20180204_131920

ବ୍ଲକ୍ରେ ବସିବାକୁ ଚୌକି ଦିଆଯାଉନି!

47

ପଦମର୍ଯ୍ୟାଦା ପାଇଁ ସମିତିସଭ୍ୟଙ୍କ ଜୋରଦାର ପ୍ରୟାସ, ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଗଠନ
ଯାଜପୁର(ଆପ୍ର): ପଞ୍ଚାୟତ ନିର୍ବାଚନରେ ସରପଞ୍ଚଙ୍କ ଭଳି ସମିତି ମେମ୍ବରମାନଙ୍କୁ ସ୍ଥାନୀୟ ମତଦାତା ପ୍ରଶାସନ ନିକଟରେ ସେମାନଙ୍କ ଦାବି ଉପସ୍ଥାପନ କରିବାକୁ ଭୋଟ୍ ଦେଇ ନିର୍ବାଚିତ କରିଛନ୍ତି । ହେଲେ କୌଣସି ସରକାରୀ ଯୋଜନା ପ୍ରସ୍ତୁତି କିମ୍ବା ଏହାର କାର୍ଯ୍ୟକାରିତା ସମ୍ବନ୍ଧରେ ବ୍ଲକ୍ ପ୍ରଶାସନ ସମିତି ମେମ୍ବରମାନଙ୍କୁ ପଚାରୁନାହାନ୍ତି । ଏପରିକି ବାର୍ଦ୍ଧକ୍ୟଭତ୍ତା ଠାରୁ ଆରମ୍ଭ କରି ପାଇଖାନା ନିର୍ମାଣ, ପକ୍କାଘର ଯୋଜନା, ମହାତ୍ମା ଗାନ୍ଧି କର୍ମନିଯୁକ୍ତି ଯୋଜନା କିମ୍ବା ପଞ୍ଚାୟତରେ ହେଉଥିବା ଯେ କୈାଣସି ଉନ୍ନୟନ ମୂଳକ କାର୍ଯ୍ୟରେ ସମିତି ମେମ୍ବର ମାନେ ଏକ ପ୍ରକାର ଅଲୋଡ଼ା ହୋଇଛନ୍ତି । ମୋଟ ଉପରେ କହିବାକୁ ଗଲେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପରେ ସମିତି ମେମ୍ବରମାନଙ୍କର ଆଉ କୌଣସି ମର୍ଯ୍ୟାଦା ନାହିଁ କହିଲେ ଭୁଲ ହେବ ନାହିଁ । ବ୍ଲକର ବିଡ଼ିଓ ମାନେ ବ୍ଲକ କାର୍ଯ୍ୟାଳୟରେ ଆମ୍ଭମାନଙ୍କୁ ବସିବା ପାଇଁ ଚୈାକିଟିଏ ପ୍ରଦାନ କରିବା ତ ଦୂରେ ଥାଉ ଆମ କଥାକୁ ଶୁଣିବାକୁ ପ୍ରସ୍ତୁତ ନଥିବା ପରି ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଏହିସବୁ ବିଷୟକୁ ନେଇ ଯାଜପୁରଟାଉନ ସ୍ଥିତ ଆଶ୍ରୟ ଲଜ୍ଠାରେ ଜିଲ୍ଲାର ୭ଟି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ସମିତି ମେମ୍ବରମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବରୀ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରମେଶ ଭଞ୍ଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ନିମନ୍ତ୍ରିତ ଅତିଥି ଭାବେ ଦଶରଥପୁର ଓ ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ସାହୁ ଓ ସୁନନ୍ଦା ଦାସ ଯୋଗ ଦେଇ ସମିତି ମେମ୍ବରଙ୍କ ଦ୍ୱାରା ଉପସ୍ଥାପିତ ସମସ୍ତ ଦାବି ଗୁଡ଼ିକୁ ସରକାର ବିଚାରକୁ ନେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଭଦ୍ରକ ଜିଲ୍ଲା ସମିତି ମେମ୍ବର ସଂଘର ସଭାପତି ଶରତ ଖିଲାର ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ । ବୈଠକରେ ଦଶରଥପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରଞ୍ଜନ କୁମାର ପୃଷ୍ଟି, ବିଞ୍ଝାରପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷା କୁମୁଦୁନୀ ଦାସ, ଯାଜପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ କରୁଣାକର ଆଚାର୍ଯ୍ୟ ପ୍ରମୁଖ ସମିତି ମେମ୍ବର ମାନଙ୍କ ପଦ ମର୍ଯ୍ୟାଦା ବଜାୟ ରଖିବାକୁ ସରକାର ଦାବି ଗୁଡ଼ିକ ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ କହିଥିଲେ । ସେହିପରି ବିଞ୍ଝାରପୁର ବ୍ଲକ୍ ଜରୀ ପଞ୍ଚାୟତ ସମିତି ମେମ୍ବର ଭୁବନାନନ୍ଦ ସାମଲ, ବରୀ ବ୍ଲକ୍ର ଦେବେନ୍ଦ୍ର ଦାସ ଓ ପ୍ରଦୀପ ଘଡ଼ାଇ, କୋରେଇ ବ୍ଲକରୁ ପ୍ରମୋଦ ସାହୁ ଓ ଚହର ଅଲ୍ଲୀ, ଦଶରଥପୁର ବ୍ଲକର ମଳୟ ପଣ୍ଡା, ଯାଜପୁର ବ୍ଲକର ତ୍ରିଲୋଚନ ଜେନା ପ୍ରମୁଖ ସମିତି ମେମ୍ବରମାନେ ସରକାର ତଥା ବ୍ଲକ୍ ପ୍ରଶାସନ ତରଫରୁ କିଭଳି ସେମାନଙ୍କୁ ପ୍ରତ୍ୟେକ ସରକାରୀ କାର୍ଯ୍ୟକ୍ରମରେ ଉପେକ୍ଷା କରାଯାଉଥିବା ଉପରେ ଆଲୋଚନା କରିବା ସହ ଦରକାର ପଡ଼ିଲେ ଦାବି ହାସଲ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଧାନସଭା ଅଭିଯାନ କରାଯିବା ଭଳି ପଦକ୍ଷେପ ହାତକୁ ନିଆଯିବ ବୋଲି ପ୍ରକାଶ କରିଥିଲେ । ପରେ ବୈଠକରେ ଉପସ୍ଥିତ ୭ଟି ବ୍ଲକର ମେମ୍ବର ମାନଙ୍କୁ ନେଇ ଏକ ୧୦ ସଦସ୍ୟ ବିଶିଷ୍ଟ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିଲା ।




Powered by odothemes.com