News-4---vlcsnap-2018-02-16-13h47m41s136

ଦାଦନ ଖଟିବାକୁଯାଇ ପଦନ ନିଖୋଜ

85

ଘଟଗାଁ ୧୬ ।୨ (ଆପ୍ର): ସରକାର ସମସ୍ତଙ୍କୁ ସବୁ ଦିନ ରୋଜଗାର ଯୋଗାଇ ଦେବା ପାଇଁ ନରେଗା ଯୋଜନା ପରି ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ତେବେ ଏହି ଯୋଜନା ପ୍ରଶାସନର ଆନ୍ତରିକ ଇଚ୍ଛାଶକ୍ତିର ଅଭାବରୁ ଫେଲ ମାରୁଥିବାବେଳେ ଅନେକ ଲୋକ ନିଜ ଅଞ୍ଚଳରେ କୌଣସି କାମ ଧନ୍ଦା ନପାଇ ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଉଥିବା ଦେଖାଯାଉଛି । ଏବଂ ବାହାର ରାଜ୍ୟକୁ ଖଟିବାକୁଯାଇ ବହୁ ଲୋକ ମଧ୍ୟ ନିଖୋଜ ହୋଇଯାଉଥିବାର ନଜିର ମଧ୍ୟ ରହିଛି । ଆଉ ଏମିତି ଦାଦାନ ଖଟିବାକୁ ଯାଇ ଏକ ମାସ ହେବ ନିଖୋଜ ହୋଇଯାଇଛନ୍ତି କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅର୍ନ୍ତଗତ ବୁଢିପଦା ଗ୍ରାମର ପଦନ ମହାରଣା(୪୯) । ଏପଟେ ପଦନଙ୍କ ନିଖୋଜ ଖବର ପାଇ ଭାଙ୍ଗି ପଡିଛନ୍ତି ଅସହାୟ ବିଧବା ବୁଢି ମା ଓ ସ୍ତ୍ରୀ ଆଉ ପଦନଙ୍କ ସନ୍ଧାନ ନେବା ପାଇଁ ଦୈତାରୀ ଥାନାର ଦ୍ୱାରସ୍ତ ହୋଇଛନ୍ତି କିନ୍ତୁ ଏଯାବତ ପୋଲିସର ତଦନ୍ତରେ କୌଣସି ସଫଳତା ମିଳି ପାରିନାହିଁ । କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅର୍ନ୍ତଗତ ବୁଢିପଦା ଗାଁର ପଦନ ମହାରଣାଙ୍କ ଘରେ ଏବେ ପଡିଛି କାନ୍ଦ ବୋବାଳି । କାନ୍ଦି କାନ୍ଦି ଗଡି ଯାଉଛନ୍ତି ପଦନଙ୍କ ମା ତାରି ମହାରଣା ଓ ଆଖିର ଲୁହକୁ ପୋଛି ସମସ୍ତଙ୍କୁ ଆଶ୍ୱାସନା ଦେବାକୁ ଚେଷ୍ଟା କରୁଛନ୍ତି ଧର୍ମପତ୍ନୀ ଗୌରୀ ମହାରଣା । ସୂଚନା ଅନୁଯାୟୀ, ପଦନ ଘରର ଏକମାତ୍ର ପୁଅ ଯିଏ ଦାଦନ ଖଟିବାକୁ ଯାଇ ବାଙ୍ଗାଲୋର ସହରରେ ନିଖୋଜ ହୋଇଯାଇଛନ୍ତି । ଗାଁରେ କିଛି କାମ ଧନ୍ଦା ନପାଇବାରୁ ପଦନଙ୍କୁ ସେହି ଗ୍ରାମର ବିପିନ ନାମକ ଜଣେ ଯୁବକ ଗତ ଜାନୁଆରୀ ମାସରେ କାମ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ବାଙ୍ଗାଲୋର ସହରକୁ ଡାକି ନେଇଯାଇଥିଲା, ଏବଂ କିଛି ଦିନ ତଳେ ପଦନ ବାଙ୍ଗାଲୋର ସହରରେ ନିଖୋଜ ହୋଇ ଯାଇଥିବା ଖବର ପଦନଙ୍କ ପରିବାର ଲୋକଙ୍କ ଜଣାଇଥିଲା । ସବୁଠୁ ଦୁଃଖଦ କଥା ଏହିକି ପଦନ ପାଠ ସାଠ ପଢିନାହାନ୍ତି କି ସେ ଓଡ଼ିଆ ଅକ୍ଷର ମଧ୍ୟ ପଢି ଶିଖି ନାହାନ୍ତି! ଯଦି ସେ ବାଙ୍ଗାଲୋରର କୌଣସି ସ୍ଥାନରେ ହଜିଯାଇଥିବେ ସେ କେମିତି ଘରକୁ ଫେରିବେ ସେଠାରେ କିଏ ତାଙ୍କୁ ଘରକୁ ଆସିବାରେ ସାହାଯ୍ୟ କରିବା ନେଇ ପରିବାର ଲୋକଙ୍କ ଚିନ୍ତା ଦ୍ୱିଗୁଣିତ ହେଉଥିବା ସହ ତାଙ୍କ ପାଖରେବି ଟଙ୍କା ପଇସା ଥିବ କି ନଥିବ ଏସବୁ ଭାବି ଘର ଲୋକଙ୍କ ପାଦ ତଳୁ ମାଟି ଖସିବା ଆରମ୍ଭ କରିଛି । ତଥାପି କାଳେ ପଦନ ଘରକୁ ଫେରି ଆସିବେ ତାହା ଭାବି ପଦନଙ୍କ ଫେରିବା ବାଟକୁ ୧୫ଦିନରୁ ଉଦ୍ଧ୍ୱର୍ ହେବ ଅପେକ୍ଷା କରି ରହଛନ୍ତି ସ୍ତ୍ରୀ ଓ ବୁଢୀ ମା । ସାଙ୍ଗରେ ନେଇଥିବା ଲୋକେ ଖବର କରୁଥିଲେ କି ସେ କୁଆଡେ ଚାଲି ଯାଇଛନ୍ତି ସେଠାରେ କେହି ମଧ୍ୟ ତାଙ୍କୁ ପାଉ ନାହାନ୍ତି । ଦିନ ପରେ ଦିନ ବିତି ଚାଲିଥିଲେ ମଧ୍ୟ ପଦନ ନଫେରିବାରୁ ଏବେ ପରିବାର ଲୋକେ ନିରୁପାୟ ହୋଇ ଦୈତାରୀ ଥାନାର ଦ୍ୱାରସ୍ତ ହୋଇଛନ୍ତି । ତେବେ ଅଭିଯୋଗର ପାଞ୍ଚ ଦିନ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଏନେଇ କୌଣସି ଖବର ପାଇନାହିଁ । ଅନ୍ୟ ପକ୍ଷରେ ପୋଲିସ ତଦନ୍ତ ଚାଲିଥିବା କହି ନିଜ ଉପରୁ ଦୋଷ ଛଡାଇବାକୁ ଚେଷ୍ଟା କରୁଛି ।

ସେଆର କରନ୍ତୁ:



Powered by odothemes.com