DHANJAYA-SETU

୨୫ ବର୍ଷ ହେଲା ସରୁନି ଧନଞ୍ଜୟ ସେତୁ

142

ପିଲର୍ ଦବି ବଙ୍କା ହୋଲାଣି, ଫାଟ ଦିଶିଲାଣି
ଚଣ୍ଡିଖୋଲ(ଆପ୍ର): ବଡ଼ଚଣା ବ୍ଲକ୍ ବଡ଼ଗେଙ୍ଗୁଟି ନଦୀ ଉପରେ ଅରଖପୁର ଠାରେ ମାହାଙ୍ଗା ଓ ବଡ଼ଚଣା ବ୍ଲକ୍କୁ ସଂଯୋଗ କରିବା ପାଇଁ ନିର୍ମାଣାଧୀନ ଧନଞ୍ଜୟ ସେତୁକୁ ୨୫ ବର୍ଷ ବିତିଲାଣି । ତଥାପି କାମ ସରୁନି । ବଡ଼ଚଣା ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ କରାଯାଉଥିବା ସମ୍ପୃକ୍ତ ସେତୁର ବିଭିନ୍ନ ସ୍ଥାନରେ ନିର୍ମାଣାଧୀନ ଅବସ୍ଥାରେ ଫାଟ ସୃଷ୍ଟି ହୋଇଛି । ଯାହାକି ଭବିଷ୍ୟତ ପାଇଁ ବିପଦ ହେବବୋଲି ଆଶଙ୍କା ସୃଷ୍ଟି ହୋଇଛି । ପ୍ରଥମେ ଏହାର ଗୋଟିଏ ପିଲର୍ରେ ଫାଟ ହୋଇଥିବା ବେଳେ ଠିକାଦାରୀ ସଂସ୍ଥା ପକ୍ଷରୁ ଏହାକୁ ତାଳିପକା ଯାଇ ପଲସ୍ତରା କରି ଫାଟ ବନ୍ଦ କରାଗଲା । ଏବେ ସେତୁର ଗୋଟିଏ ପିଲର୍ର ଏକ ପାଖ ଦବିଯିବା ଦ୍ୱାରା ପିଲର୍ଟି ବଙ୍କା ହୋଇଯାଇଛି । ସେତୁ ନିର୍ମାଣ ପାଇଁ ଦୀର୍ଘ ୨୫ ବର୍ଷ ତଳେ ୧୯୯୩ରେ ଶୁଭ ଦିଆଯାଇଥିଲା ବେଳେ ବଡ଼ଚଣାର ପୂର୍ବତନ ବିଧାୟକ ଧନଞ୍ଜୟ ଲେଙ୍କାଙ୍କ ନାମରେ ନାମିତ କରି ଏହାକୁ ଧନଞ୍ଜୟ ସେତୁ ବୋଲି ନାମକରଣ ଦିଆଯାଇଥିଲା । ୧୨ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣଧୀନ ସେତୁକୁ ୧୯୯୩ରେ ତତ୍କାଳୀନ ବିଭାଗୀୟ ମନ୍ତ୍ରୀ ସ୍ୱର୍ଗତ ନଳିନୀ ମହାନ୍ତି ଏହି ନଦୀ ଉପରେ ବାଇଶିମୌଜା ଘାଟକୂଳ ଠାରେ ନିର୍ମାଣ ପାଇଁ ଶୁଭ ଦେଇଥିଲେ । ଏହି ସେତୁର ବାରମ୍ବାର ଟେଣ୍ଡର ହେଲା ପରେ କେତେକ ଠିକାଦାର ଠିକା ନେଇ କାର୍ଯ୍ୟ ଅଧାକରି ଛାଡ଼ି ପଳାଇଯାଇଥିଲେ । ଗତ ୨୦୧୫ର ଏହାର ପୁଣିଥରେ ଟେଣ୍ଡର କରାଯାଇ କାମ ଆରମ୍ଭ ହୋଇଛି । ତେବେ ଏହାକୁ ନେଇଥିବା ଠିକା କମ୍ପାନୀ କାର୍ଯ୍ୟ ନିମ୍ନମାନର କରୁଥିବା ବେଳେ ତଦାରଖ ପାଇଁ କୌଣସି ବିଭାଗୀୟ ଅଧିକାରୀ ସେଠାକୁ ଯାଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କିଛି ଦିନ ହେବ ନିର୍ମାଣଧିନ ସେତୁର ଚତୁର୍ଥ ପିଲରଟି ଦବିଯାଇଛି । ଏହାର ଗୋଟିଏ ପାଶ୍ୱର୍ ଦବିଗଲାପରେ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ବିଭାଗର ଅଧିକାରୀମାନେ ଏହାର ତଦାରଖ କରିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନନେଇ ସେହି ପିଲର୍ ଉପରେ ସେତୁ କାର୍ଯ୍ୟ କରିବା ପାଇଁ ପ୍ରୟାସ ଚଳାଇଛନ୍ତି । ଏ ସମ୍ପର୍କରେ ବଡ଼ଚଣା ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରୋହିତ କୁମାର ବିଶ୍ୱାଳଙ୍କୁ ପଚାରିବାରେ ସେ କୁହନ୍ତି ଦୀର୍ଘଦିନ ହେଲା ସେତୁ କାର୍ଯ୍ୟ ହୋଇପାରୁନଥିବାରୁ ବିଭାଗ ତରଫରୁ ଶୀଘ୍ର ଶେଷ କରିବା ପାଇଁ ଠିକା କମ୍ପାନୀକୁ କୁହାଯାଇଛି । ଯଦି କୌଣତ୍ସ ତ୍ରୁଟି ସେତୁ ନିର୍ମାଣରେ ଦେଖାଦିଏ ତାହା ହେଲେ ତାହାକୁ ସୁଧାରିବାକୁ ପଦକ୍ଷେପ ନିଆଯିବ ବୋଲି ସେ ସଫେଇ ଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠେ ଦୀର୍ଘ ୨୫ ବର୍ଷ ମଧ୍ୟରେ ନାନା ସମସ୍ୟା ଦେଖାଦେଇଥିବା ବେଳେ ଏବେ ଖୁବ୍ କମ୍ ସମୟ ଭିତରେ ସେତୁ କାମ କିପରି ସରିବ? ବିଭାଗୀୟ ରୁଗ୍ଣ ମାନସିକତା ନା ଠିକାଦାରୀ ସମସ୍ୟା?

ସେଆର କରନ୍ତୁ:



Powered by odothemes.com