Bhagabata_Tungi

ବୁଡ଼ିବାକୁ ବସିଲାଣି ଭାଗବତ ଟୁଙ୍ଗି

106

ତିହିଡି (ଆପ୍ର): ଗାଁ ଗଣ୍ଡାରେ ଗାଁ ଚାଟଶାଳି ବୁଡିଯିବା ପରେ ଏବେ ଭାଗବତ ଟୁଙ୍ଗି ବୁଡି ଯିବାକୁ ବସିଛି । ଯେଉଁଥି ପାଇଁ ଗାଁ ଯୁବକ ନିଜ ଐତିହ୍ୟ, ପରମ୍ପରା, ସଂସ୍କୃତି ଓ ଭାଗବତ ଚେତନାରୁ ଦୂରେଇ ଯାଉଛନ୍ତି । ଗାଁ ଗଣ୍ଡାର ଏହି ଭଗବତ ଚେତନା ବୃଦ୍ଧି ସହ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଦେଇଥିବା ଅର୍ଥ ଖର୍ଚ୍ଚ ନ ହୋଇ ପାରି ଫେରିଯିବାକୁ ବସିଛି । ଭାଗବତ ଟୁଙ୍ଗି ଅଛି, ସରକାରୀ ଆର୍ଥିକ ଅନୁଦାନ ଅଛି କିନ୍ତୁ ଅର୍ଥକୁ କାମରେ ଲଗାଇବା ଅଧିକାରୀ (ବିଡିଓ)ଙ୍କ ଅସହଯୋଗରୁ ଗାଁ ଦାଣ୍ଡର ଏହି ସଂସ୍କୃତି-ପରମ୍ପରା ଲୋପ ପାଇଯିବାକୁ ବସିଛି । ମିଳିଥିବା ତଥ୍ୟ ଅନୁଯାୟୀ-ସରକାର ଭାଗବତ ଟୁଙ୍ଗି ପୁନରୁଦ୍ଧାର କରିବା ପାଇଁ ସଂସ୍କୃତି ବିଭାଗ ଜରିଆରେ ଭଦ୍ରକ ଜିଲ୍ଲାରେ ୨୦୧୫ରେ ସର୍ଭେ କରାଇଥିଲେ । ଖବର ପାଇ ସାରା ଜିଲ୍ଲାର ୨୩୫ ଗୋଟି ଭାଗବତ ଟୁଙ୍ଗିର ତତ୍ତ୍ୱାବଧାରକ ଜିଲ୍ଲା ସଂସ୍କୃତି ବିଭାଗକୁ ଦରଖାସ୍ତ ଦେଇଥିଲେ ସାହାଯ୍ୟ କରିବାକୁ । କାରଣ ସରକାରଙ୍କ ନିୟମ ଥିଲା ପ୍ରତ୍ୟେକ ଭାଗବତ ଟୁଙ୍ଗି ପୁନରୋଦ୍ଧାର ପାଇଁ ୨୫ ହଜାର ଟଙ୍କା ଅନୁଦାନ ଦିଆଯିବ । ଏହି ୨୫ ହଜାର ଟଙ୍କାରୁ ୧୫ ହଜାର ଟଙ୍କା ଭାଗବତ ଟୁଙ୍ଗି ନାମରେ ଏକ ଜମାଖାତା ଖୋଲାଯାଇ ରଖାଯିବା ସହ ୧୦ହଜାର ଟଙ୍କାରେ ମାଇକ୍ ସେଟ୍ କିଣାଯିବ । ବିଡମ୍ବନା ହେଲା-ସାରା ଜିଲ୍ଲାର ୭ଟି ବ୍ଲକ୍ରୁ ଭାଗବତ ଟୁଙ୍ଗିର ତତ୍ତ୍ୱାବଧାକର ଦେଇଥିବା ୨୩୫ ଗୋଟି ଦରଖାସ୍ତ ମଧ୍ୟରୁ ଜିଲ୍ଲା ସଂସ୍କୃତି ବିଭାଗ ମାତ୍ର ୫୦ ଗୋଟି ଟୁଙ୍ଗି କୁ ୨୦୧୬-୧୭ ରେ ପ୍ରାଥମିକ ସ୍ତରରେ ଚିହ୍ନଟ କରି ଆର୍ଥିକ ଅନୁଦାନ ଦେବାକୁ ତାଲିକା କରିଥିବା ବେଳେ ୨୦୧୭-୧୮ ଫାଇଲରେ ୮୦ଟି ଟୁଙ୍ଗିକୁ ତାଲିକା କଲେ । ତିହିଡି ବ୍ଲକ୍ର ୧୦ଟି ଭାଗବତ ଟୁଙ୍ଗି ଥିଲା ବେଳେ ଭଣ୍ଡାରିପୋଖରୀ ବ୍ଲକ୍ରେ ୧୦ ଟି, ଧାମନଗର ବ୍ଲକ୍ରେ ୧୩ ଟି, ଭଦ୍ରକ ବ୍ଲକ୍ରେ ୨ ଟି, ଚାନ୍ଦବାଲି ବ୍ଲକ୍ରେ ୫ ଟି, ବାସୁଦେବପୁର ବ୍ଲକ୍ରେ ୫ଟି ସହିତ ବାସୁଦେବପୁର ଏନ୍ଏସି ଓ ଭଦ୍ରକ ଏନ୍ଏସିରେ ୫ ଟି ଲେଖାଏଁ ଟୁଙ୍ଗି ଚିହ୍ନଟ କରାଗଲା । ଗତ ୧୫-୦୪-୨୦୧୫ ମସିହାରେ ଏହି ୫୦ଟି ଟୁଙ୍ଗିକୁ ସଂସ୍କୃତି ବିଭାଗ ୨୫ ହଜାର ଲେଖାଏଁ ମୋଟ ୧୨ ଲକ୍ଷ ୫୦ ହଜାର ଟଙ୍କା ସଂପୃକ୍ତ ବ୍ଲକ୍ ମାନଙ୍କର ବିଡିଓ ମାନଙ୍କ ନିକଟକୁ ପଠାଇ ଦେଲେ । ୨୦୧୫ ଏପ୍ରିଲ୍ ମାସରୁ ଆଜି ଯାଏଁ ଅର୍ଥାତ୍ ୨୦୧୭ ମାର୍ଚ୍ଚ ଭିତରେ ଏହି ୫୦ଟି ଟୁଙ୍ଗି ମଧ୍ୟରୁ ମାତ୍ର ୩୫ ଗୋଟି ଟୁଙ୍ଗି କୁ ଆର୍ଥିକ ଅନୁଦାନ ଯୋଗାଇଛନ୍ତି ବିଡିଓ । ଚାନ୍ଦବାଲି ବ୍ଲକ୍ର ୫ଟି ଟୁଙ୍ଗି କୁ ୧ଲକ୍ଷ ୨୫ହଜାର ଏବଂ ଭଣ୍ଡାରିପୋଖରୀ ବ୍ଲକ୍ର ୧୦ଟି ଭାଗବତ ଟୁଙ୍ଗିକୁ ୨ଲକ୍ଷ ୫୦ହଜାର ଟଙ୍କା ସଂପୃକ୍ତ ଅଞ୍ଚଳର ବିଡିଓ ସାହାଯ୍ୟ ଦେଇଛନ୍ତି । ବାକି ୮ଲକ୍ଷ ୭୫ ହଜାର ଟଙ୍କା ଦୁଇ ବର୍ଷ ହେଲା ତିହିଡି, ବାସୁଦେବପୁର, ଧାମନଗର, ଭଦ୍ରକ ଓ ଏନ୍ଏସି ଅଞ୍ଚଳରେ ପଡି ରହିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ବାକି ଥିବା ୮ଲକ୍ଷ ୭୫ ହଜାର ଟଙ୍କା ଅନୁଦାନରୁ ୫ ଲକ୍ଷ ଅନୁଦାନ ଦିଆଯାଇଛି । ସଂସ୍କୃତି ବିଭାଗ ଭାଗବତ ଟୁଙ୍ଗିର ତତ୍ତ୍ୱାବଧାରୀଙ୍କ ବାରମ୍ବାର ଟେଲିଫୋନ୍ ପାଇ ଚିଠି ପରେ ଚିଠି ଲେଖି ଚାଲିଛନ୍ତି ବିଡିଓଙ୍କୁ । ତଥାପି ମଧ୍ୟ ଶୁଣୁ ନାହାନ୍ତି ଏହି ସରକାରୀ ଅଧିକାରୀମାନେ । କଂକ୍ରିଟ୍ ରାସ୍ତା, ନରେଗା ଯୋଜନାର ନାଳ ଖୋଳା ଓ ଜିଜିୱାଇ ରାସ୍ତା ୱାର୍କଅର୍ଡର ଦେବାରେ ବ୍ୟସ୍ତ ବିଡିଓ ସଂସ୍କୃତି ଓ ପରମ୍ପରାକୁ ଭୁଲି ଗଲେଣି । ଅନ୍ୟପକ୍ଷରେ ଟୁଙ୍ଗି ଅର୍ଥ ସମ୍ପୂର୍ଣ୍ଣ ଏଯାଏଁ ଖର୍ଚ୍ଚ ହୋଇ ନଥିଲା ବେଳେ ପୁଣି ସରକାର ଆହୁରି ୬୬ଟି ଟୁଙ୍ଗି ଉଦ୍ଧାର ପାଇଁ ଅର୍ଥ ଦେଲେଣି ।

ସେଆର କରନ୍ତୁ:



Powered by odothemes.com