୨୯୧୯ କେନ୍ଦ୍ରରେ ୬ ଲକ୍ଷ ପରୀକ୍ଷାର୍ଥୀ

50

୨୩ରୁ ମାଟ୍ରିକ୍ ପରୀକ୍ଷା
କଟକ/ଭୁବନେଶ୍ୱର, ୧୫ ।୨(ବୁ୍ୟରୋ): ଚଳିତ ବର୍ଷ ଫେବୃୟାରୀ ୨୩ରୁ ମାର୍ଚ୍ଚ ମାସ ୮ ତାରିଖ ମଧ୍ୟରେ ହେବାକୁ ଥିବା ମାଟି୍ରକ୍ ପରୀକ୍ଷାରେ ନିରାପତ୍ତା ବ୍ୟବସ୍ଥା ଏବଂ କପି ରୋକିବା ଉପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି । ଗୁରୁବାର ଏ ସମ୍ବନ୍ଧରେ ରାଜ୍ୟ ସଚିବାଳୟଠାରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ି ଜିଲ୍ଲାପାଳ ଏବଂ ଏସ୍ପିମାନଙ୍କ ସହ ସିଧାସଳଖ ଆଲୋଚନା କରି ପରୀକ୍ଷାର ପ୍ରାକ୍ ପ୍ରସ୍ତୁତି ସମୀକ୍ଷା କରିଥିଲେ । ନୋଡାଲ ସେଣ୍ଟର, ପରୀକ୍ଷା କେନ୍ଦ୍ର ଏବଂ ମୂଲ୍ୟାୟନ କେନ୍ଦ୍ରଗୁଡିକରେ ପ୍ରୋଟୋକଲ୍ ଅନୁଯାୟୀ ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବାକୁ ମୁଖ୍ୟ ସଚିବ ନିଦେ୍ର୍ଦଶ ଦେଇଛନ୍ତି । ତାଛଡ଼ା ପରୀକ୍ଷା କେନ୍ଦ୍ରରେ କପି ବନ୍ଦ କରିବା ନିମନ୍ତେ ସମସ୍ତ ନିୟମର କଡ଼ାକଡ଼ି ଅନୁପାଳନ ଉପରେ ମଧ୍ୟ ଶ୍ରୀ ପାଢ଼ି ଗୁରୁତ୍ୱାରୋପ କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଜଣାଇଥିଲେ ଯେ, ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ନିଜ ନିଜ ବିଦ୍ୟାଳୟରେ ପରୀକ୍ଷା ଦେବେ ନାହିଁ । ସବୁ ବିଦ୍ୟାଳୟମାନଙ୍କ ପାଇଁ ଭିନ୍ନ ଭିନ୍ନ ପରୀକ୍ଷା କେନ୍ଦ୍ର କରାଯାଇଛି । ସାଧାରଣତଃ ବିଦ୍ୟାଳୟଠାରୁ ୧୦ କି.ମି. ଦୂରତା ମଧ୍ୟରେ ପରୀକ୍ଷା କେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି । ଶ୍ରୀ ମହାପାତ୍ର ଆହୁରି ମଧ୍ୟ ଜଣାଇଥିଲେ ଯେ, ଚଳିତ ବର୍ଷ ବୋର୍ଡର ୫,୯୦,୬୩୬୦, ରାଜ୍ୟ ମୁକ୍ତ ବିଦ୍ୟାଳୟର ୧୩,୯୭୮ ଏବଂ ମଧ୍ୟମାର ୩,୭୧୫ ଏହିପରି ସମୁଦାୟ ୬,୦୮,୦୫୩ ଜଣ ଛାତ୍ରଛାତ୍ରୀ ମାଟି୍ରକ୍ ପରୀକ୍ଷା ଦେବେ । ସେମାନଙ୍କ ପାଇଁ ସମୁଦାୟ ୨୯୧୯ଟି ପରୀକ୍ଷା କେନ୍ଦ୍ର, ୩୦୨ଟି ନୋଡାଲ ସେଣ୍ଟର ଏବଂ ୫୭ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ପ୍ରତି କେନ୍ଦ୍ର ବିଷୟରେ ବୋର୍ଡର ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନଙ୍କର ଆଡମିଟ୍ କାର୍ଡ ମଧ୍ୟ ୱେବ୍ସାଇଟ୍ରେ ଦିଆଯାଇଛି । ତାଛଡ଼ା ସେମାନଙ୍କୁ ଛାପା