News-2---Water

ପୁରୁଣାପାଣିରେ ପିଇବା ପାଣି ସାତସପନ

62

ଘଟଗାଁ,୧୪ା୨(ଆପ୍ର): ଦେଶ ଓ ରାଜ୍ୟର ବିକାଶ ହେଉଥିବାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ଆଜିବି ଏମିତି କିଛି ଗାଁ ଅଛି ଯେଉଁଠାରେ ଲୋକେ ବର୍ଷ ତମାମ ଟିକେ ବିଶୁଦ୍ଧ ପିଇବା ପାଣି ପାଇ ପାରୁ ନାହାନ୍ତି ଯାହା ଆମର ପ୍ରକୃତ ବିକାଶର ଧାରାକୁ ଅଙ୍ଗୁଳି ନଦେ୍ର୍ଦଶ କରୁଛି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧୁ୍ୟଷିତ କେନ୍ଦୁଝର ଜିଲ୍ଲା ବଡସିଆଳିମାଳ ଗାଁର ପୁରୁଣାପାଣି ସାହିରେ । ସ୍ୱାଧୀନତାର ୭୧ବର୍ଷ ପରେ ମଧ୍ୟ ଏଠାରେ ବସବାସ କରୁଥିବା ୫୦ ପରିବାର ବୁନେ୍ଦ ବିଶୁଦ୍ଧ ପାନୀୟଜଳ ପାଇଁ ବର୍ଷ ତମାମ ଗାଁ ମୁଣ୍ଡରେ ଥିବା ଚୁଆ ଉପରେ ନିର୍ଭର କରିଥାନ୍ତି । ଅନ୍ୟ ପକ୍ଷରେ ଖରାଦିନେ ଏଠାକୁ ଟ୍ୟାଙ୍କରଯୋଗେ ପାଣି ଯୋଗାଇ ଦିଆଯାଉଥିବା କହି ନିଜ ଉପରୁ ଦୋଷ ଛଡାଇବାକୁ ଚେଷ୍ଟା କରିଛି ବ୍ଲକ ପ୍ରଶାସନ । ଆଦିବାସୀ ଅଧୁ୍ୟଷିତ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବଡ ସିଆଡିମାଳ ଗାଁ ପୁରୁଣାପାଣି ସାହିର ଗାଁ ମୁଣ୍ଡରେ ଅଛି ଏକ ଚୁଆ । ଏହି ଚୁଆର ପାଣି ଉପରେ ଗାଈଗୋରୁ, ଛେଳିମେଣ୍ଢା ଠାରୁ ଆରମ୍ଭ କରି ପୁରୁଣାପାଣି ସାହିର ୫୦ଆଦିବାସୀ ପରିବାର ବର୍ଷତମାମ ନିର୍ଭରଶୀଳ । ଏହି ଚୁଆଟି ବେଙ୍ଗ, ପୋକଜୋକଭର୍ତ୍ତି ହୋଇଥିବାବେଳେ ପାଣିରେ ପଚାପତ୍ର ଓ ଦଳ ପଡିରହି ପାଣି ଏବେ ବ୍ୟବହାର ଅନୁପଯୋଗୀ ହୋଇଯାଇଛି । ତଥାପି ଏମିତି ପାଣିକୁ ନିଜର ପାନୀୟଜଳ ଭାବେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଏହି ଆଦିବାସୀମାନେ । ଦିନର ଆରମ୍ଭରେ ଗାଁ ଲୋକେ ଘରଠାରୁ ପ୍ରାୟ ୨କିମି ଦୂର ଏହି ଚୁଆକୁ ଧାଇଁ ଆସିଥାନ୍ତି ପାଣି ପାଇଁ ଯାହା ଆମ ବିକାଶର ଦୃଶ୍ୟମାନ କରାଉଛି । ଏହି ଚୁଆର ଦୂଷିତ ପାଣି ପିଇବାକୁ ପୁରୁଣାପାଣି ସାହିର ଲୋକେ ବାଧ୍ୟ ହେଉଥିବା ବେଳେ କେହି କେହି ପାଣିକୁ ଲୁଗାରେ ଛାଣି ଘରକୁ ନେଉଥିବା ଦେଖିବାକୁ ମିଳିଥିବାବେଳେ ଆଉ କେହି ପାଣିକୁ ନେଇ କିଛି ସମୟ ଘରେ ରଖି ଅପରିଷ୍କାର ପଦାର୍ଥ ତଳେ ବସିଗଲା ପରେ ପାଣିକୁ ପିଇବା ପାଇଁ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା । ତେବେ ଦୂଷିତ ପାଣି ପିଇ ଏହି ଗ୍ରାମର ବହୁ କୋମଳମତୀ ଶିଶୁ ବିଭିନ୍ନ ପ୍ରକାରର ଚର୍ମରୋଗ ଓ ଅପପୁଷ୍ଟି ପରି ରୋଗରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହେଉଥିବା ପୂର୍ବରୁ ନଜିର ରହିଛି । ଅନ୍ୟପକ୍ଷରେ ଏଠାକାର ଲୋକେ ତାଙ୍କ ସମସ୍ୟା ନେଇ ରାଜନେତାଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ ସେମାନଙ୍କୁ କେବଳ ମିଛ ପ୍ରତିଶ୍ରୁତି ମିଳୁଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ । ତେବେ ପୁରୁଣାପାଣି ସାହିର ଲୋକଙ୍କ ସମସ୍ୟା ସମ୍ବନ୍ଧରେ ହରିଚନ୍ଦନପୁର ବିଡିଓ କହିଛନ୍ତି, ଗାଁର ଘରକୁ ଘର ମଧ୍ୟରେ ବହୁତ ଦୂରତା ରହିଯାଉଥିବାରୁ ସେଠାରେ ବୋରୱେଲ ଖନନ ସମ୍ଭବ ହେଉନାହିଁ ଓ ଖରାଦିନେ ସେଠାକୁ ଟ୍ୟାଙ୍କରଯୋଗେ ପାଣି ପଠାଯାଉଛି ବୋଲି କହିଛନ୍ତି । ସରକାର ତୁରନ୍ତ ଏହି ୫୦ ଆଦିବାସୀ ପରିବାର ପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।




Powered by odothemes.com