08-CABINET-BRIFFING-(8)

୧୬ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ

227

ଭୁବନେଶ୍ୱର, ୮ା୨(ବୁ୍ୟରୋ): ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ଭୂତଳ ପାଇପ୍ ଲାଇନ୍ ମାଧ୍ୟମରେ ୧୩,୯୮୨ ହେକ୍ଟର ଜମିକୁ ଜଳସେଚନ କରାଯିବ । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ନୂଆପଡା ଓ ବଲାଙ୍ଗିର ଜିଲ୍ଲାକୁ ଜଳସେଚିତ କରାଯାଇପାରିବ । ଏଥିଲାଗି ୨୪୨ କୋଟି ୯୯ ଲକ୍ଷ ଟଙ୍କା ବ୍ୟୟ ହେବ ଓ ମେଘା ଇଞ୍ଜିନିୟରିଂକୁ ଏହି କାର୍ଯ୍ୟାଦେଶ ଦିଆଯାଇଛି । ଡିସେମ୍ବର ୨୦୧୮ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ନିଷ୍ପତ୍ତି ହୋଇଛି । ଏଥିଲାଗି ଆଗତ ଟେଣ୍ଡର ପ୍ରକ୍ରିୟାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଉପରୋକ୍ତ ପ୍ରସ୍ତାବ ସମେତ ୧୬ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଲେ ଯେ ୧୯୯୯ ଓ ୨୦୦୦ ମସିହାରେ ଭାରତ ସରକାରଙ୍କ ତ୍ୱରିତ ଜଳସେଚନ ସୁବିଧା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ମାଟି ବନ୍ଧ ଓ ଜଳ ନିଷ୍କାସନ ପଥ କାମ ସମ୍ପୂର୍ଣ୍ଣ ହୋଇଛି । ମୁଖ୍ୟ ଶାଖା କେନାଲ କାର୍ଯ୍ୟ ୯୮% ସରିଥିବାବେଳେ ଉପଶାଖା ଓ ନିମ୍ନ କେନାଲ କାର୍ଯ୍ୟ ୬୫% ସରିଛି । ଶାଖା କେନାଲ ଏବଂ ନିମ୍ନ ଶାଖା କେନାଲରେ ଜମି ଅଧିଗ୍ରହଣ ସମସ୍ୟାର ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଭୂତଳ ପାଇପ୍ ଲାଇନ୍ ଦ୍ୱାରା ଜଳସେଚିତ କାର୍ଯ୍ୟ ପାଇଁ ଇପିସି ଚୁକ୍ତି ମାଧ୍ୟମରେ ଟେଣ୍ଡ ଆହ୍ୱାନ କରାଯାଇଥିଲା । ୩ ଜଣ ଅଂଶଗ୍ରହଣ କରିଥିଲେ । ୨ ଜଣଙ୍କ ନାମରେ ଆବଶ୍ୟକୀୟ ଇଏମ୍ଡି ନଥିବାରୁ ସେମାନଙ୍କୁ ବାଦ୍ ଦିଆଯାଇଥିଲା । କ୍ୟାବିନେଟ୍ର ଅନ୍ୟାନ୍ୟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ଶ୍ରୀ ପାଢୀ କହିଥିଲେ ଯେ ବାରଙ୍ଗ ତହସିଲର ଅରିଲୋରେ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶୀତଳୀକରଣ କାରଖାନା