Odisha-Hockey-Team

ବାଳକ ହକିରେ ଓଡ଼ିଶାକୁ ମୁକୁଟ

46

ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡ଼ା
ନୂଆଦିଲ୍ଲୀ, ୮ା୨ (ଏଜେନ୍ସି): ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡ଼ାରେ ଗୁରୁବାର ଓଡ଼ିଶା ଫାଇନାଲ୍ରେ ପଞ୍ଜାବକୁ ୨-୧ରେ ହରାଇ ବାଳକ ହକି ମୁକୁଟ ହାସଲ କରିଛି । ଏଥିପୂର୍ବରୁ ଚଣ୍ଡିଗଡ଼ ୫-୧ରେ ଉତ୍ତରପ୍ରଦେଶକୁ ହରାଇ କାଂସ୍ୟପଦକ ଜିତିଛି । ଅନ୍ୟପଟେ ବାଳିକା ହକିରେ ହରିଆନା ୨-୧ରେ ଝାଡ଼ଖଣ୍ଡକୁ ପରାଜିତ କରି ଚାମ୍ପିଅନ୍ ହୋଇଥିବାବେଳେ ପଞ୍ଜାବ ୫-୪ରେ ଚଣ୍ଡିଗଡ଼କୁ ହରାଇ ତୃତୀୟ ସ୍ଥାନ ହାସଲ କରିଛି । ବାଳକ ହକିର ଲିଗ୍ ପର୍ଯ୍ୟାୟରେ ଓଡ଼ିଶା ଦଳ ୩-୦ରେ ପଞ୍ଜାବକୁ ମାତ୍ ଦେଇଥିଲା । ଚୂଡ଼ାନ୍ତ ପର୍ଯ୍ୟାୟରେ ମଧ୍ୟ ଓଡ଼ିଶା ଦଳ ସମାନ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ଆଧିପତ୍ୟ ବିସ୍ତାର କରିଥିଲା । ତେବେ ଚୂଡ଼ାନ୍ତ ସ୍କୋର୍ଲାଇନ୍ ଓଡ଼ିଶା ପାଇଁ ଆକର୍ଷଣୀୟ ନ ଥିଲା, ଦଳ ଅଧିକ ବ୍ୟବଧାନରେ ଜିତିଥିଲେ ଉଚିତ ହୋଇଥାନ୍ତା । ଉତ୍ତରପ୍ରଦେଶ ବିପକ୍ଷରେ ସଂଘର୍ଷପୁର୍ଣ୍ଣ ସେମିଫାଇନାଲ୍ ଖେଳିବା ପରେ ଓଡ଼ିଶା ଖେଳାଳିଙ୍କ ମଧ୍ୟରେ କ୍ଲାନ୍ତିର ଚିହ୍ନବର୍ଣ୍ଣ ନ ଥିଲା । ଅପରପକ୍ଷରେ ଅନ୍ୟ ଏକ ସେମିଫାଇନାଲ୍ରେ ଚଣ୍ଡିଗଡ଼କୁ ହରାଇଥିବା ପଞ୍ଜାବ ଖେଳାଳି କ୍ଲାନ୍ତ ଜଣାପଡ଼ୁଥିଲେ । ମ୍ୟାଚ୍ ଆରମ୍ଭରୁ ଓଡ଼ିଶା ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ପଞ୍ଜାବକୁ ସେଟଲ୍ ହେବାକୁ ଦେଇ ନ ଥିଲା । ତେବେ ଅଧିକାଂଶ ସମୟରେ ପ୍ରାଧାନ୍ୟ ବିସ୍ତାର କରିବା ସତ୍ତ୍ୱେ ମଧ୍ୟାନ୍ତରର ଏକ ମିନିଟ୍ ପୂର୍ବରୁ ହିଁ ଓଡ଼ିଶା ଖାତା ଖୋଲିପାରିଥିଲା । ସୁଶୀଲ୍ ଧନୱାର ଏକ ପେନାଲ୍ଟି କର୍ଣ୍ଣର୍କୁ ଗୋଲ୍ରେ ପରିଣତ କରି ଦଳକୁ ଅଗ୍ରଣୀ କରିଥିଲେ । ଦ୍ୱିତୀୟାର୍ଦ୍ଧର ଆରମ୍ଭରେ ପଞ୍ଜାବ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଗୋଲ୍ ପରିଶୋଧ କରିବାକୁ ପ୍ରୟାସ କରିଥିଲା । ତେବେ ଓଡ଼ିଶା ଦଳ ପ୍ରତିପକ୍ଷର ପ୍ରୟାସକୁ ବିଫଳ କରିବା ସହ ୪୧ତମ ମିନିଟ୍ରେ ଆଉ ଏକ ଗୋଲ୍ ସ୍କୋର୍ କରିଥିଲା । ଷ୍ଟ୍ରାଇକର୍ ସୁଦୀପ ଚିର୍ମାକୋ ଏହି ଗୋଲ୍ ଦେବାପରେ ଦଳ ୨-୦ରେ ଅଗ୍ରଣୀଲାଭ କରିଥିଲା । ଖେଳ ଶେଷହେବାର ଅବ୍ୟବହିତ ପୂର୍ବରୁ ସୁଦର୍ଶନ ସିଂହଙ୍କ ଜରିଆରେ ପଞ୍ଜାବ ଏକ ସାନ୍ତ୍ୱନାମୂଳକ ଗୋଲ୍ ଦେଇଥିଲା ।
ତୃତୀୟ ସ୍ଥାନ ପ୍ଲେ-ଅଫ୍ରେ ଚଣ୍ଡିଗଡ଼ ୫-୧ରେ ୟୁପିକୁ ହରାଇଥିଲା । ବିଜେତା ଦଳ ପକ୍ଷରୁ ଅର୍ଶଦୀପ ସିଂହ ଓ ସାହିବଜିତ୍ ସିଂହ ଦୁଇଟି ଲେଖାଏଁ ଏବଂ ହରପନ୍ଥପ୍ରୀତ ସିଂହ ଗୋଟିଏ ଗୋଲ୍ କରିଥିବା ବେଳେ ୟୁପି ପକ୍ଷରୁ ଅଲ୍ଲୀ ଅଖତାର ଏକମାତ୍ର ଗୋଲ୍ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com