balugaon

ଫେରାଇ ଆଣିବାକୁ ନିବେଦନ

43

ଓମାନରେ ଫସିଛନ୍ତି ଓଡ଼ିଆ ଶ୍ରମିକ
ବାଣପୁର (ଆପ୍ର): ଅଧିକ ରୋଜଗାର ଆଶାରେ ଦଲାଲଙ୍କ ଦ୍ୱାରା ପ୍ରଲୋଭିତ ହୋଇ ସୁଦୂର ଓମାନ ଯାଇଥିବା ୧୨ଜଣ ଓଡ଼ିଆ ଶ୍ରମିକଙ୍କ ଅବସ୍ଥା ବାରଣ୍ଡା ଦିକଡ଼ା । ଅତ୍ୟନ୍ତ ଦୟଦୀୟ ଅବସ୍ଥାରେ ଥିବା ବେଳେ ଘରକୁ ଫେରାଇ ଆଣିବା ପାଇଁ ସେମାନେ ଆକୁଳ ନିବେଦନ କରିଛନ୍ତି । ଏକ କମ୍ପାନୀରେ ୪ବର୍ଷ କାର୍ଯ୍ୟ କରିବାପରେ ଭିସା ଅବଧି ୪ମାସ ପୂର୍ବେ ଶେଷ ହୋଇଥିଲା । ହେଲେ କମ୍ପାନୀ କର୍ତ୍ତୃପକ୍ଷ ନବୀକରଣ କରାଇନାହାଁନ୍ତି । ଫଳରେ ଓମାନ ପୁଲିସ ଭୟରେ ଶ୍ରମିକମାନେ ବାହାରକୁ ବାହାରି ନପାରି ଲୁଚି ରହୁଛନ୍ତି । ସେମାନଙ୍କୁ ତୁରନ୍ତ ସ୍ୱଦେଶ ଫେରାଇ ଆଣିବାପାଇଁ ଏକ ଭିଡିଓ ମାଧ୍ୟମରେ ଶ୍ରମିକମାନେ ପରିବାର ଓ ପ୍ରଶାସନକୁ ଅନୁରୋଧ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପାଳଧୁଆପଲ୍ଲୀର ଦାମୋଦର ଘଡାଇ, ପ୍ରଶାନ୍ତ ମହାନ୍ତି, ନବକିଶୋର ସାମନ୍ତରାୟ, ନବଘନ ମହାନ୍ତି, ଅରୁଣ କୁମାର ବେହେରା, ଆଙ୍କୁଲାପଦରର ମେଘନାଦ ବେହେରା, ସାରୁବାରିପଦରର ସନ୍ତୋଷ ବାରିକ, ଅରଖଡିହର ଅମର ରାଉତଙ୍କ ସମେତ ବାଲୁଗାଁ ନିକଟସ୍ଥ ଗୋପୀନାଥପୁରର ରମେଶ ମହାପାତ୍ର ଏବଂ ଗଞ୍ଜାମ ଜିଲ୍ଲା କାଦଶ୍ୱରର ସନ୍ତୋଷ ରେଡି, ନୂଆପଡ଼ାର ନାରାୟଣ ମୋଟୁ ଓ ରଇସୀମା କାନା ପ୍ରମୁଖ ୧୨ଜଣ ୪ବର୍ଷ ପୂର୍ବେ ଦାଦନ ଠିକାଦାର ତେନ୍ତୁଳିଡିହର କାଳୁ ପ୍ରଧାନ ଓ ବେତୁଲିର ଅମୂଲ୍ୟ ନାୟକଙ୍କ ସହାୟତାରେ ଓମାନ ଯାଇଥିଲେ । ସେମାନଙ୍କୁ ଜଣ ପିଛା ୫୫ହଜାର ଟଙ୍କା ଲେଖାଏଁ ଦିଆଯାଥିଲା । ମସ୍କଟସ୍ଥିତ ହୁସେନ୍ ହାଦିଲ ଆଣ୍ଡ ପାଟନର୍ସରେ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ଗତ ଅକ୍ଟୋବରରେ ସେମାନଙ୍କର ଭିସା ଅବଧି ଶେଷ ହୋଇଥିଲା । ଭିସା ଅବଧି ବୃଦ୍ଧି ଓ ଗ୍ରାମକୁ ଫେରିଯିବାପାଇଁ ଶ୍ରମିକମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । ତେବେ କମ୍ପାନୀ କର୍ତ୍ତୃପକ୍ଷ ଏ ନେଇ କୌଣସି ପଦକ୍ଷେପ ନ ନେବା ସହ ଶ୍ରମିକଙ୍କୁ ଦରମା ଓ ଖାଦ୍ୟପେୟ ଦେଇ ନଥିଲେ । ଫଳରେ ଶ୍ରମିକମାନେ ଭୋକ ଉପାସରେ ମସ୍କଟ ନିକଟସ୍ଥ ନଖାଇ ନାମକ ସ୍ଥାନରେ ଲୁଚି ରହିଛନ୍ତି । ଖାଦ୍ୟ ପାନୀୟ ଦେବା ସହ ଗ୍ରାମକୁ ପଠାଇବାପାଇଁ ଶ୍ରମିକମାନେ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷ ଓ ଠିକାଦାରଙ୍କୁ ଯୋଗାଯୋଗ କରୁଥିଲେ ମଧ୍ୟ ସେମାନେ ପଦକ୍ଷେପ ନେଉନଥିବା ଭିଡିଓରେ ଦର୍ଶାଯାଇଛି । ଏହାକୁ ଦେଖିବାପରେ ପରିବାରରେ ପଡିଯାଇଛି ଭାଳେଣି ।
ଓମାନ ଦୂତାବାସ ସମେତ ଭାରତ ବୈଦେଶିକ ମନ୍ତ୍ରାଳୟ, ଓମାନ୍ ହାଇକମିଶନର, ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ପୁଲିସ ଓ ଶ୍ରମ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିର୍ଯାତିତ ଶ୍ରମିକଙ୍କ ପରିବାର ବର୍ଗ ଅବଗତ କରାଇ ସହାୟତା ପାଇଁ ନିବେଦନ କରିଛନ୍ତି ।




Powered by odothemes.com