niali-toilet-unused

୨୦ଲକ୍ଷ ଟଙ୍କାର ଶୌଚାଳୟ କାମରେ ଲାଗୁନିି

52

ନିଆଳି(ଆପ୍ର): ନିଆଳି ବଜାର ଠାରେ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ୨୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଶୌଚାଳୟ ଏବେ ଲୋକଙ୍କ କାମରେ ଆସୁନି । ଦୀର୍ଘଦିନ ଧରି ଏଠାରେ ତାଲା ଲଗାଯାଇଥିବାବେଳେ ଏହାକୁ ଲାଗି ଦୋକାନମାନ ଗଢ଼ି ଉଠିଲାଣି । ଫଳରେ ବଜାରକୁ ଆସୁଥିବା ଜନସାଧାରଣ ଶୌଚାଳୟ କେଉଁଠି ଖୋଜି ବୁଲୁଛନ୍ତି ।
ସୂଚନା ଯେ ପ୍ରାୟ ଦଶବର୍ଷ ତଳେ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ୧୫ ଲକ୍ଷ ଟଙ୍କା ବ୍ୟୟରେ ଏହି ଶୌଚାଳୟଟି ନିର୍ମାଣ କରାଯାଇଥିଲା । ଶୌଚାଳୟର ନିର୍ମାଣ କାମ ଶେଷ ହେବା ପରେ ତାହାକୁ ଲୋକଙ୍କ ବ୍ୟବହାର ପାଇଁ ଉତ୍ସର୍ଗ କରାନଯାଇ ୬/୭ ବର୍ଷ ପର୍ଯ୍ୟନ୍ତ ସଂପୃକ୍ତ ଠିକାଦାରଙ୍କ ପ୍ରୋତ୍ସାହନରେ କିଛି ସୁବିଧାବାଦି ଲୋକ ଏହାକୁ ନିଜ ଦଖଲରେ ରଖିଥିଲେ । ପରବର୍ତ୍ତି ସମୟରେ ଏହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ମଞ୍ଜୁର କରାଯାଇ ୫ ଲକ୍ଷ ଟଙ୍କାରେ କେବଳ ରଙ୍ଗ କରାଯାଇ ମରାମତି କରାଯାଇଥିବା ଦର୍ଶାଇ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଥିଲା । ଏହାକୁ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଖୋଲା ନଯିବା ପଛରେ କାରଣ ଯାହା ଥାଉ ନା କାହିଁକି ନିଆଳିରେ ଶୌଚାଳୟ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଲାଗି ରହିଛି । ମୁଖ୍ୟତଃ ଶୌଚାଳୟ ନିର୍ମାଣ ନାମରେ ୨୦ ଲକ୍ଷ ଟଙ୍କାରୁ ବହୁଳାଂଶ ତୋଷର ପାତ ହୋଇଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷ ଅନୁଧ୍ୟାନ କରିବା ସହ ତୁରନ୍ତ ଏହାକୁ ସର୍ବସାଧାରଣ ବ୍ୟବହାର ପାଇଁ ଉତ୍ସର୍ଗ କରିବାକୁ ଦାବି ହୋଇଛି ।

ସେଆର କରନ୍ତୁ:



Powered by odothemes.com