nepal-naresh-at-srimandira-south-gate-for-darshan-with-gajapati-1

ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା

26

ଆଇଏଏସ୍ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର, ୧୧ା୨(ବୁ୍ୟରୋ): ଆଇଏଏସ୍ ଅଫିସର ଭିକେ ପାଣ୍ଡିଆନ ଓ ସୁଜାତା କାର୍ତ୍ତିକେୟନଙ୍କ ବାସଭବନରେ ହୋଇଥିବା ଆକ୍ରମଣ ଘଟଣାରେ ଆଇଏଏସ୍ ସଂଘ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଓ ଗୃହ ସଚିବଙ୍କୁ ଭେଟିବ । ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ସରକାରୀ କର୍ମଚାରୀଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣା ନେଇ ସରକାରଙ୍କୁ ଅବଗତ କରାଯିବ । ଆକ୍ରମଣ କରୁଥିବା ଅପରାଧୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସଂଘ ଦାବି କରିବ ବୋଲି ନିଷ୍ପତ୍ତି ହୋଇଛି । ଆଜି ରାଜ୍ୟ ଅତିଥି ଭବନରେ ଓଡ଼ିଶା ଶାଖା ଆଇଏଏସ୍ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଗଗନ କୁମାର ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗତକାଲି ସୁଜାତା କାର୍ତ୍ତିକେୟନ ଓ ଭିକେ ପାଣ୍ଡିଆନଙ୍କ ବାସଭବନରେ ହୋଇଥିବା ଆକ୍ରମଣ ନେଇ ଗଭୀର ଦୁଃଖ ପ୍ରକାଶ କରାଯାଇଥିଲା । ଆକ୍ରମଣ ସମୟରେ ଶ୍ରୀ ପାଣ୍ଡିଆନ ଘରେ ନଥିଲେ । ତାଙ୍କ ପତ୍ନୀ ଶ୍ରୀମତୀ କାର୍ତ୍ତିକେୟନ ଓ ଦୁଇ ସନ୍ତାନ ଥିଲେ । ଜଣେ କର୍ମଚାରୀଙ୍କ ଘରୋଇ ବାସଭବନରେ ଏଭଳି ଆକ୍ରମଣ କରାଯିବା ଅପରାଧମୂଳକ କାର୍ଯ୍ୟକ୍ରମ । ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । ତୁରନ୍ତ ଶ୍ରୀ ପାଣ୍ଡିଆନଙ୍କ ପରିବାରକୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । ଏହାଛଡ଼ା ଏହି ଘଟଣାରେ ଯେଉଁମାନେ ସଂପୃକ୍ତ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଏହାଛଡ଼ା ଅଧିକାଂଶ ସ୍ଥାନରେ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟ ସମ୍ପାଦନ କରିବା ସମୟରେ ଆକ୍ରମଣର ଶିକାର ହେବାକୁ ପଡ଼ୁଛି । ଯାହାକୁ ନେଇ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା । ଶାନ୍ତିପ୍ରିୟ ଓଡ଼ିଶାରେ ଏଭଳି ବ୍ୟକ୍ତିଗତ ଆକ୍ରମଣ ଅନ୍ୟାୟ ଓ ଏହା ରାଜ୍ୟର ସଂସ୍କୃ୍ତି ପରିପନ୍ଥୀ । ଏହାଛଡ଼ା ଓଡ଼ିଆ ଓ ଅଣଓଡ଼ିଆ ଅଫିସର ଯୁକ୍ତି ଦର୍ଶାଯାଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବାରୁ ସଂଘ ତରଫରୁ ସମାଲୋଚନା କରାଯାଇଥିଲା । ସଂଘ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଗତକାଲିର ଘଟଣା ଅତ୍ୟନ୍ତ ଦୁଃଖଦାୟକ । ସଂଘ ଏହାକୁ ତୀବ୍ର ନିନ୍ଦା କରିବା ସହ ଯେଉଁମାନେ ଗଣତାନ୍ତ୍ରିକ ସମାଜରେ ଥିବା ଆଇନ୍ ବ୍ୟବସ୍ଥାର ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ମତ ପ୍ରକାଶ କରିଥିଲେ । ଏଭଳି ଘଟଣା ଅଗଣତାନ୍ତ୍ରିକ ଚିନ୍ତାର ପ୍ରତିଫଳନ କରିବା ସହ ଅଧିକାରୀମାନଙ୍କ ମନୋବଳକୁ ଭାଙ୍ଗିବା ସହ ସେମାନଙ୍କୁ ମାନସିକ ସ୍ତରରେ ଭୟଭୀତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ମତ ପ୍ରକାଶ ପାଇଥିଲା । ସରକାରୀ କର୍ମଚାରୀମାନଙ୍କୁ ମୁକ୍ତ ଓ ସ୍ୱଚ୍ଛ ଭାବରେ ତାଙ୍କର କାର୍ଯ୍ୟ ନିର୍ବାହ କରିବାକୁ ସୁଯୋଗ ଦିଆଯିବା ଦରକାର । ଏଭଳି ଘଟଣାକୁ ଯଦି ପ୍ରତିରୋଧ ନ କରାଯାଏ, ପ୍ରଶାସନିକ ଦକ୍ଷତା ପ୍ରତି ଏହା ବିପଦ ସୃଷ୍ଟି କରିବା ସହ ରାଜ୍ୟର ଭାବମୂର୍ତ୍ତିକୁ ନଷ୍ଟ କରିବ । ସଂଘ ପକ୍ଷରୁ ଯେଉଁମାନେ ଏଭଳି ଗଣ୍ଡଗୋଳ ଓ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଉଛି ଭବିଷ୍ୟତରେ ଯେଉଁଭଳି ଏଭଳି ଘଟଣାର ପୁନରାବୃତ୍ତି ଘଟିବ ନାହିଁ । ରାଜ୍ୟ ସରକାର ଏକ ସଠିକ୍ ବ୍ୟବସ୍ଥା ପ୍ରଣୟନ କରି ସରକାରୀ କର୍ମଚାରୀଙ୍କ ଉପରେ ହେଉଥିବା ଆକ୍ରମଣକୁ ପ୍ରତିରୋଧ କରିବା ଲାଗି ବ୍ୟବସ୍ଥା କରିବା ଉଚିତ । ସଂଘ ପକ୍ଷରୁ ଆଇପିଏସ୍, ଆଇଏଫ୍ଏସ୍,ଓଏଏସ୍ ଓ ଓପିଏସ୍ ସଂଘ ଓ ଅନ୍ୟାନ୍ୟ ସଂଘଗୁଡ଼ିକ ଏହି ଘଟଣାକୁ ନିନ୍ଦା କରିଥିବାରୁ ଧନ୍ୟବାଦ ଦିଆଯାଇଥିଲା । ବରିଷ୍ଠ ଆଇଏଏସ୍ ଅଫିସର ବିଶାଲ୍ ଦେବଙ୍କ ସମେତ ଅଫିସର ପ୍ରଦୀପ ଜେନା, ଆର୍କେ ଶର୍ମା, ମୋନା ଶର୍ମାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।




Powered by odothemes.com