ରେଳ ବଜେଟ୍‌ରେ ଓଡ଼ିଶାକୁ ପୁଣି ଉପେକ୍ଷା | ସର୍ବସାଧାରଣ ଖବରକାଗଜ
bjd

ରେଳ ବଜେଟ୍‌ରେ ଓଡ଼ିଶାକୁ ପୁଣି ଉପେକ୍ଷା

47

ଭୁବନେଶ୍ୱର (ବୁ୍ୟରୋ): ସଂସଦରେ ଉପସ୍ଥାପିତ ରେଳ ବଜେଟ୍‌ରେ ଓଡ଼ିଶା ପାଇଁ ବିଶେଷ କିଛି ଖୁସିର ଖବର ନାହିଁ । ଓଡ଼ିଶା ପରିପ୍ରେକ୍ଷୀରୁ ଏହା ସଂପୂର୍ଣ୍ଣ ନୈରାଶ୍ୟଜନକ । ଓଡ଼ିଶାର ଦାବି ପୂରଣ ପାଇଁ କୌଣସି କାର୍ଯ୍ୟକ୍ରମ ନାହିଁ । ବଜେଟ୍‌ଟି ସଂପୂର୍ଣ୍ଣ ରୂପେ ସଂଖ୍ୟାର ଖେଳ । କିଛିବର୍ଷ ହେଲା ବିଭିନ୍ନ ପ୍ରକଳ୍ପ ନାଁରେ କେବଳ ଅର୍ଥ ବରାଦର ଘୋଷଣା କରାଯାଉଛି । ପ୍ରକୃତ କ୍ଷେତ୍ରରେ କେତେ ଅର୍ଥ ଖର୍ଚ୍ଚ ହେଉଛି, ତାହାର କୌଣସି ସମୀକ୍ଷା ହେଉନାହିଁ । ଷ୍ଟେସନ୍‌ର ଆଧୁନିକୀକରଣ, ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ରେଳ ଷ୍ଟେସନ୍‌ ନିର୍ମାଣ, ବହୁଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍‌ ସମେତ ଓଡ଼ିଶା ଦୀର୍ଘଦିନ ଧରି ଦାବି କରିଆସୁଥିବା ଏବଂ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିବା କେତୋଟି ରେଳ ଲାଇନ୍‌ ସଂପର୍କରେ ବଜେଟ୍‌ରେ ବିଶେଷ କିଛି ବ୍ୟବସ୍ଥା ନାହିଁ ବୋଲି ବିଜୁ ଜନତା ଦଳ ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦେବ କହିଛନ୍ତି ଯେ ସବୁଠାରୁ ଆଶ୍ଚର୍ଯ୍ୟ ଓ ଦୁର୍ଭାଗ୍ୟଜନକ ଘଟଣା ରେଳମନ୍ତ୍ରୀ ତାଙ୍କ ଟ୍ୱିଟ୍‌ର୍‌ରେ ଦର୍ଶାଇଛନ୍ତି ଯେ ଓଡ଼ିଶାରେ ୪୭୫୦ କିଲୋମିଟର ରେଳ ଲାଇନ୍‌ ନିର୍ମାଣ ଚାଲିଛି । କିନ୍ତୁ ରେଳ ମନ୍ତ୍ରାଳୟର ୱେବ୍‌ସାଇଟ୍‌ ଅନୁଧ୍ୟାନ କରିବାରୁ ଜଣାପଡିଛି ଯେ ମାତ୍ର ୨୯୩୬ କିଲୋମିଟର ରେଳ ଲାଇନ୍‌ ନିର୍ମାଣାଧୀନ ରହିଛି । ଯେଉଁଥିରେ ଜୟପୁର-ମାଲକାନଗିରି, ଗୁଣପୁର-ଥେରୁବାଲି ରେଳଲାଇନ୍‌, ଯଥାକ୍ରମେ ୧୩୦ କିମି ଓ ୭୯ କିମି ରେଳ ମନ୍ତ୍ରାଳୟ ଦ୍ୱାରା ଅନୁମୋଦନ ହୋଇନାହିଁ । ଏଠାରେ ପ୍ରଶ୍ନ ଉଠୁଛି ମନ୍ତ୍ରୀଙ୍କ ଟ୍ୱିଟର୍‌ ଓ ରେଳବାଇ ବିଭାଗର ତଥ୍ୟକୁ ଯୋଡ଼ିଲେ ୧୮୧୪ କିମି ରେଳଲାଇନ୍‌ ଗଲା କୁଆଡ଼େ? ନୂଆପଡ଼ା-ବରଗଡ଼-ବିଜେପୁର ରେଳଲାଇନ୍ ନିର୍ମାଣ ମଧ୍ୟ ଏହି ବଜେଟ୍ରୁ ବାଦ୍ ଦିଆଯାଇଛି । ଏହା ଗାଏବ ହେଲା କିପରି? ଏଥିପାଇଁ ରାଜ୍ୟବାସୀ ଥାନାରେ ଏତଲା ଦେବାକୁ ପଡିବାର ଆବଶ୍ୟକତା ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ଗତବର୍ଷ ଓଡ଼ିଶାକୁ ରେଳ ବଜେଟ୍‌ରେ ଯେଉଁ ଅର୍ଥ ଦିଆଯାଇଥିଲା ସେଥିରୁ ୫୮ ପ୍ରତିଶତ ଅର୍ଥ ଖର୍ଚ୍ଚ ନହୋଇ ରହିଛି । ଚଳିତବର୍ଷ ସେହି ୫୮% ଅର୍ଥକୁ ମିଶାଇ ବଜେଟ୍‌ରେ ୫୨୫୨ କୋଟି ଟଙ୍କା ଦିଆଯାଇଛି, ଯାହା ଲୋକଙ୍କୁ ଭଣ୍ଡାଇବା ପାଇଁ ଉଦ୍ଦିଷ୍ଟ । ଏହାକୁ ନେଇ ବିଜେପି ପ୍ରବକ୍ତାମାନେ କହୁଛନ୍ତି, ଓଡ଼ିଶାକୁ ଏବର୍ଷ ଅଧିକ ଅର୍ଥ ବରାଦ ହୋଇଛି । ଯଦି ହିସାବକୁ ନିଆଯାଏ, ତେବେ ଗତବର୍ଷ ତୁଳନାରେ ମାତ୍ର ୨.୯% ଅଧିକ ଅର୍ଥ ରେଳ ବଜେଟ୍‌ରେ ବରାଦ ହୋଇଛି, ତାହା ପୁଣି ଗତବର୍ଷର ପଡିରହିଥିବା ୫୮ % ଅର୍ଥକୁ ମିଶାଇଲେ ହେବ ।




Powered by odothemes.com