sbl-police

ପୋଡ଼ିଦେଲେ ଥାନା

64

ହାଜତ ମୃତୁ୍ୟ ପ୍ରତିବାଦ
ସମ୍ବଲପୁର, ୯ା୨(ବୁ୍ୟରୋ): ସମ୍ବଲପୁରସ୍ଥିତ ଅଇଁଠାପାଲି ଥାନା ହାଜତରେ ଆଜି ପୂର୍ବାହ୍ନ ୮ଟା ସମୟରେ ଜେନୈକ ଆସାମୀଙ୍କ ସନେ୍ଦହଜନକ ମୃତୁ୍ୟକୁ କେନ୍ଦ୍ରକରି ଭାଲୁପାଲି ଗ୍ରାମର ଉତ୍ତ୍ୟକ୍ତ ଆଦିବାସୀ ଜନତା ଓ ପୁଲିସ ମଧ୍ୟରେ ଭୟଙ୍କର ଖଣ୍ଡଯୁଦ୍ଧ ହୋଇଯାଇଛି । ଉତ୍ତ୍ୟକ୍ତ ଜନତା ଥାନା ମଧ୍ୟକୁ ଧସେଇ ପଶିବା ସହ ପୁଲିସ କର୍ମଚାରୀଙ୍କ ଉପରକୁ ଟେକାମାଡ କରିବା ସହ ଥାନା କାର୍ଯ୍ୟାଳୟରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଲୋକଙ୍କୁ ଘଉଡାଇବା ପାଇଁ ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯିବା ସହ ମୃଦୁ ଲାଠି ଚାଳନା କରାଯାଇଥିଲା । ଉତ୍ତ୍ୟକ୍ତ ଜନତା ଠେଙ୍ଗା ଓ ଟେକାମାଡରେ ୧୦ରୁ ଊଦ୍ଧ୍ୱର୍ ପୁଲିସ କର୍ମଚାରୀ ଏବଂ ୨ଜଣ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଥିଲେ । ତେବେ ପୁଲିସ ଲାଠିମାଡରେ ଥାନା ଭିତରକୁ ଧସେଇ ପଶିଥିବା ବହୁ ସଂଖ୍ୟକ ଲୋକ ଆହତ ହୋଇଥିବା ଜଣାପଡିଛି । ଏହି ଅଗ୍ନିକାଣ୍ଡ ସମୟରେ ଥାନା ମଧ୍ୟରେ ଦେଢ଼ ଘଣ୍ଟା କାଳ ଥାନାଅଧିକାରୀଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ଫଶି ରହିଥିଲେ । ଉତ୍ତ୍ୟକ୍ତ ଜନତାଙ୍କ ଅଗ୍ନି ସଂଯୋଗ ଯୋଗୁଁ ଥାନା କାର୍ଯ୍ୟାଳୟ ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି ଏବଂ କାର୍ଯ୍ୟାଳୟରେଥିବା ସମସ୍ତ ମୂଲ୍ୟବାନ ସାମଗ୍ରୀ ତଥା ସରକାରୀ ଫାଇଲପତ୍ର ପୋଡି ପାଉଁଶ ହୋଇଯାଇଛି । ପୁଲିସର ଫାଙ୍କା ଗୁଳିଚାଳନା ଓ ଲାଠିମାଡ ଭୟରେ ଉତ୍ତ୍ୟକ୍ତ ଜନତା ଛତ୍ରଭଙ୍ଗ ଦେଇଥିଲେ ହେଁ ଅଇଁଠାପାଲି ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । କୌଣସି ମୁହୂର୍ତ୍ତରେ ଗୁରୁତର ଆଇନ୍ଶୃଙ୍ଖଳା ପରିସ୍ଥିତି ଉପୁଜିଥିବାର ଆଶଙ୍କା କରାଯାଉଛି । ତେଣୁ ପୁଲିସ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ମର୍ମାହତ ହେବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ।
