Jayapur-Mega-water-supply-procet

ଶୋଷ ମେଣ୍ଟାଇବ ମୁରାନ ମେଗା ପାନୀୟ ଜଳ ପ୍ରକଳ୍ପ

31

ଜୟପୁର (ଦେବୀ ପ୍ରସାଦ ମହାନ୍ତି): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପକୁ ମିଳିଛି ପ୍ରଶାସନିକ ମଞ୍ଜୁରୀ । ରାଜ୍ୟ ସରକାର ଏଥିପାଇଁ ଖର୍ଚ୍ଚ ଅଟକଳ କରିଛନ୍ତି ୩୭୨ କୋଟି ଟଙ୍କା । ଏହି ପ୍ରକଳ୍ପ ଦ୍ୱାରା ଜୟପୁର ଉପଖଣ୍ଡର ବୋରିଗୁମ୍ମା, ଜୟପୁର ଓ କୋଟପାଡ଼ ବ୍ଲକର ୫୧ଟି ପଞ୍ଚାୟତର ବାସିନ୍ଦା ଉପକୃତ ହେବେ । ପାଇପ ଯୋଗେ ବିଶୁଦ୍ଧ ପିଇବା ପାଣି ପାଇପାରିବେ ୨୫୭ ଖଣ୍ଡ ଗାଁର ୬୯୪ଟି ଜନ ବସତିର ୨ ଲକ୍ଷ ୭୫ ହଜାର ଜନସାଧାରଣ । ଏହି ମେଗା ପ୍ରକଳ୍ପ ପାଇଁ ଆନ୍ତର୍ଜାତୀୟ ସ୍ତରର ଟେଣ୍ଡର ଆହ୍ୱାନ କରାଯାଇଛି । ଟେଣ୍ଡର କାମ ସହ ଅନ୍ୟାନ୍ୟ ଚୁକ୍ତି ସରିଲେ ଆସନ୍ତା ମାର୍ଚ୍ଚ ମାସପରେ ଏହି ପ୍ରକଳ୍ପର କାମ ଆରମ୍ଭ ହେବ । ଆସନ୍ତା ୫ ବର୍ଷ ମଧ୍ୟରେ ଉକ୍ତ ପ୍ରକଳ୍ପର କାମ ସମ୍ପୂର୍ଣ୍ଣ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଏହି ମେଗା ପାନୀୟ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବୋରିଗୁମ୍ମା ବ୍ଲକର ୨୮ଟି ପଞ୍ଚାୟତରେ ଥିବା ୩୩୦ ଜନବସତିର ୧ ଲକ୍ଷ ୪୬ ହଜାର ଲୋକ ଉପକୃତ ହେବେ । ପଡ଼ୋଶୀ କୋଟପାଡ଼ ବ୍ଳକର ୧୬ ପଞ୍ଚାୟତର ୨୩୮ ଜନବସତିରେ ପ୍ରାୟ ୯୫ ହଜାର ଓ ଜୟପୁର ବ୍ଲକ ଅନ୍ତର୍ଗତ ୭ ପଞ୍ଚାୟତର ୧୨୬ ଜନବସତିରେ ପ୍ରାୟ ୩୪ ହଜାର ଅଧିବାସୀ ପିଇବାପାଣି ପାଇବେ । ଏହି ପ୍ରକଳ୍ପ ମୋରାନ ଡ୍ୟାମ ନିକଟରେ ପ୍ରତିଷ୍ଠା ହେବାର ସମ୍ଭାବନା ରହିଛି । ମୋରାନ ଡ୍ୟାମରୁ ପାଣି ଅଣାଯାଇ ଇନଟେକ୍ କୁଣ୍ଡରେ ରଖାଯିବ । ସେଠାରେ ଏକ ଜଳ ବିଶୋଧନାଗାର ପ୍ରତିଷ୍ଠା କରାଯାଇ ପାଇପ ଯୋଗେ ବିଶୁଦ୍ଧ ପାଣି ଉପରୋକ୍ତ ୫୧ ପଞ୍ଚାୟତର ଲୋକଙ୍କୁ ଯୋଗାଇଦିଆଯିବ । ପ୍ରକଳ୍ପ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ପିଇବାପାଣି ସମସ୍ୟା ପ୍ରାୟ ଦୂର ହୋଇପାରିବ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ବାରମ୍ବାର ଦାବି ପରେ ସରକାର ଏହି ପ୍ରକଳ୍ପ ପାଇଁ ହଁ ଭରିଥିଲେ । ପ୍ରଥମେ ୩୩୯.୦୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ପରେ ଏଥିରେ କିଛି ସଂଶୋଧନ କରାଯାଇ ୩୭୨ କୋଟି ଟଙ୍କା ଅଟକଳ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପର ଡିପିଆର୍ କଲିକତାର ଏକ ଫାର୍ମ ପ୍ରସ୍ତୁତ କରିଛି । ଡିପିଆର୍ ପ୍ରସ୍ତୁତ ପୂର୍ବରୁ ଇନ୍ଦ୍ରାବତୀ ନଦୀରୁ ପାଣି ଅଣାଯାଇ ପ୍ରକଳ୍ପ ଆରମ୍ଭ କରାଯିବା ନେଇ ଯୋଜନା କରାଯାଇଥିଲା । ପରେ ନଦୀରୁ ଆବଶ୍ୟକ ପାଣି ମିଳିବାରେ ଅସୁବିଧା ହେବାରୁ ମୋରାନ ଡ୍ୟାମରୁ ପାଣି ଅଣାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ପ୍ରକଳ୍ପ ନିର୍ମାଣ ପାଇଁ ଆନ୍ତର୍ଜାତିକ ସ୍ତରୀୟ ଏକାଧିକ କଂପାନୀ ଟେଣ୍ଡର ପ୍ରକି୍ରିୟାରେ ସାମିଲ ହୋଇଛନ୍ତି । ସବୁକାମ ଠିକ୍ଠାକ୍ ଚାଲିଲେ ମାର୍ଚ୍ଚ ପରେ କାମ ଆରମ୍ଭ ହେବ । ଜନସାଧାରଣ ସହଯୋଗର ହାତ ବଢାଇଲେ ପାଣିପାଇଁ ଆଉ ଡହଳବିକଳ ହେବେ ନାହିଁ ବୋଲି ଶ୍ରୀ ବାହିନୀପତି ଆଶା ବ୍ୟକ୍ତ କରିଛନ୍ତି ।




Powered by odothemes.com