vanibihar

ହଜାରେ କୋଟି ନିବେଶ କରିବେ ଜାପାନ ସରକାର

87

ଭୁବନେଶ୍ୱର(ବୁ୍ୟରୋ): ଜାପାନ ସରକାରଙ୍କ ପକ୍ଷରୁ ଭାରତର ବିକାଶ ପାଇଁ ଏକ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ଜାପାନ ଓ ଭାରତ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରାଯିବା ସହିତ ଏଠାରେ ଜାପାନର ବହୁମୁଖୀ କମ୍ପାନୀଗୁଡ଼ିକ ସେମାନଙ୍କ ଶାଖା କାର୍ଯ୍ୟାଳୟ ପ୍ରତିଷ୍ଠା କରିବେ । ଉଭୟ ଦେଶର ଉତ୍ପାଦିତ ଦ୍ରବ୍ୟ ମଧ୍ୟରେ ବାଣିଜି୍ୟକ ବିନିମୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କୋଲ୍କାତାସ୍ଥିତ ଜାପାନ୍ କନ୍‌ସଲ୍ ଜେନେରାଲ୍‌ ମାସାୟୁକି ତାଗା ପ୍ରକାଶ କରିଛନ୍ତି । ଉକ୍ରଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଏବଂ ମାନବ ବିଜ୍ଞାନ ବିଭାଗରେ ପ୍ରଚଳିତ ଜାପାନ ଭାଷା ପାଇଲଟ୍‌ ପ୍ରକଳ୍ପ ପକ୍ଷରୁ ପିଜି କାଉନ୍‌ସିଲ୍‌ ହଲ୍‌ରେ ‘ଭାରତ ଓ ଜାପାନ ସମ୍ପର୍କ ତଥା ପ୍ରସଙ୍ଗ ଓ ଆହ୍ୱାନ’ ଶୀର୍ଷକ ଆନ୍ତର୍ଜାତିକ ଆଲୋଚନାଚକ୍ରର ମୁଖ୍ୟ ଅତିଥି ଶ୍ରୀ ତାଗା କହିଥିଲେ ଯେ ଜାପାନ ଓ ଭାରତ ମଧ୍ୟରେ ସମ୍ପର୍କ ବହୁ ପୁରୁଣା । ଜାପାନର କଳାସଂସ୍କୃତି, ପରମ୍ପରା, ସାହିତ୍ୟ, ଐତିହ୍ୟ, ରାଜନୀତି ଆଦି ଭାରତ ସହିତ ସାମଞ୍ଜସ୍ୟ ରହିଛି । କଳାସଂସ୍କୃତି କ୍ଷେତ୍ରରେ ଜାପାନବାସୀ ଅନୁପ୍ରାଣିତ ହୋଇଛନ୍ତି । ଏହି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ଉକ୍ରଳ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବାକୁ ଥିବା ଜାପାନ ଭାଷା କେନ୍ଦ୍ର ସମ୍ପର୍କରେ ଶ୍ରୀ ତାଗା କହିଥିଲେ ଯେ ଏଥିପାଇଁ ଜାପାନ ସରକାରଙ୍କ ପକ୍ଷରୁ ଶୈକ୍ଷିକ ଉପକରଣ ଓ ଶିକ୍ଷକ ଯୋଗାଇ ଦିଆଯିବାକୁ ଯୋଜନା ରହିଛି । ତେବେ ଓଡ଼ିଶା ସରକାରଙ୍କ ପକ୍ଷରୁ ଉକ୍ରଳରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବା ନେଇ ଆବଶ୍ୟକ ସହଯୋଗ ପ୍ରଦାନ କରାଯିବା ଦରକାର । ଉକ୍ରଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିିତ ଏହି କାର୍ଯ୍ୟକ୍ରମରେ ଜାପାନ ଜିଫୁ ମହିଳା ବିଶ୍ୱବିଦ୍ୟାଳୟର ପ୍ରଫେସର ତାକେନୋରି ହୋରିମୋତୋ ଜାପାନ ଓ ଭାରତ ମଧ୍ୟରେ ସମ୍ପର୍କ ସ୍ଥାପନର ଅତୀତ ଓ ବର୍ତ୍ତମାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇକୁ୍ୟଏସି ନିର୍ଦେଶକ ପ୍ରଫେସର କିଶୋର କୁମାର ବାସା, ଡିଡିସିଇ ପୂର୍ବତନ ନିର୍ଦେଶକ ପ୍ରଫେସର ସୁସ୍ମିତ ପାଣି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଜାପାନ ଭାଷା ପାଇଲଟ୍‌ ପ୍ରକଳ୍ପ ସଂଯୋଜକ ତଥା ମାନବ ବିଜ୍ଞାନ ବିଭାଗ ମୁଖ୍ୟ ଡ.ପ୍ରସନ୍ନ କୁମାର ପାତ୍ର ଆଲୋଚନାଚକ୍ରର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ରାଜନୀତି ବିଜ୍ଞାନ ମୁଖ୍ୟ ଡ.ସ୍ମିତା ନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ ଅଧ୍ୟାପିକା ଡ.ସୀମା ମଲ୍ଲିକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।

ସେଆର କରନ୍ତୁ:



Powered by odothemes.com