ଉକ୍ତ ଘଟଣାରେ ଅଇଁଠାପାଲି ଥାନାଅଧିକାରୀଙ୍କ ସମେତ ୩ ଜଣଙ୍କୁ ନିଲମ୍ବିତ କରାଯାଇଛି । ଡିସିଓ ଓ ସେଣ୍ଟ୍ରିଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ଘଟଣାର ତଦନ୍ତ ପାଇଁ ଏଚ୍ଆରପିସିର ୩ଜଣିଆ ଟିମ୍ ଅଇଁଠାପାଲି ଯିବ ବୋଲି ଏଡିଜି ମହେନ୍ଦ୍ର ପ୍ରତାପ ସୂଚନା ଦେଇଛନ୍ତି । ଏହାଛଡା ଉତ୍ତରାଞ୍ଚଳ ଆଇଜିଙ୍କୁ ତଦନ୍ତ କରିବାକୁ ଡିଜିପି ନିଦେ୍ର୍ଦଶ ଦେଇଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ, ଗତ ୬ତାରିଖ ରାତିରେ ଅଇଁଠାପାଲିସ୍ଥିତ ରୟଲରିଟ୍ରିଟ୍ରେ ଏକ ବାହାଘର ଅନୁଷ୍ଠିତ ହୋଇଥିଲା । ଏହି ବାହାଘର ଉତ୍ସବକୁ ଆସିଥିବା ଅତିଥିମାନେ କନ୍ୟାକୁ ଉପହାର ସ୍ୱରୂପ ବହୁ ମୂଲ୍ୟବାନ ସାମଗ୍ରୀ ଓ ଅଳଙ୍କାର ଦେଇଥିଲେ । ଏପରିକି ପିତାଘର ମଧ୍ୟ କନ୍ୟାକୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ଟଙ୍କା ଓ ଆସବାବ ପତ୍ର ଦେବା ପାଇଁ ବ୍ୟବସ୍ଥା କରିଥିଲେ । ମାତ୍ର କନ୍ୟଶ ବିଦାୟୀ ସମୟରେ ସୁଯୋଗ ଉଣ୍ଡି କେତେଜଣ ଦୁର୍ବୃତ୍ତ ଏହି ବିବାହ ଉତ୍ସବରୁ ନଗଦଟଙ୍କା, ସୁନା ଅଳଙ୍କାର ଚୋରି କରି ଫେରାର ହୋଇଯାଇଥିଲେ । ଏ ସଂକ୍ରାନ୍ତରେ କନ୍ୟାପିତା ଅଇଁଠାପାଲି ପୁଲିସ ନିକଟରେ ଏତଲା ଦେବାପରେ ପୁଲିସ ତଦନ୍ତ ଚଳାଇ ନିକଟସ୍ଥ ଭାଲୁପାଲି ଗ୍ରାମର ସନ୍ଦିଗ୍ଧ ଜଣଙ୍କୁ ଆଣି ଥାନାରେ ପଚରାଉଚରା କରିଥିଲା ଏବଂ ଶେଷରେ ଗତକାଲି ରାତି ପ୍ରାୟ ୮ଟା ସମୟରେ ଅନ୍ୟତମ ସନ୍ଦିଗ୍ଧ ଆସାମୀ ଅଭିଳାଷ ମୁଣ୍ଡାକୁ ପୁଲିସ ହେପାଜତକୁ ଆଣି ପଚରାଉଚରା କରିଥିଲା । ପୁଲିସ ଜେରା କରିବା ପରେ ଅଭିନାଶ ଚୋରି କରିଥିବା ସ୍ୱୀକାର କରିଥିଲା ଓ ତା’ର ପରିବାର ଉପସ୍ଥିତିରେ ସବୁଚୋରି ସାମଗ୍ରୀ ପୁଲିସ ଉଦ୍ଧାର କରିଥିଲା । ତେବେ ଆଶ୍ଚର୍ଯ୍ୟଜନକ ଭାବରେ ଆସାମୀ ଅଭିନାଶର ଗତକାଲି ରାତିରେ ପୁଲିସ ହାଜତରେ ଆକସ୍ମିକ ମୃତୁ୍ୟ ଘଟିଥିଲା ଓ ଝୁଲନ୍ତା ଅବସ୍ଥାରେ ତା’ର ମୃତୁ୍ୟଦେହକୁ ମାଜିଷ୍ଟ୍ରେଟ୍ ଉପସ୍ଥିତିରେ ପୁଲିସ ଉଦ୍ଧାର କରିଥିଲା ।
