BOAT---2018-PHOTO-TIHIDI

ଉତ୍ତାଳ ସମୁଦ୍ରରେ ବିପଜ୍ଜନକ ଯାତ୍ରା

55

ତିହିଡି, (ବବିତା ପତି): ଛୋଟ ଛୋଟ ନଦୀର ଏ କୂଳରୁ ସେ କୂଳକୁ ପାରି ହେବାପାଇଁ ଯେଉଁଠି ପୋଲ ନ ହୋଇ ପାରୁଛି ସେଠାରେ ଡଙ୍ଗା ଦ୍ୱାରା ପାର ହେଉଛନ୍ତି ଯାତ୍ରୀ । କିନ୍ତୁ ମୁହାଁଣରେ ସମୁଦ୍ରର ଉତ୍ତାଳ ଢେଉରେ କାଠ ଡଙ୍ଗା ଦ୍ୱାରା ବିପଜ୍ଜନକ ଅବସ୍ଥାରେ ଚାଲିଛି ଯାତ୍ରୀସେବା । କେତେବେଳେ କ’ଣ ହେବ ତାହା କହି ହେବନି । ଲଘୁଚାପ ବର୍ଷା ଓ ପବନ ସମୁଦ୍ର ମୁହାଁଣକୁ ଅଶାନ୍ତ କରିଛି । ମୁହାଁଣରେ ଢେଉ ଯେଉଁପରି ଆସୁଛି ସେଥିରେ ଯେ କେହି ଭୟଭୀତ ହେବ । ତଥାପି ଚାଲିଛି ଧାମରା ଓ ଚନ୍ଦିନିିପାଳରୁ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆକୁ ଡଙ୍ଗାରେ ଯାତ୍ରୀ ସେବା । ଏହି ବିପଦପୂର୍ଣ୍ଣ ଘାଟଡଙ୍ଗା ସେବା ପାଇଁ କେହି ବି ଉଦ୍ବିଗ୍ନ ନୁହନ୍ତି । ଯଦି କିଛି ଅଘଟଣ ଘଟେ କିଏ ଦାୟୀ ରହିବ? ମନ୍ତେଇ, ରେବ, ଗେଙ୍ଗୁଟି ଓ ସାଳନ୍ଦୀ ନଦୀରେ ମଧ୍ୟ ଅଧିକାଂଶ ସ୍ଥାନରେ ଘାଟଡଙ୍ଗା ପ୍ରଚଳିତ । ମନ୍ତେଇ ନଦୀର ଦୋହରାସାହି ଘାଟ, ଚାରିବାଟିଆ ଘାଟ, ବାଂଶଡାଘାଟ, ବାଲିଆପାଳ ଘାଟରେ ପଞ୍ଚାୟତ ତରଫରୁ ଟେଣ୍ଡର ମାଧ୍ୟମରେ ଡଙ୍ଗା ଚଳାଇବା ପାଇଁ ବ୍ୟବସ୍ଥା ହେଉଥିଲା ବେଳେ ସାଳନ୍ଦୀ ଓ ଗେଙ୍ଗୁଟିର ତିନ୍ତର, ରେବ ଆଦି ସ୍ଥାନରେ ଡଙ୍ଗା ପରିବହନ ବ୍ୟବସ୍ଥା ପ୍ରଚଳିତ ହେଉଛି । କିନ୍ତୁ ଧାମରା ମୁହାଁଣରେ ଯେଉଁ ବିପଦପୂର୍ଣ୍ଣ ଘାଟଡଙ୍ଗା ପ୍ରଚଳିତ ହେଉଛି ତାହା ଦେଖିବାକୁ କେହି ନାହିଁ । ଧାମରା ଠାରୁ ୭ କିଲୋମିଟର ଦୂରରେ ଥିବା ଚନ୍ଦିନିପାଳ ନିକଟବର୍ତ୍ତୀ କାଣ୍ଡନାଳି ଘାଟରୁ କାଠ ଡଙ୍ଗାରେ ପାରି ହେଉଛନ୍ତି ଯାତ୍ରୀ କେନ୍ଦ୍ରାପଡା ଜିଲ୍ଲାକୁ । କୌତୁହଳର କଥା ଯେ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ ଠାରେ ଘାଟଡଙ୍ଗା ପ୍ରଚଳନ ପାଇଁ ଟେଣ୍ଡର ହେଉଛି ଓ ସେଥିରେ ସାମିଲ ହୋଇଛନ୍ତି ଭଦ୍ରକ ବାସିନ୍ଦା । ବଡବଡ ଆହୁଲାମରା କାଠଡଙ୍ଗାରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀଙ୍କୁ ନିଆଯାଉଛି । ଟ୍ରେକର ଓ ବସ୍ରେ ଅଧିକ ଯାତ୍ରୀ ନେଲେ ପରିବହନ ବିଭାଗ ଅଧିକାରୀ ଜୋରିମାନା କରୁଛନ୍ତି । କିନ୍ତୁ ଚନ୍ଦିନିପାଳରୁ ତାଳଚୁଆକୁ ଚାଲୁଥିବା ଏହି ଘାଟଡଙ୍ଗା ଅତ୍ୟଧିକ ଯାତ୍ରୀନେଇ ଯାତ୍ରା କରୁଥିଲା ବେଳେ କିଏ ଧରିବ? ସବୁ ଯାତ୍ରୀ ଡଙ୍ଗାରେ ବସିଲା ବେଳେ ଅଭିଯୋଗ କରୁଛନ୍ତି ଆବଶ୍ୟକତା ଠାରୁ ଏତେ ସଂଖ୍ୟକ ଲୋକ ନିଅ ନାହିଁ । ଟେଣ୍ଡର ନେଇଥିବା ମାଲିକ ବୁଝିବାକୁ ନାରାଜ୍ । ଖାଲି ଯାତ୍ରୀ ନୁହେଁ ସାଇକେଲ୍ ଓ ବାଇକ୍ ଏକା ସାଙ୍ଗରେ ୨୦ରୁ ଅଧିକ ଲଦା ଯାଇ ପାରିହେଉଛି । ତୁରନ୍ତ ଭଦ୍ରକ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।




Powered by odothemes.com