ସ୍ଥାପନ କରାଯିବ । ଏହାଦ୍ୱାରା ଦୁଗ୍ଧ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି ହେବ । ଏହି କାରଖାନା ସ୍ଥାପନ ପାଇଁ ଟର୍ଣ୍ଣ-କି ପଦ୍ଧତିରେ ନ୍ୟାସ୍ନାଲ୍ ଡାଏରୀ ଡେଭଲପ୍ମେଣ୍ଟ ବୋର୍ଡକୁ ପ୍ରଦାନ କରାଯିବ । ସେହିଭଳି ଆସ୍କା ଚିନି କଳକୁ ଆଖୁଚାଷୀଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ସରକାର ଆସ୍କା କେନ୍ଦ୍ର ସମବାୟ ବ୍ୟାଙ୍କରୁ ୧୫ କୋଟି ଟଙ୍କା ଋଣ ଲାଗି ଗ୍ୟାରେଣ୍ଟି ଦେବେ । ଏହି ଗ୍ୟାରେଣ୍ଟି ସମୟ ସୀମା ୮ ମାସ ରଖାଯାଇଛି । ନୂଆପଡା ଜିଲ୍ଲାର ୨୧୭ ଗ୍ରାମକୁ ବିସୁଦ୍ଧ ପାନୀୟ ଜଳ ଯୋଗାଇବାକୁ ୩୭୦ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୫ଟି ବୃହତ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବା ନିମନ୍ତେ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ନୂଆପଡା ଜିଲ୍ଲାର ନୂଆପଡା, ଖରିଆର, ବୋଡେନ୍ ଓ କୋମନା ବ୍ଲକ୍ରେ ବସବାସ କରୁଥିବା ପ୍ରାୟ ୨ ଲକ୍ଷ ଲୋକେ ଉପକୃତ ହେବେ । ଉକ୍ତ ପ୍ରକଳ୍ପଗୁଡିକ ନାବାର୍ଡ ଆର୍ଥôକ ସହାୟତାରେ କାର୍ଯ୍ୟକାରୀ ହେବ । ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ପର୍ଯ୍ୟଟନ ବିଭାଗଠାରୁ ସଂସ୍କୃତି ବିଭାଗକୁ ଅଲଗା କରାଯାଇଛି । ଓଡିଆ ଭାଷା-ସାହିତ୍ୟ ଓ ସଂସ୍କୃତି ବିଭାଗ ନାମରେ ଏକ ନୂଆ ବିଭାଗ ଖୋଲାଯିବ । ଓଡିଶା କୃଷି ଯନ୍ତ୍ରୀ ଚାକିରୀ ନିୟମ ୨୦୧୮କୁ ସଂଶୋଧନ କରାଯାଇ ପୂର୍ବରୁ ଥିବା ୧୯୭୪ର ନିୟମକୁ ପ୍ରତ୍ୟାହାର କରିନିଆଯାଇଛି । ଏହି ନୂତନ ନିୟମ କୃଷି ଓ ଜଳସମ୍ପଦ ବିଭାଗ ଅଧୀନରେ ଥିବା କାଡା ନିଦେ୍ର୍ଦଶାଳୟରେ କାର୍ଯ୍ୟ କରୁଥିବା ସମସ୍ତ କୃଷି ଯନ୍ତ୍ରୀଙ୍କ ପାଇଁ ଏହା ପ୍ରଯୁଜ୍ୟ ହେବ । ସେହିଭଳି ଓଡିଶା ଅଡିଟର ସେବା ଚାକିରି ନିୟମାବଳୀ ମଞ୍ଜୁରୀ ପାଇଥିବାବେଳେ ଓଡିଶା ପଶୁ ଚିକିତ୍ସା ‘କ’ ବର୍ଗ ସେବା ନିଯୁକ୍ତି ସର୍ତ୍ତାବଳୀ ନିୟମ ୧୯୯୫ର ଆବଶ୍ୟକୀୟ ସଂଶୋଧନ ଦ୍ୱାରା ‘କ’ ବର୍ଗ ପ୍ରାଣୀ ଚିକିତ୍ସା ଅଧିକାରୀମାନେ ସୁବିଧା