ଆଡ୍ମିଟ୍ କାର୍ଡ ବିଦ୍ୟାଳୟ ମାନଙ୍କ ମାଧ୍ୟମରେ ଆଜିଠାରୁ ଯୋଗାଇ ଦିଆଯିବ । କପିବନ୍ଦ କରିବା ପାଇଁ ପରୀକ୍ଷାର୍ଥୀ ମାନଙ୍କର ପ୍ରବେଶ ସମୟରେ ୧୦୦% ତନଖି ଓ ଅନ୍ୟାନ୍ୟ ପଦକ୍ଷେପ ବିଷୟରେ ମଧ୍ୟ ପ୍ରମୁଖ ଶାସନ ସଚିବ ସୂଚନା ଦେଇଥିଲେ । ଚଳିତ ବର୍ଷ ଅବସର ପ୍ରାପ୍ତ ଶିକ୍ଷକମାନଙ୍କୁ ପରୀକ୍ଷା ଇନ୍ଭିଜିଲେଟର ଭାବେ ନିୟୋଜିତ ନକରିବା ପାଇଁ କୁହାଯାଇଥିଲା । ବରଗଡ ଜିଲ୍ଲାରେ ମାତ୍ର ୭ଟି ପରୀକ୍ଷା କେନ୍ଦ୍ରରେ ୧୩ଟି ଭୋଟିଂ ବୁଥ୍ ରହିଛି । ଏକ ଦିନ ଓ ସମୟରେ ନିର୍ବାଚନ ଓ ପରୀକ୍ଷା ନିର୍ଘଣ୍ଟ ନଥିବାରୁ ଉଭୟ କାର୍ଯ୍ୟ ସମ୍ପାଦନରେ ଅସୁବିଧା ନହେବା ପାଇଁ କରାଯାଇଥିବା ବ୍ୟବସ୍ଥା ବିଷୟରେ ମଧ୍ୟ ଶ୍ରୀ ମହାପାତ୍ର ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ଅବଗତ କରାଇଥିଲେ । ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଜାହାନ୍ଆରା ବେଗମ୍ ଜଣାଇଥିଲେ ଯେ ଚଳିତ ବର୍ଷ ପ୍ରତି ବିଷୟରେ ୫୦ ମାର୍କର ଅତି ସଂକ୍ଷିପ୍ତ (ଅବ୍ଜ୍କେଟିଭି) ପ୍ରଶ୍ନୋତ୍ତର ନିମନ୍ତେ ଓଏମ୍ଆର୍ସିଟି ବ୍ୟବହାର କରାଯିବ । ଅବଶିଷ୍ଟ ୫୦ ମାର୍କ ପାଇଁ ନିର୍ଦ୍ଧାରିତ ସ୍ଥାନଥିବା ପ୍ରଶ୍ନ ତଥା ଉତ୍ତରଖାତା ଯୋଗାଇ ଦିଆଯିବ । ପ୍ରତି ଓଏମ୍ଆର୍ ସିଟ୍ରେ ବାରକୋର୍ଡ ନମ୍ବର ରହିବ ଯାହାର ବୈଧତାକୁ ମୂଲ୍ୟାୟନ ସମୟରେ କମ୍ପୁ୍ୟଟର୍ ମାଧ୍ୟମରେ ତନଖି କରାଯିବ । ନୋଡାଲ୍ ସେଣ୍ଟରରେ ପ୍ରଶ୍ନ ତଥା ଉତ୍ତରଖାତା ସଠିକ୍ ସମୟରେ ଗଚ୍ଛିତ ରଖାଯିବ ଓ ସେଠାରୁ ପରୀକ୍ଷାର ଦିନକ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇ ଦିଆଯିବ । ପ୍ରଶ୍ନ ଓ ଉତ୍ତର ପତ୍ର ନେବା ଆଣିବା ସମୟରେ କଡା ନିରପତ୍ତା ବ୍ୟବସ୍ଥା କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ପୁଲିସ୍ ଆଇଜି ଶ୍ରୀ ଅମିତାଭ୍ ଠାକୁର ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି ଓ ସଂପାଦକ ରାମାଶିସ୍ ହାଜ୍ରାଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଭିଡିଓ କନ୍ଫେରେନ୍ସିଂ୍ରେ ଯୋଗଦେଇ ପରୀକ୍ଷା ପରିଚାଳନା ସମ୍ବନ୍ଧିତ ବିଭିନ୍ନ ଦିଗ ବିଷୟରେ ଆବଶ୍ୟକୀୟ ସ୍ପଷ୍ଟିକରଣ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com