Photo-No.tif-bilati

ବିଲାତି ଚାଷୀ ହତାସ

46

ନାହିଁ ପ୍ରୋତ୍ସାହନ, ଶୂନ୍ ବଜାର ବ୍ୟବସ୍ଥା
ଗଁଦିଆ,୧୨ା୨(ଆପ୍ର): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ କରମୂଳ ପଞ୍ଚାୟତର ହାତୀ ବାରି ଗାଁ । ଗାଁର ସମସ୍ତ ଲୋକ ପ୍ରାୟ ଚାଷ ଉପରେ ନିର୍ଭର କରନ୍ତି । ଗାଁରେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ସମସ୍ତେ ପ୍ରାୟ କୈବର୍ତ୍ତ ଏବଂ ହରିଜନ ଶ୍ରେଣୀର ଏବଂ କୃଷି ଏମାନଙ୍କର ପ୍ରଧାନଜୀବିକା । ଧାନ ଚାଷ ବ୍ୟତୀତ ଅର୍ଥକାରୀ ଫସଲ ଭାବରେ ବାଦାମ, ବିରି, ମୁଗ, କୋଳଥ ଉପରେ ନିର୍ଭର କରୁଥିଲେ ହେଲେ କିଛି ବର୍ଷ ହେବ ବିଭିନ୍ନ ପନିପରିବା ବାଇଗଣ, କଖାରୁ, କଲରା, ଭେଣ୍ଡି, ବିଲାତି ବାଇଗଣ ଆଦି ଚାଷ କରୁଛନ୍ତି । ହେଲେ ବିଶେଷ ଭାବରେ ଚାଷୀମାନେ ବିଲାତି ବାଇଗଣ ଚାଷ କରିଥାନ୍ତି । ଗ୍ରାମର ପ୍ରାୟ ୬୦ ଏକରରୁ ଊର୍ଦ୍ଧ୍ୱ ଚାଷ ଜମି ଉପରେ ଏହି ବିଲାତି ଚାଷ ହୋଇଥାଏ । ଚାଷ ପାଇଁ ଭିତ୍ତିଭୂମିର ଅଭାବ ରହିଛି । ଜଳସେଚନର ଆଦୌ ସୁବିଧା ନାହିଁ । ଗ୍ରାମବାସୀ ନିଜ ଉଦ୍ୟମରେ ଦୁଇଟି ଗଭୀର ନଳକୂପ ଖନନ କରିଛନ୍ତି । ଯାହା ସମୁଦ୍ରକୁ ଶଙ୍ଖେ ପାଣି । ଅନ୍ୟତ୍ର ନିକଟରେ ବୋହି ଯାଇଥିବା ଛୁବିଆ ନାଳ ଉପରେ ଦୁଇଟି ଆଡ଼ିବନ୍ଧ ସରକାରଙ୍କ ତରଫରୁ ନିର୍ମାଣ କରାଯାଇଛି । ଯାହା କୌଣସି କାମରେ ଆସୁନଥିବା କ୍ଷୋଭରେ ଗ୍ରାମବାସୀ ପ୍ରକାଶ କରିଛନ୍ତି । କାରଣ ଜଳସ୍ରୋତଠାରୁ ଆଡ଼ିବନ୍ଧଗୁଡିକ ନିଚା ରହୁଥିବାରୁ ଆଡିବନ୍ଧରେ ପାଣି ଅଟକ ରହି ପାରୁନାହିଁ । ତେଣୁ ଏ ଯୋଜନା କାହା ସ୍ୱାର୍ଥରେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ନିଜେ ଗାଧୁଆ ଏବଂ ଗୋରୁମାନେ ଚଳିବା ପାଇଁ ନିଜ ଉଦ୍ୟମରେ ନାଳରେ ମାଟି ବନ୍ଧ ନିର୍ମାଣ କରନ୍ତି । ଯାହାକି ଆଡିବନ୍ଧର ନିକଟରେ । ଏହା ପ୍ରତିବର୍ଷ ନିର୍ମାଣ ହୁଏ ପୁଣି ବର୍ଷା ଦିନେ ଭାଙ୍ଗି ଯାଏ । ଚାଷୀମାନେ କଷ୍ଟରେ ଯେଉଁ ପନିପରିବା ଉତ୍ପାଦନ କରନ୍ତି ପୁଣି ତାହା ବିକ୍ରି ବଟା କରିବାପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବାରୁ ଦର ଅଦରରେ ବିକ୍ରି କରନ୍ତି । ବିକ୍ରି କରିବା ପାଇଁ ଚାଷୀମାନେ ସାଧାରଣତଃ ସ୍ଥାନୀୟ ବଜାର ତଥା ଯୋରନ୍ଦା, ଭୁବନ, ଗଁଦିଆ, ପିଙ୍ଗୁଆ, ଦେଓଗାଁ ଉପରେ ନିର୍ଭର କରୁଥିବା ବେଳେ କଟକ ବଜାର ଆଠଗଡ ଏପରିକି ସାଲେପୁର ଅଞ୍ଚଳର କିଛି ବ୍ୟବସାୟୀ ଏଠାରୁ ବିଲାତି ବାଇଗଣ ନେଉଥିବା ଚାଷୀ ରତ୍ନାକର ପରିଡା, ରାଜେନ୍ଦ୍ର ପରିଡା ପ୍ରମୁଖ ପ୍ରକାଶ କରନ୍ତି । ଗୋଟିଏ ଏକର ବିଲାତି ଚାଷ ପାଇଁ ୨୫ ହଜାରରୁ ୩୦ ହଜାର ଖର୍ଚ୍ଚ ହେଉଥିବା ବେଳେ କେଜି ପ୍ରତି ବର୍ତ୍ତମାନ ସମୟରେ ୧ ଟଙ୍କାରୁ ୨ଟଙ୍କା ଦରରେ ବିକ୍ରି କରି ହତାସ ହେଉଥିବା ଦେଖାଯାଇଛି । ତେଣୁ ସରକାରଙ୍କ ତରଫରୁ ଚାଷୀଙ୍କୁ ପ୍ରୋତ୍ସାହନ, ବଜାର ସୁବିଧା, ଜଳ ସେଚନ ଆଦିର ସୁବିଧା ସୁଯୋଗ ପ୍ରଦାନ କରାଗଲେ ରତ୍ନାକର ପରିଡ଼ା, ରାଜକିଶୋର ପରିଡ଼ା, ରଙ୍ଗଲତା ମଳିକ, ପବିତ୍ର ବେହେରା, କୁଳମଣି ବେହେରା, ପାଣ୍ଡବ ତରାଇ, ପଞ୍ଚାନନ ତରାଇ, ମାୟାଧର ପରିଡ଼ାଙ୍କ ଭଳି ଚାଷୀ ଅସାଧୁ ବ୍ୟବସାୟୀଙ୍କ ପ୍ରାଦୁର୍ଭାବରୁ ବଞ୍ଚିବା ସହ ଉନ୍ନତମାନର ଚାଷକରି ଜୀବିକା ନିର୍ବାହ କରିପାରନ୍ତେ । ଏଣୁ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।




Powered by odothemes.com