mgnarega

୧ଠଠ ବଦଳରେ ୪୫ ଦିନ ଲାଗି କେନ୍ଦ୍ରର ଚାପ

121

ସୁପ୍ରିମ୍କୋର୍ଟରେ ଏମ୍ଜିନରେଗା ମାମଲା
ନୂଆଦିଲ୍ଲୀ, ୧୩ା୨: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଆଇନ (ଏମ୍ଜିନରେଗା)ରେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ସେମାନଙ୍କ ଦାବି ମୁତାବକ ଅର୍ଥ ପ୍ରଦାନ କରୁନାହାନ୍ତି । ଏହି ଆଇନ ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଷିକ ୧୦୦ ଦିନ କାମ ଦେବା କଥା । ଅଥଚ କେନ୍ଦ୍ର ସରକାର ତଦନୁଯାୟୀ ଅର୍ଥ ପ୍ରଦାନ ନକରି ରାଜ୍ୟଗୁଡିକୁ ସେମାନେ ଦାବି କରୁଥିବା ଅର୍ଥକୁ ହ୍ରାସ କରିବା ପାଇଁ ବାଧ୍ୟ କରୁଥିବା ଆଜି ସୁପ୍ରିମ୍କୋର୍ଟରେ ଅଭିଯୋଗ ହୋଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୫ରେ କରିବାକୁ ସୁପ୍ରିମ୍କୋର୍ଟର ୨ ଜଣିଆ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି । ସ୍ୱରାଜ ଅଭିଯାନ ଏନ୍ଜିଓ ପକ୍ଷରୁ ଦାଏର କରାଯାଇଥିବା ଏହି ମାମଲାରେ ଆଡ୍ଭୋକେଟ୍ ପ୍ରଶାନ୍ତ ଭୂଷଣ ଯୁକ୍ତି ଉପସ୍ଥାପନ କରିଥିଲେ । ଜଷ୍ଟିସ୍ ମଦନ ବି. ଲୁକୁର ଓ ଏମ୍ଭି ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ଏହି ଯୋଜନାରେ ପ୍ରତି ହିତାଧିକାରୀ ପରିବାରକୁ ୧୦୦ ଦିନ କାମ ଦେବାର ବ୍ୟବସ୍ଥା ରହିଛି । ବର୍ତ୍ତମାନ କେନ୍ଦ୍ରରେ ଥିବା ସରକାରୀ ଦଳ ପ୍ରାୟ ଅର୍ଦ୍ଧାଧିକ ରାଜ୍ୟରେ ସରକାରରେ ଅଛନ୍ତି । ସେମାନଙ୍କୁ ଏହି ଯୋଜନାରେ ଅଧିକ ଅର୍ଥ ନମାଗିବା ପାଇଁ କୁହାଯାଉଛି । ୧୦୦ ଦିନରୁ ଅଧିକ କାର୍ଯ୍ୟ ପ୍ରଦାନ କରାଯିବା କ୍ଷେତ୍ରରେ ବଜେଟ୍ର ବାଧ୍ୟବାଧକତା ଆସିବ । ହେଲେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ସେମାନଙ୍କ ପ୍ରକଳ୍ପଗୁଡିକ କମ୍ କରିବାକୁ ବାଧ୍ୟ କରୁଛନ୍ତି । ଫଳରେ ଏହି ଆଇନରେ ୧୦୦ ଦିନ ପରିବର୍ତ୍ତେ ପ୍ରତି ପରିବାରକୁ ୪୦ରୁ ୪୫ ଦିନ କାର୍ଯ୍ୟ ମିଳୁଛି । ଏହି ଯୋଜନାରେ ଦିଆଯାଇଥିବା ଜବ୍ କାର୍ଡରେ ୧୦୦ ଦିନ କାର୍ଯ୍ୟ କରିବା ଲାଗି ଉଲ୍ଲେଖ ରହିଛି । ତେବେ ଖଣ୍ଡପୀଠ ପଚାରିଥିଲେ ଯେ ଯଦି ଗୋଟିଏ ପରିବାରରେ ୪ ଜଣ ସଦସ୍ୟ ଅଛନ୍ତି । ୨ ଜଣ ସରକାରୀ ଚାକିରି ପାଇଛନ୍ତି, ତାହେଲେ ଜବ୍ କାର୍ଡର ଆବଶ୍ୟକତା କ’ଣ ରହିଛି । ଏହାର ଜବାବ୍ରେ ଶ୍ରୀ ଭୂଷଣ କହିଥିଲେ ଯେ ଆଇନରେ ଏଭଳି କିଛି ବ୍ୟବସ୍ଥା ନାହିଁ । କେନ୍ଦ୍ର ଏ ଦିଗରେ ରାସ୍ତା ବାହାର କରିବା