୁଡ଼ା (ଆପ୍ର): ସ୍ୱାଧୀନତାର ୭୦ ବର୍ଷ ବିତିଯାଇଥିଲେ ମଧ୍ୟ ଆଦିବାସୀ ବହୁଳ କନ୍ଧମାଳରେ ଆଶାନୁପାତ ବିକାଶ ହୋଇପାରିନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟଜଳ ଭଳି ମୌଳିକ ସୁବିଧାରୁ ଆଜି ବି ବଞ୍ଚôତ ଏହି ଜିଲ୍ଲା । ସରକାରୀ ଅଥିକାରୀ ତଥା ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ସରକାରୀ ଯୋଜନାରୁ ବଞ୍ଚôତ ହେଉଛନ୍ତି ନିରୀହ ଆଦିବାସୀ । ଏହାର ଆଉ ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ ଗୁମିକିଆ ପଞ୍ଚାୟତ ସ୍ଥିତ ତେମ୍ବୁଲିରେ । ତେମ୍ବୁଲି ସମେତ ଗୁଡ଼ୁକି, କାକାମାହାରର ଜନସଂଖ୍ୟା ୭୦୦ରୁ ଊଦ୍ଧ୍ୱର୍ ହେବ । କିନ୍ତୁ ଏହି ଗାଁରେ ନା ଅଛି ରାସ୍ତା, ନା ଅଛି ପାନୀୟ ଜଳର ସୁବିଧା । ଗୋଟିଏ ଗାଁରୁ ଅନ୍ୟଗାଁକୁ ଯିବାକୁ ହେଲେ ପାହାଡ଼ ଜଙ୍ଗଲ ଖାଲ ଖମା ରାସ୍ତାଦେଇ ଯିବାକୁ ପଡ଼ିଥାଏ । ରୋଗୀ ଓ ପ୍ରସୂତିଙ୍କ ପାଇଁ କାନ୍ଧଭାର ଓ ଖଟିଆ ହିଁ ଭରଷା । ବିଜୁଳି ଆଲୁଅ ଗ୍ରାମବାସୀଙ୍କ ପାଇଁ ସତେ ଯେମିତି ସାତ ସପନ । ଗାଁରେ ନଳକୂପ ନ ଥିବାରୁ ଲୋକମାନେ ପାନୀୟ ଜଳ ପାଇଁ ନାଳ ଓ ଚୂଆ ଉପରେ ନିର୍ଭର କରିଥାନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ହେଉଛି ଗାଁଠାରୁ ଦୁଇ କିଲୋମିଟର ଦୂରରେ ଥିବା ଅଙ୍ଗନୱାଡ଼ିରେ ପାଣି ନଥିବାରୁ ମଧ୍ୟାହ୍ନ ଭୋଜନ ନାଳ ପାଣିରେ ପ୍ରସ୍ତୁତ କରାଯାଉଛି । ସରକାର ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ଭୋଜନ ପ୍ରଦାନ କରୁଥିବା ବେଳେ ଏହା କିପରି ପ୍ରସ୍ତୁତି ହେଉଛି ସେଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି । ଫଳରେ ଦୂଷିତ ଖାଦ୍ୟ ଖାଇ ପିଲାମାନେ ଅସୁସ୍ଥ ହେବା ଆଶଙ୍କା ବଢ଼ିଯାଇଛି । ବେଳେ ବେଳେ ଅଞ୍ଚଳର ପିଲାମାନେ ଏହି ପାଣି ପିଇ ଡାଇରିଆ ଭଳି ରୋଗରେ ଆକ୍ରାନ୍ତ ହୋଇଥିବା ନଜିର ରହିଛି । ଅସୁବିଧା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗାଁ ମୁଖିଆ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com