ଏଭଳି ଏକ ସ୍ପର୍ଶକାତର ଘଟଣା ବିଜୁଳି ବେଗରେ ସହରରେ ପ୍ରଚାରିତ ହେବାପରେ ଭାଲୁପାଲି ଗ୍ରାମର ବାସିନ୍ଦା ଅଭିନାଶଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମରେ ବାସ କରୁଥିବା ଆଦିବାସୀ ସଂପ୍ରଦାୟର ଉତ୍ତ୍ୟକ୍ତ ଜନତା ହଠାତ୍ ଥାନା ଭିତରକୁ ଧସେଇ ପଶି ଥାନାରେ ଉପସ୍ଥିତ ଏସ୍ପି ସଂଜୀବ ଆରୋରା, ଡିଏସ୍ପି ମିହିର ପଣ୍ଡା ଓ ଏସ୍ଡିପିଓ ଅବକାଶ ରାଉତରାୟଙ୍କ ସମେତ ବହୁ ପଦସ୍ଥ ପୁଲିସ କର୍ମଚାରୀଙ୍କ ଉପରେ ଟେକା ଓ ଠେଙ୍ଗାରେ ବାଡେଇଥିଲେ । ଉତ୍ତ୍ୟକ୍ତ ଲୋକେ ଥାନା ପରିସରରେ ନିଆଁ ଲଗାଇ ଦେବା ଫଳରେ ଥାନାର ସମସ୍ତ କାଗଜପତ୍ର ଜଳି ପାଉଁଶ ହୋଇଯାଇଛି । ଥାନାର ଆସବାବପତ୍ର ହୁତୁହୁତୁ ହୋଇ ଜଳିବା ସହ ଘଣ୍ଟାଏ ମଧ୍ୟରେ ଜଳି ପାଉଁଶ ହୋଇଯାଇଥିଲା । ଏଥିସହ ଥାନା ପରିସରରେ ରହିଥିବା ୫ଟି ଚାରିଚକିଆ ଯାନ, ୩ଟି ଟେମ୍ପୋ, ୧୦ଟି ମଟର ସାଇକେଲ ଜଳି ପାଉଁଶ ହୋଇଯାଇଛି । ମାତ୍ର ସଶସ୍ତ୍ର ପୁୂଲିସ ବାହିନୀବଳୟରେ ଥାଇ ଅଳ୍ପ ବହୁତେ ସୁରକ୍ଷା ପାଇଥିଲେ ହେଁ ଏସ୍ଡିପିଓଙ୍କ ମୁଣ୍ଡରେ ଗୁରୁତର ଆହତ ଲାଗିଥିଲା । ତେବେ ଏହି ଆକ୍ରମଣରେ ୨ଜଣ ଗଣମାଧ୍ୟମ ପ୍ରତିନିଧି ତଫିଦୁଲ ହୁସେନ୍ ଓ ନୀଳାଚଳ ମହାପାତ୍ର ଆହତ ହୋଇଥିଲେ ।
ଅଇଁଠାପାଲି ଥାନା ଓ ଉତ୍ତେଜନା ପ୍ରବଣ ଅଞ୍ଚଳକୁ ଜିଲ୍ଲାପାଳ ସମର୍ଥ ବର୍ମା, ପୁଲିସ ଆଇଜି ସୁଶାନ୍ତ କୁମାର ନାଥ, ମହାନଗର କମିଶନର ବିମଳେନ୍ଦୁ ରାୟ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ପୁଲିସ ଆଇଜି ଶ୍ରୀ ନାଥ ଓ ପୁଲିସ ଅଧୀକ୍ଷକ ଶ୍ରୀ ଆରୋରା ଆସାମୀ ଅବିନାଶର ମୃତୁ୍ୟକୁ ଆତ୍ମହତ୍ୟା ବୋଲଇ କହିଥିବାବେଳେ ତା’ର ପରିବାରବର୍ଗ ପୁଲିସ ମାଡରେ ଅଭିନାଶର ମୃତୁ୍ୟଘଟିଛି ବୋଲି ଅଭିଯୋଗ କରିଛନ୍ତି । ପୁଲିସ ଅଭିନାଶର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମୃତୁ୍ୟଦେହକୁ ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ଡିଆଇଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଆଗାମୀ ଦିନରେ ଏହି ଘଟଣା କେଉଁ ନିର୍ଣ୍ଣାୟକ ମୋଡ ନେବ, ତାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

ସେଆର କରନ୍ତୁ:



Powered by odothemes.com