ଗ୍ରାମସେବିକାଙ୍କ ହତ୍ୟାକାରୀ ବିବାହିତ ପ୍ରେମିକ

31

ସୁଚିସ୍ମିତା ହତ୍ୟା ମାମଲା ପର୍ଦ୍ଧାଫାସ୍
ଭଦ୍ରକ, ୨୨ା୫(ଆ.ପ୍ର): ଗ୍ରାମସେବିକା ସୁଚିସ୍ମିତା ହତ୍ୟା ଘଟଣାର ୭୨ଘଣ୍ଟା ପରେ ଅଭିଯୁ୍କ୍ତକୁ ଧରିବାରେ ପୁଲିସ୍ ସଫଳ ହୋଇଛି । ହତ୍ୟା ପଛରେ ପ୍ରେମ ସମ୍ପର୍କ ଥିବା ପୁଲିସ୍ କହିଛି । ପ୍ରେମିକାକୁ ହତ୍ୟା କରିବାର ମାତ୍ର ୫ଦିନ ପରେ ପନିୀ ସହ ହତ୍ୟାକାରୀ ଗିରଫ ହେବା ଘଟଣା ଭଦ୍ରକ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି ।
ଜିଲା ଆରକ୍ଷୀ ଅଧୀକ୍ଷକ ନିହାରରଂଜନ ଦାସ ଆହୂତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଦେଇଥିବା ସୂଚନା ଅନୁଯାୟୀ, ଭଦ୍ରକ ବ୍ଲକ୍ ଆର. ଏନ୍ ବେତରା ଗ୍ରାମ ପଞ୍ଚାୟତରେ ଗ୍ରାମସେବିକା ଭାବେ କାର୍ଯ୍ୟ କରୁଥିବା ସୁଚିସ୍ମିତା ପୁହାଣ (୨୩)ଙ୍କ ଘର ବାସୁଦେବପୁର ବ୍ଲକ ନାୟକାଣୀଡିିହି ଥାନାର ଖେଡୁଆଳପୁର ଗ୍ରାମରେ । ବାଂଶଡା ଥାନା ଅଧୀନସ୍ଥ ଚିଆଣିପାହି ଗ୍ରାମନିବାସୀ ଅଚ୍ୟୁତାନନ୍ଦ ପଲାଇଙ୍କ ବଡପୁଅ ସୁଚିସ୍ମିତାଙ୍କ ଘର ପାଖରେ ବିବାହ କରିଥିଲେ । ତାଙ୍କ ସାନଭାଇ ଅମଳେନ୍ଦୁ ଓରଫ୍ ସୁଦାମ ପଲାଇ (୩୧) ବଡ଼ଭାଇଙ୍କ ଶ୍ୱଶୁର ଘରକୁ ଯିବାଆସିବା କରୁଥିଲେ । ଏହି କ୍ରମରେ ସୁଚିସ୍ମିତାଙ୍କ ସହିତ ସୁଦାମଙ୍କ ସଂପର୍କ ସ୍ଥାପନ ହୋଇଥିଲା । ପରେ ୩/୪ ବର୍ଷ ଧରି ଦୁହିଁଙ୍କ ମଧ୍ୟରେ ଏହି ପ୍ରେମ ସଂପର୍କ ଥିଲା । ସୁଦାମ ସୁଚିସ୍ମିତାକୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖି ଆସିବା ମଧ୍ୟରେ ଦେଢବର୍ଷ ତଳେ ନାୟକାଣିଡିହୀ ଥାନା ଅଧୀନସ୍ଥ ମଲିକାଦେଇପୁର ଗ୍ରାମର ଶଙ୍କର୍ଷଣ ମହାନ୍ତିଙ୍କ କନ୍ୟା ସୁମିତ୍ରା(୨୪)କୁ ବିବାହ କରିଥିଲା । ଇତିମଧ୍ୟରେ ସୁଚିସ୍ମିତା ଭଦ୍ରକ ସଦର ବ୍ଲକରେ ଗତ ସେପ୍ଟେମ୍ବର ୨୦୧୪ରୁ ଗ୍ରାମ ସେବିକା(ନିର୍ବାହୀ ଅଧିକାରୀ)ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ୨ମାସ ହେବ ଏହି ବ୍ଲକ ଅଧୀନସ୍ଥ ଆର୍.