ଉଚିତ୍ । କେବଳ ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବା ଏହାର ଲକ୍ଷ୍ୟ ଥିଲା । ଯଦି କୌଣସି ବ୍ୟକ୍ତି ସରକାରୀ ଚାକିରି ପାଇଛି ଓ ଜବ୍ କାର୍ଡ ମାଧ୍ୟମରେ ୧୦୦ ଦିନ କାର୍ଯ୍ୟ କରୁଛି, ତେବେ ଏହା ଆଶ୍ଚର୍ଯ୍ୟଜନକ ବୋଲି ଜଷ୍ଟିସ୍ ଲୁକୁର କହିଥିଲେ । ତେବେ ଏହି ମାମଲାରେ ଯୁକ୍ତି ଦର୍ଶାଇ ଆଟର୍ଣ୍ଣି ଜେନେରାଲ୍ କେକେ ଭେନୁଗୋପାଲ କହିଥିଲେ ଯେ କେନ୍ଦ୍ର ସରକାର କୌଣସି ରାଜ୍ୟର ପାଣ୍ଠି ହ୍ରାସ କରିନାହାନ୍ତି । ୨୦୧୬-୧୭ ଆର୍ଥôକ ବର୍ଷରେ ୨୦ ରାଜ୍ୟ ବଜେଟ୍ ବରାଦ ଅର୍ଥଠାରୁ ଅଧିକ ଅର୍ଥ ଖର୍ଚ୍ଚ କରିଥିଲେ ଓ କେନ୍ଦ୍ର ସରକାର ମଧ୍ୟ ସେମାନଙ୍କୁ ଅର୍ଥ ପ୍ରଦାନ କରିଥିଲେ । ତେବେ ଏ ସମ୍ପର୍କରେ ଯୁକ୍ତି ଦର୍ଶାଇ ଶ୍ରୀ ଭୂଷଣ କହିଥିଲେ ଯେ ଅଧିକ ଅର୍ଥ ଦାବି ଆସିଲେ ବଜେଟ୍ରେ ଥିବା ଅର୍ଥ ଶେଷ ହୋଇଯାଇଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । ୨୦୧୭, ୨୦୧୮ରେ ୪୮,୫୦୦ କୋଟି ଟଙ୍କା ବରାଦ କରାଯାଇଥିଲା । ହେଲେ ଅର୍ଥ ବିଭାଗ ୧୭,୫୬୭ କୋଟି ଟଙ୍କା ମଞ୍ଜୁର କରିଥିଲେ । ଏପର୍ଯ୍ୟନ୍ତ ସୁଦ୍ଧା ୭ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ତ୍ରିପୁରା ସରକାର ପକ୍ଷରୁ ଅଧିକ ଅର୍ଥ ଦାବି କରି କେନ୍ଦ୍ରକୁ ଲେଖାଯାଇଥିବା ଚିଠିକୁ ସେ ଉପସ୍ଥାପନ କରିଥିଲେ । ତେବେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଓକିଲ କହିଥିଲେ ଯେ ତ୍ରିପୁରା କ୍ଷେତ୍ରରେ ଏମ୍ଜିନରେଗା ଯୋଜନାରେ ଦୁର୍ନୀତି ହୋଇଥିବାର ଗୁରୁତର ଅଭିଯୋଗ ଆସିଛି । ସେଠାକୁ ଅଡିଟ୍ ଟିମ୍ ମଧ୍ୟ ଯାଇଛି । ଅର୍ଥ ପ୍ରଦାନରେ ବିଳମ୍ବ ଓ ଶ୍ରମ ଦିବସ ହ୍ରାସକୁ ନେଇ ସୁପ୍ରିମ୍କୋର୍ଟ ନିଦେ୍ର୍ଦଶ ଦେବା ଲାଗି ଦାବି କରାଯାଇଥିଲା । ସେହିଭଳି ସୁପ୍ରିମ୍କୋର୍ଟ ମଧ୍ୟ ଦେଶରେ ମରୁଡି ପଡିଥିବା ରାଜ୍ୟଗୁଡିକ ସମ୍ପର୍କରେ ଆଗତ ମାମଲାକୁ ଆଜି ଶୁଣିଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ରୁ କାର୍ଯ୍ୟକାରୀ ହେଉଛି । ଏହି ରାଜ୍ୟଗୁଡିକୁ ସାହାଯ୍ୟ କରିବା ପାଇଁ ଦାବି କରାଯାଇଛି । ଓଡିଶା ସମେତ ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ଆନ୍ଧ୍ର, ତେଲେଙ୍ଗାନା, ମହାରାଷ୍ଟ୍ର, ଗୁଜରାଟ, ଝାଡଖଣ୍ଡ, ବିହାର, ହରିଆଣା ଓ ଛତିଶଗଡକୁ ମରୁଡି ଲାଗି ପର୍ଯ୍ୟାପ୍ତ ସହାଯ୍ୟ ଦିଆଯାଇଛି ବୋଲି ଦର୍ଶାଯାଇଥିଲା ।




Powered by odothemes.com