IMG_20180207_134553

ସଡ଼କ ସୁରକ୍ଷା ପାଇଁ ସମସ୍ତ ଆଶୁ ପଦକ୍ଷେପ ଗ୍ରହଣ କରାଯିବ: ଜିଲ୍ଲାପାଳ

52

ଢେଙ୍କାନାଳ,୭ା୨(ଆପ୍ର): ଢେଙ୍କାନାଳ ଜିଲ୍ଲା ସଡ଼କ ସୁରକ୍ଷା ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ସାରା ଜିଲ୍ଲାରେ ଥିବା ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ଗ୍ରାମ୍ୟ ସଡ଼କ ସୁରକ୍ଷା ନିମନ୍ତେ ସମସ୍ତ ଆଶୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରାରମ୍ଭରେ ଜିଲ୍ଲା ସଡ଼କ ପରିବହନ ଅଧିକାରୀ ଜଶମନ୍ତ କୁମାର ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଜିଲ୍ଲାରେ ସଡ଼କ ସୁରକ୍ଷା ନିମନ୍ତେ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାରେ ଜାତୀୟ ରାଜପଥ ୫୫ନଂର ପ୍ରାୟ ୬୨ କିମି ଓ ୫୩ ନମ୍ବର ଏନ୍ଏଚ୍ର ୭୨ କିମି ରହିଛି ଯାହାକି ୨୪ ଘଣ୍ଟା ଓଜନ୍ଦାର ଗାଡି ଚଳାଚଳରେ ବ୍ୟସ୍ତ ରହୁଛି । ସଡ଼କ ସୁରକ୍ଷା ନିମନ୍ତେ ଡିଜିଟାଲ ଟ୍ରାଫିକ୍ ସିଗ୍ନାଲ, ରମ୍ବଲର, ବ୍ଲିଙ୍କର ଓ ଷ୍ଟିକର ଲଗାଇବା ପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲାରେ ଥିବା ସମୁଦାୟ ୭୦୦କିମି ସଡ଼କ ସୁରକ୍ଷା ନିମନ୍ତେ ଏକ କମିଟି ଦ୍ୱାରା ସର୍ଭେ କରାଯାଉଛି । ଜିଲ୍ଲା ପୁଲିସ ଦ୍ୱାରା ଗୋଟିଏ ମାତ୍ର ପିସିଆର୍ ଭ୍ୟାନ୍ ଥିବାରୁ ଜିଲ୍ଲାପାଳ ଆଉ ଗୋଟିଏ ପିସିଆର୍ ଗାଡ଼ି ଯଥାଶୀଘ୍ର ଯୋଗାଇ ଦିଆଯିବ ବୋଲି କହିଥିଲେ । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିୟମିତ ଭାବେ ସଡ଼କ ମରାମତି ପାଇଁ ନିଦେ୍ର୍ଦଶ ଦିଆଯାଉଛି । ବିନା ହେଲ୍ମେଟ୍ରେ ପେଟ୍ରୋଲ ପମ୍ପଗୁଡ଼ିକ ପେଟ୍ରୋଲ ଦେବାକୁ ବାରଣ କରାଯିବ ଓ ମଦ୍ୟପାନ କରି ଗାଡ଼ିଚାଳନାକୁ ରୋକାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । କାମାକ୍ଷାନଗର ରାସ୍ତାରେ ବ୍ରାହ୍ମଣୀ ପୋଲ୍ରେ ଓବିସିସି ଆଦାୟ କରୁଥିବା ଟୋଲ୍ ଫି ବନ୍ଦ କରିବାକୁ ପଦକ୍ଷେପ ନିଆଯିବ ବୋଲି ସମ୍ମତି ପ୍ରକାଶ ପାଇଥିଲା । ଜିଲ୍ଲାରେ ଥିବା ସମସ୍ତ ସହରର ବେନିୟମ ରାସ୍ତାକୁ ଅବରୋଧମୁକ୍ତ କରାଯିବ ଏବଂ ଗାଡ଼ି ଚଳାଚଳରେ ସମସ୍ତ ବାଧାବିଘ୍ନ ଦୂର କରାଯିବ । ଜାତୀୟ ରାଜପଥ ଏବଂ ଅନ୍ୟାନ୍ୟ ରାସ୍ତାରେ ଥିବା ଢାବା