Operation-speed-biker--60-bike-seized

ଅପରେସନ୍ ସ୍ପିଡ୍ବାଇକର୍: ୬୦ ବାଇକ୍ ଜବତ

48

ବାଲେଶ୍ୱର,୧୬ା୨(ଆପ୍ର): ଦ୍ରୁତ ଗାଡ଼ି ଚଳାଚଳ ଓ ନାବାଳକ ମାନଙ୍କ ଦ୍ୱାରା ବେପରୁଆ ବାଇକ ଚଲାଇବା ଦ୍ୱାରା ସହରର ବିଭିନ୍ନ ସମୟରେ ଘଟୁଥିବା ଦୁର୍ଘଟଣାକୁ କେନ୍ଦ୍ରକରି ବାଲେଶ୍ୱର ଟ୍ରାଫିକ୍ ଥାନା ଓ ସ୍ୱତନ୍ତ୍ର ଫୋର୍ସର ମିଳିତ ଉଦ୍ୟମରେ ଆରମ୍ଭ କରାଯାଇଥିବା ୪ର୍ଥ ଥର ‘ଅପରେସନ୍ ସ୍ପିଡ୍ବାଇକର୍’ ଓ ମାଇନର ଡେ’ ଦ୍ୱାରା ଟ୍ରାଫିକ ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି । ଟ୍ରାଫିକ ଥାନା ସବଇନ୍ସପେକ୍ଟର ପ୍ରଶାନ୍ତ କୁମାର ରଣସିଂହଙ୍କ ନେତୃତ୍ୱରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ବେବିଲିୟନ ଛକ ଠାରୁ ଆରମ୍ଭ କରି ଫକୀରମୋହନ କଲେଜ ଛକ ଶେଷରେ ପଢ଼ୁଆଁପଦା ଛକ ପର୍ଯ୍ୟନ୍ତ ଏହି ଅପରେସନ୍ ଚଳାଯାଇଥିଲା । ଏଥିରେ ଦ୍ରୁତ ଗତିରେ ଯାଉଥିବା ତଥା ଲାଇସେନ୍ସ ନଥିବା ମୋଟ ୬୦ଗୋଟି ବାଇକକୁ ଜବତ କରାଯାଇଛି । ତନ୍ମଧ୍ୟରୁ ୧୨ଜଣ ନାବାଳକଙ୍କ ବାଇକ ଜବତ କରାଯିବା ସହ ୫ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି । ସେହିପରି ମୋଟ ୧୭ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ୧୨ଜଣ ଗାଡ଼ିକଙ୍କ ଠୁଁ ଲିଖିତ ପ୍ରତିଶ୍ରୁତି ନିଆଯାଇଥିବାର ସୂଚନା ଦେଇଛନ୍ତି ଟ୍ରାଫିକ ସବଇନ୍ସପେକ୍ଟର ଶ୍ରୀ ରଣସିଂହ । ଗତ ୩ଟି ଚଢ଼ଉ ଅପେକ୍ଷା ଆଜିର ଚଢ଼ଉ ଦ୍ୱାରା ଏକ ବଡ଼ ସଫଳତା ମିଳିଛି ବୋଲି ଶ୍ରୀ ରଣସିଂହ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଉକ୍ତ ଅପରେସନରେ ହେଡକ୍ୱାର୍ଟରର ସ୍ୱତନ୍ତ୍ର ଟିମ୍ ପକ୍ଷରୁ ସାଧା ପୋଷାକରେ ମୋଟ ୨୦ଜଣ ଯୋଗ ଦେଇଥିବା ବେଳେ ଟ୍ରାଫିକ୍ ଥାନା ପକ୍ଷରୁ ଏଏସଆଇ ସପନ ବିଶ୍ୱାଳ, ଜଗନ୍ନାଥ ମାରାଣ୍ଡି, ସହଦେବ ସାହୁ, ରବୀନ୍ଦ୍ର ଟୁଡ଼ୁ, ଏମ.ଡି. ଅଲ୍ଲୀ, ଅର୍ଜୁନ ଜିହାନ୍ ପ୍ରମୁଖ ସାମିଲ ହୋଇଥିଲେ । ସୂଚନାଥାଉକି ଦ୍ରୁତଗତି ଗାଡ଼ି ଚଳାଚଳ ଓ ନାବାଳକଙ୍କ ଦ୍ୱାରା ବେପରୁଆ ଗାଡ଼ି ଚାଳନା ଯୋଗୁଁ ସହରରେ ଗତ ୧ବର୍ଷ ମଧ୍ୟରେ ଦ୍ରୁତ ଗତିରେ ଯାଉଊଥିବା ଦୁଇ ଚକିଆ ଓ ଚାରିଚକିଆ ଯାନ ଯୋଗୁଁ ପ୍ରାୟ ୬୦ରୁ ଉଦ୍ଧ୍ୱର୍ ଦୁର୍ଘଟଣା ଘଟିଥିବା ବେଳେ ୨୦ରୁ ଉଦ୍ଧ୍ୱର୍ ଲୋକଙ୍କ ପ୍ରାଣହାନି ଘଟିଛି । ତେବେ ଏହି ଦ୍ରୁତ ଗାଡ଼ି ଚାଳନାକୁ ଅଙ୍କୁଶ ଲଗାଇବାରେ ଟ୍ରାଫିକ ଥାନା ପୋଲିସ ଓ ପ୍ରଶାସନ ପକ୍ଷରୁ ବହୁବାର ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଏଥିରେ ସମ୍ପୁର୍ଣ୍ଣ ସଫଳତା ମିଳି ନଥିଲା ମାତ୍ର ଏହି ଅପରେସନ ପରେ ବହୁ ମାତ୍ରାରେ ଟ୍ରାଫିକ ସମସ୍ୟା ଦୂର କରାଯାଇପରିଛି । ଆଗକୁ ଏହିଭଳି ଅତର୍କତ ଚଢ଼ଉ ଜାରି ରହିବା ସହ ସହରବାସୀଙ୍କ ସହଯୋଗ ଆଶା କରିଛନ୍ତି ଟ୍ରାଫିକ ସବଇନ୍ସପେକ୍ଟର ଶ୍ରୀ ରଣସିଂହ ।

ସେଆର କରନ୍ତୁ:



Powered by odothemes.com