ଏନ୍.ବେତରା ଗ୍ରାମ ପଞ୍ଚାୟତର ଗ୍ରାମ ସେବିକାଭାବେ କାର୍ଯ୍ୟ କରୁଥିଲେ । ସେ ଗତ ୧୮ ତାରିଖ ଦିନ ବସ ଯୋଗେ ଭଦ୍ରକ କାର୍ଯ୍ୟାଳୟକୁ ଆସିଥିବା ସମୟରେ ପ୍ରେମିକ ସୁଦାମ ତାଙ୍କୁ ବନ୍ତଛକରେ ସାକ୍ଷାତ କରିବାକୁ ଅନୁରୋଧ କରିଥିଲା । ସୁଚିସ୍ମିତା ଅପରାହ୍ନ ୨ଟା ୧୫ ସମୟରେ ବନ୍ତଛକରେ ଅପେକ୍ଷା କରିଥିବା ବେଳେ ସୁଦାମ ନିଜର ଓଡି୦୧ବି-୭୨୧୬ ନମ୍ବର ମହିନ୍ଦ୍ରା ମେକ୍ସିମୋ ଯୋଗେ ସେଠାରେ ପହଞ୍ଚି ଥିଲା । ତା ସହିତ ସେ ଶଶିକାଦେଇପୁରର ରାଜେନ୍ଦ୍ର ଘଡେଇ ନାମକ ଜଣେ ଗାଡିଚାଳକକୁ ଭଡାରେ ଆଣିଥିଲା ।
ଇତିମଧ୍ୟରେ ସୁଦାମ ଓ ସୁଚିସ୍ମିତା ଗାଡିର ମଝି ସିଟରେ ବସି ଯାଉଥିବା ସମୟରେ ସାବରଙ୍ଗ ବଜାର ନିକଟରେ ୨ଜଣଙ୍କ ମଧ୍ୟରେ ବିବାହକୁ କେନ୍ଦ୍ରକରି ତୀବ୍ର କଳହ ହୋଇଥିଲା । ସୁଚିସ୍ମିତା ପରିବାର ପକ୍ଷରୁ ଅନ୍ୟତ୍ର ବିବାହ ପ୍ରସ୍ତାବ ସ୍ଥିର ହେବାକୁ ଯାଉଥିବାରୁ ସେ ଶୀଘ୍ର ବିବାହ କରିବାକୁ ଜିଦ ଧରିଥିଲା । ଏହି ଘଟଣାରେ ସୁଦାମ ଗାଡି ମଧ୍ୟରେ ତାକୁ ତାର ଓଢଣୀ ଦ୍ୱାରା ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା । ମାତ୍ର ପଦ୍ମପୁର ଛକ ଦେଇ ଗାଡିଟି ବାସୁଦେବପୁର ଅଭିମୁଖେ ଯିବା ସମୟରେ ଗାଡିଚାଳକ ରାଜେନ୍ଦ୍ର ଗାଡି ମଧ୍ୟରେ ଗଁ ଗଁ ଶଦ୍ଧ ଶୁଣି ପଚାରିବାରୁ ସୁଦାମ ସେମାନଙ୍କ ଝଗଡାରେ ଯୁବତୀ ଜଣଙ୍କ ଅଚେତ ହୋଇଯାଇଥିବାରୁ ତାକୁ ବ୍ୟସ୍ତ ନହେବା ପାଇଁ କହିଥିଲା । ମାତ୍ର ଏହି ଘଟଣାରେ ବିବ୍ରତ ସୁଦାମ ରାଜେନ୍ଦ୍ରକୁ ତା ଘର ଶଶିକାଦେଇପୁର ଛକରେ ଓହ୍ଲାଇ ଦେଇ ନିଜେ ଗାଡିଟିକୁ ନେଇ ନିଜ ଘରକୁ ପଳାଇ ଆସିଥିଲା । ସମସ୍ତ ବିଷୟ ନିଜ ପତ୍ନୀକୁ କହି ଗାଡିରେ ଥିବା ଶବଟିକୁ ସ୍ଥାନାନ୍ତର କରିବାର ଯୋଜନା ପ୍ରସ୍ତୁତ କରିଥିଲା ସୁଦାମ । ଏଥିପାଇଁ ସେ ନିଜ ମା’କୁ ଅସୁସ୍ଥ ଦର୍ଶାଇ ପତ୍ନୀ ସହ ଶଶୁରଘର ମଲିକାଦେଇପୁର ଆସି ମା’କୁ ସେଠାରେ ଛାଡିଥିଲା ଏବଂ ପତ୍ନୀର ଦେହ ଖରାପର ବାହାନାରେ ଭଦ୍ରକରେ ଡାକ୍ତରଦେଖାଇବାକୁ କହି ରାତି ପ୍ରାୟ ୮ଟା ବେଳେ ବହୁଦରଡା ସନ୍ନିକଟ ୫ନମ୍ବର ଜାତୀୟ ରାଜପଥର ବେଲମଳା ରାସ୍ତାପାଶ୍ୱର୍ ଏକ ପାଣିଥିବା ଖାଲରେ ସୁଚିସ୍ମିତାର ଶବକୁ ଫିଙ୍ଗି ଦେଇ ସକାଳେ ଶ୍ୱଶୁରଘରକୁ ପଳାଇ ଆସିଥିଲା । ୧୯ତାରିଖ ଦିନ ସକାଳେ ଗ୍ରାମାଞ୍ଚଳ ପୁଲିସ ଶବ ସଂପର୍କରେ ସୂଚନା ପାଇ ଜବତ କରିବା ସହିତ ଥାନାରେ ନଂ-୩୪/୧୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ପରବର୍ତ୍ତୀ ସମୟରେ ମୃତାଙ୍କ କକା ସୁବାସ ଚନ୍ଦ୍ର ପୁହାଣଙ୍କ ଏତଲାକ୍ରମେ କେଶ ନଂ-୨୯୧/୧୫, ଦଫା-୩୦୨ ଆଧାରରୋ ହତ୍ୟା ମାମଲାକୁ ପରିବର୍ତ୍ତନ କରିଥିଲା । ସେହିଦିନ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଦାସଙ୍କ ନିର୍ଦ୍ଧେଶକ୍ରମେ ଏସଡିପିଓ ସୁଧାକର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗ୍ରାମାଞ୍ଚଳ ଥାନାଧିକାରୀ ସୁଦର୍ଶନ ଗାେଙ୍ଗାଇ ଓ ଟାଉନ ଥାନାଧିକାରୀ ମନୋଜ ରାଉତଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା । ମୃତାଙ୍କ ମୋବାଇଲ ଉଭାନ ହୋଇଥିଲେ ମଧ୍ୟ କଲରେକର୍ଡ ଯାଞ୍ଚ କରି ଅଭିଯୁକ୍ତକୁ ତା’ର ପତ୍ନୀ ସହ ନିଜ ଘରୁ ଗିରଫ କରିଥିଲା । ସେମାନେ ବ୍ୟବହାର କରିଥିବା ଗାଡିଟିକୁ ପୁଲିସ ଜବତ କରିଛି । ଆଜି ଅଭିଯୁକ୍ତ ପତି-ପତ୍ନୀଙ୍କୁ କୋର୍ଟ ଚାଲାଣ କରାଯାଇ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି ।

ସେଆର କରନ୍ତୁ:



Powered by odothemes.com