ଗୁଡିକ ରାତି ୧୧ଟା ମଧ୍ୟରେ ବନ୍ଦ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବସନ୍ତ କୁମାର ପାଣିଗ୍ରାହୀ ପ୍ରକାଶ କରିଥିଲେ । ଦୁର୍ଘଟଣା ସମୟରେ ଆହତ ଲୋକଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ଆଣିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । ପୁଲିସ ଓ ଫାୟାର ଗାଡ଼ିରେ ଆହତ ଲୋକଙ୍କୁ ଡାକ୍ତରଖାନା ଆଣିବା ସମ୍ଭବ ହେଉ ନଥିବା ଆଲୋଚନା ହୋଇଥିଲା । ଜିଲ୍ଲାରେ ସମୁଦାୟ ୯୭ଗୋଟି ବାରିକେଡ୍ ଆବଶ୍ୟକ ହେଉଥିବାରୁ ତାହା ଶକ୍ତି ସୁଗାର୍ସ ଯୋଗାଇବ ବୋଲି ପ୍ରକାଶ କରିଥିଲେ । ବାରିକେଡ୍ରେ ସଡକ ସୁରକ୍ଷା ବାର୍ତ୍ତା ସହ ସୌଜନ୍ୟରୁ ମିଳିଥିବା ସଂସ୍ଥାର ନାମ ଲେଖାଯିବ । ବସ୍ ଓ ଟ୍ରକ୍ ଗୁଡିକରେ ସଡ଼କ ସୁରକ୍ଷା ବାର୍ତ୍ତା ଲେଖିବାକୁ ବସ୍ ମାଲିକ ସଂଘ ଓ ଟ୍ରକ୍ ମାଲିକ ସଂଘକୁ କୁହାଯାଇଥିଲା । ଶକ୍ତି ସୁଗାର୍ସରେ ମାଲ ପରିବହନ କରୁଥିବା ଯାନଗୁଡିକ ସାଧାରଣ ପରିବହନ ଲାଇସେନ୍ସ କରିବାକୁ ପରାମର୍ଶ ଦିଆଯାଇଛି । ବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଅଞ୍ଚଳରେ ଗାଡ଼ି ଧୀରେ ଚଳାନ୍ତୁ ଶିକ୍ଷାନୁଷ୍ଠାନ ଆଗରେ ବୋଲି ଲେଖିବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ କୁହାଯାଇଥିଲା । ଜିଲ୍ଲାର ସମସ୍ତ ବ୍ଲକରେ ବସ୍ଷ୍ଟାଣ୍ଡ ନିର୍ମାଣ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ଢେଙ୍କାନାଳ ସହରର ମୁଖ୍ୟ ବସ୍ ଷ୍ଟାଣ୍ଡ ମହିଷାପାଟ ଛକରେ କରାଯିବାପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ହିନେ୍ଦାଳ ଉପଜିଲ୍ଲାପାଳ ଭବେଶ କୁମାର ନାୟକ, କାମାକ୍ଷାନଗର ଉପଜିଲ୍ଲାପାଳ କଳ୍ପତ୍ତରୁ ବେହେରା, ସମସ୍ତ ତହସିଲଦାର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରେକୃଷ୍ଣ ପ୍ରଧାନ, ଜିଲ୍ଲା ରେଡକ୍ରସ୍ ଉପସଭାପତି ବିରଞ୍ଚି ନାରାୟଣ ପାଣିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଏବଂ ବସ୍ ଓ ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ସଡ଼କ ସୁରକ୍ଷା ପ୍ରସ୍ତୁତି ବୈଠକରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।




Powered by odothemes.com