ସୁଯୋଗ ପାଇବେ । କାରାଗାର ସେବା ନିୟମାବଳୀ ୨୦୧୨ର ସଂଶୋଧନ କରାଯାଇଛି । ଏଣିକି କାରାଗାର ସେବା ବ୍ୟାଣ୍ଡ-୩ ବେତନହାରଗୁଡିକର ପଦୋନ୍ନତି ନିମନ୍ତେ ଗଠିତ କମିଟିରେ ମୁଖ୍ୟ ଶାସନ ସଚିବଙ୍କ ପରିବର୍ତ୍ତେ ଘରୋଇ ବିଭାଗର ଏସ୍ସିଏସ୍ ଅଧ୍ୟକ୍ଷତା କରିବେ । ରାଜ୍ୟ ବାହାରେ କୌଣସି ନ୍ୟାୟାଳୟର କିମ୍ବା ଟ୍ରିବୁ୍ୟନାଲ୍ରେ ମୋକଦ୍ଦମା ପରିଚାଳନା ପାଇଁ ଆଡ୍ଭୋକେଟ୍ ଜେନେରାଲ୍ଙ୍କ ପାରିଶ୍ରମିକକୁ ୮ ହଜାରରୁ ୧୫ ହଜାରକୁ ବୃଦ୍ଧି କରାଯାଇଛି । ଓଡିଶା ସୁପରିୟର ଜୁଡିସିଆଲ୍ ସର୍ଭିସ୍ ରୁଲ୍ରେ ସଂଶୋଧନ କରାଯାଇଛି । ଚାକିରି କ୍ଷେତ୍ରରେ ଭିନ୍ନକ୍ଷମଙ୍କ ପାଇଁ ୧%ରୁ ୪% ସ୍ଥାନ ସଂରକ୍ଷଣ କରାଯିବ । ଗଞ୍ଜାମ ଜିଲ୍ଲାର ଛତ୍ରପୁର ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଦ୍ୱାରା ରାଡାର କେନ୍ଦ୍ର ସ୍ଥାପନ ପାଇଁ ଲିଜ୍ ଦିଆଯାଇଥିବା ଜମି ଉପରୁ ବକେୟା ଦେୟ ବାବଦରେ ୯୬,୩୩,୧୨୮ ଟଙ୍କା ଏବଂ ଅନ୍ୟାନ୍ୟ ଦେୟ ଛାଡ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଝାରସୁଗୁଡା ବିମାନବନ୍ଦର ପାଇଁ ଆବଶ୍ୟକ ଥିବା ୧.୪୭ ଏକର ଜମିକୁ ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେଇଛନ୍ତି । ଓଡିଶା ଲୋକସେବା ଆୟୋଗ ମାଧ୍ୟମରେ ନିୟୋଜନ ଅଧିକାରୀ ପଦରେ ସିଧାସଳଖ ନିଯୁକ୍ତି କାର୍ଯ୍ୟକାରୀ କରିବା ନିମନ୍ତେ ଓଡିଶା ସଂଶୋଧିତ ନିୟୋଜନ ସେବା ବର୍ଗ-୨ ନିୟମ ୧୯୯୦ର ସଂଶୋଧନ କରାଯାଇଛି । ଫଳରେ ପଦବୀ ପୂରଣ ନିମନ୍ତେ ୫୦% ପଦୋନ୍ନତି ଓ ଅବଶିଷ୍ଟ ୫୦% ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରାଯିବ । ରାଜ୍ୟରେ ଥିବା ୧୬୫ ଟ୍ରେଜେରୀରେ ସମନ୍ୱିତ ଆର୍ଥôକ ପରିଚାଳନା ବ୍ୟବସ୍ଥା ଅଧୀନରେ ସରକାରୀ ପ୍ରାପ୍ୟ ପ୍ରଦାନ ଓ ଗ୍ରହଣ ନିମନ୍ତେ ଅନ୍ଲାଇନ୍ ନେଣ ଦେଣ ବ୍ୟବସ୍ଥା ଲାଗୁ କରାଯିବା ପରିପ୍ରେକ୍ଷୀରେ ପରବର୍ତ୍ତିତ ବ୍ୟବସ୍ଥାରେ କୋଷାଗାର ସମୀକ୍ଷକମାନଙ୍କର ସେବା ନିୟମ ୨୦୧୭ ନିୟମାବଳୀ ପ୍ରସ୍ତୁତି ହୋଇଛି ।

ସେଆର କରନ୍ତୁ:



Powered by odothemes.com