fire

ବହୁ ପ୍ରତିଷ୍ଠାନରେ ନାହିଁ ଫାୟାର ସେଫ୍ଟି ଲାଇସେନ୍ସ

115

- ଆକ୍ସନ ମୁଡ଼୍ରେ ଜୟପୁର ଅଗ୍ନିଶମ ବିଭାଗ – ପ୍ରଥମ ପର୍ଯ୍ୟାୟରେ ୨୬ଙ୍କୁ ନୋଟିସ୍
ଜୟପୁର (ଆପ୍ର): ରାଜ୍ୟରେ ଥିବା ବିଭିନ୍ନ ସରକାରୀ ତଥା ବେସରକାରୀ ପ୍ରତିଷ୍ଠାନ, ଆପାର୍ଟମେଣ୍ଟ ଆଦି ଫାୟାର ସେଫ୍ଟି ନିୟମ ପାଳନ କରୁନଥିବା ଦେଖିବାକୁ ମିଳୁଛି । ଫଳରେ ବିଭିନ୍ନ ସମୟରେ ବହୁ ପ୍ରତିଷ୍ଠାନଗୁଡ଼ିକରେ ନିଅାଁ ଲାଗି ଧନ ଜୀବନ ନଷ୍ଟ ହେଉଛି । ତେଣୁ ଅଗ୍ନିଶମ ବିଭାଗ ପକ୍ଷରୁ ଜୋରଦାର ତନଖି କରାଯାଉଛି । ସେହିପରି ଜୟପୁରରେ ବିନା ଫାୟାର ସେଫ୍ଟି ଲାଇସେନ୍ସରେ ସଂଖ୍ୟାଧିକ ପ୍ରତିଷ୍ଠାନ ଚାଲୁଥିବାରୁ ଅଗ୍ନିଶମ ବିଭାଗ ଆକ୍ସନ ମୁଡ଼କୁ ଆସିଛି । ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ସ୍ଥାନୀୟ ବିଭିନ୍ନ ଅନୁଷ୍ଠାନ, ଆପାର୍ଟମେଣ୍ଟକୁ ନୋଟିସ ଜାରି କରାଯାଇଛି । ଏହା ମଧ୍ୟରେ ୭ଟି ପେଟ୍ରୋଲ ପମ୍ପ୍, ୩ଟି ସିନେମା ହଲ, ଗୋଟିଏ କାରଖାନା ଓ ୧୫ଟି ପ୍ରତିଷ୍ଠାନ ଏବଂ ଆପାର୍ଟମେଣ୍ଟ ଅନ୍ତର୍ଭୁକ୍ତ । ସୂଚନାନୁଯାୟୀ, ଜୟପୁରରେ ଥିବା ସେବା ପେପର୍ ମିଲ୍, ସେଲିବ୍ରେସନ୍, କରୋସୁଧା ଓ ଭାସ୍କର ସିନେମା ହଲ୍, ବିଭିନ୍ନ ବଡ଼ ବଡ଼ ଆପାର୍ଟମେଣ୍ଟ ଯଥା ସିଟି ଭୁ୍ୟ, ଏସ୍ଆର୍ କଂଷ୍ଟ୍ରକସନ୍, ପିଆର୍ ପେଟାରେ ଥିବା ଅଶୋକ ପଣ୍ଡା, ଭଦ୍ରେୟା ସାହିର କୁନି ମହାନ୍ତି, ପାରାବେଡ଼ାର ଭିଏସ୍ପି ଡେଭ୍ଲପର୍ସ, ଟି ବାଲାଜୀ ପାତ୍ର ପ୍ରମୁଖ ସାମିଲ ଅଛନ୍ତି । ସେହିପରି ନେହେରୁ ନଗର ଓ ଜେଲ୍ ରୋଡ଼ର ଏ. ଦିଲ୍ଲୀପ କୁମାର, ପୁରୁଣା ଲକ୍ଷ୍ମୀ ସିନେମା ରୋଡ଼ର କେ. ନାରାୟଣ ରାଓ, ପାୱାର୍ ହାଉସ୍ ଜଙ୍କ୍ସନ୍ର ଓମକାର ହାଇଟ୍ସ, ମହାରାଣୀ ପେଟାର ଏମ୍ ହରିଦାସ, ଏମ୍ଜି ରୋଡ଼ର ଆର୍କେ ଟାୱାର, ମେନ୍ ରୋଡ଼ର ଏସ୍ଏନ୍ ପ୍ଲାଜା, ଅନ୍ନପୂର୍ଣ୍ଣା କଂପ୍ଲେକ୍ସ, ଫାୟାର ଷ୍ଟେସନ ନିକଟ କମର୍ସିଆଲ ଅଫିସର୍ସ୍ ବିଲ୍ଡ଼ିଂ ଆଦିଙ୍କୁ ନୋଟିସ ଜାରି କରାଯାଇଛି । ନୋଟିସ ପାଇବା ମାତ୍ରକେ ଲାଇସେନ୍ସ ନଥିବା ସଂସ୍ଥାଗୁଡିକୁ ସମୟ ଅବଧି ମଧ୍ୟରେ ଲାଇସେନ୍ସ ଆବେଦନ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ପ୍ରକାଶଯୋଗ୍ୟ, ବିଭାଗ ପକ୍ଷରୁ ୫ରୁ ୭ ଜଣିଆ ଏକ ଟିମ୍ ଗଠନ କରାଯିବ । ସେମାନେ ଲାଇସେନ୍ସ ପାଇଁ ଆବଶ୍ୟକ ଉପକରଣ ତଦାରଖ କରିବେ । ଯାଞ୍ଚ ପରେ ବିଭାଗ ପକ୍ଷରୁ ଫାୟାର ସେଫ୍ଟି ଲାଇସେନ୍ସ ଦିଆଯିବ । ନୋଟିସ୍ ପାଇବା ପରେ ଯେଉଁମାନେ ଆବେଦନ ନକରିବେ, ସେମାନଙ୍କୁ ଚରମପତ୍ର ଦିଆଯିବ । ଏହାପରେ ବି ଯଦି ସେମାନେ ନସୁଧୁରନ୍ତି, ତେବେ ଲାଇସେନ୍ସ ଖାରଜ ପାଇଁ ସୁପାରିଶ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ସହରରେ ଥିବା ଅନ୍ୟାନ୍ୟ ପ୍ରତିଷ୍ଠାନ ସହ ଅନ୍ୟ ଦୁଇଟି ପେଟ୍ରୋଲ ପମ୍ପ୍କୁ ନୋଟିସ୍ ଦିଆଯିବ ବୋଲି ଜୟପୁର ଫାୟାର ଅଫିସର ସଞ୍ଜୀବ ବେହେରା କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com