DVGqFKcV4AAVSe-

ବିଶ୍ୱବିଜୟରେ ନୂଆ କୀର୍ତ୍ତିମାନ୍

74

୧୯ବର୍ଷରୁ କମ୍ କ୍ରିକେଟ୍ ମହାକୁମ୍ଭ
ମାଉଣ୍ଟ ମୌଙ୍ଗାନୁଇ, ୩ା୧୦ (ଏଜେନ୍ସି): ତିନି ସପ୍ତାହ ପୂର୍ବେ ବେ’ ଓଭାଲ୍ ମଇଦାନରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଅପରାଜେୟ ଅଭିଯାନ ଆରମ୍ଭ କରିଥିଲା । ସେତେବେଳେ ବିଜୟର ବ୍ୟବଧାନ ଥିଲା ୧୦୦ ରନ୍ ଆଉ ଶନିବାର ୮ ୱିକେଟ୍ରେ ସାଫଲ୍ୟ ଅର୍ଜନ । ଫଳାଫଳ ଦୃଷ୍ଟିରୁ ଉଭୟ ବିଜୟ ଏକାଭଳି ଦୃଶ୍ୟମାନ ହେଉଥିଲେହେଁ ମୁକୁଟ ଲଢ଼େଇରେ ପୃଥ୍ୱୀସେନାଙ୍କ ଶକ୍ତି ପ୍ରଦର୍ଶନ ଥିଲା ପୂର୍ବାପେକ୍ଷା ଅଧିକ ଉଲ୍ଲେଖନୀୟ । ଷ୍ଟାଡିୟମ୍ରେ ଉପସ୍ଥିତ ୪୦୦୦ ଦର୍ଶକଙ୍କ ସମର୍ଥନ କାହାପ୍ରତି ଅଧିକ ଥିଲା, ତାହା ଭିନ୍ନ ପ୍ରସଙ୍ଗ ହୋଇପାରେ; ତେବେ ପ୍ରତିଯୋଗିତା ଆରମ୍ଭରୁ ହିଁ ଭାରତକୁ ଦାବିଦାର ଆଖ୍ୟା ଦିଆସରିଥିଲା । ଅଷ୍ଟ୍ରେଲିଆ ଆଗରେ ପୂର୍ବ ପ୍ରଦର୍ଶନକୁ ସୁଧାରିବାର ଆହ୍ୱାନ ଥିଲା, କିନ୍ତୁ ଭାରତ ସ୍ୱପ୍ନ ଦେଖିଥିଲା ଇତିହାସ ରଚିବାପାଇଁ । ଶେଷରେ ଭାରତୀୟଙ୍କ ସ୍ୱପ୍ନର ସାକାର ରୂପାୟନର ମୁକସାକ୍ଷୀ ହେଲା ବିଦେଶୀ ମାଟି । ରେକର୍ଡ ଚତୁର୍ଥ ଥର ୧୯ବର୍ଷରୁ କମ୍ ବିଶ୍ୱ ମୁକୁଟ ହାସଲକରି ଯୁବବାହିନୀ ଦେଶରେ କ୍ରିକେଟ୍ର ଭବିଷ୍ୟତ କେତେ ଉଜ୍ଜ୍ୱଳ, ତାହାର ଏକ ନମୁନା ପ୍ରଦର୍ଶନ କରିଥିଲେ ବିଶ୍ୱ ସମୁଦାୟ ସମ୍ମୁଖରେ । ଏଥିପୂର୍ବରୁ ଟୁର୍ଣ୍ଣାମେଣ୍ଟ ଇତିହାସରେ ଭାରତ ଓ ଅଷ୍ଟ୍ରେଲିଆ ତିନିଥର ଲେଖାଏଁ ବିଜେତା ହୋଇଥିଲେ । ଆଜି ପୃଥ୍ୱୀସେନା ଅଷ୍ଟ୍ରେଲିଆକୁ ପଛରେ ପକାଇ ସର୍ବାଧିକ ଥର ବିଶ୍ୱକପ୍ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି । ଏଥିପୂର୍ବରୁ ୨୦୦୨, ୨୦୦୮ ଓ ୨୦୧୨ରେ ଭାରତ ମୁକୁଟ ଜିତିଥିଲା । ୨୦୦୨ରେ ମହମ୍ମଦ କୈଫ୍, ୨୦୦୮ରେ ବିରାଟ କୋହଲି ଓ ୨୦୧୨ରେ ଉନ୍ମୁକ୍ତ ଚାନ୍ଦଙ୍କ ନେତୃତ୍ୱରେ ଭାରତ ଏହି ସଫଳତା ପାଇଥିଲା । ମନଜୋତ୍ କାଲ୍ରା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ଶୁଭମାନ୍ ଗିଲ୍ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଥୋଡ଼, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କିମ୍ବଦନ୍ତୀ କ୍ରିକେଟର୍ ସଚିନ୍ ତେନ୍ଦୁଲକରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।୨୨୦ ରନ୍ର ସହଜ ବିଜୟଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ଭାରତ । ଅଧିନାୟକ ପୃଥ୍ୱୀ ଶ’ ଓ ମନଜୋତ୍ କାଲ୍ରାଙ୍କ ଓପନିଂ ଯୋଡ଼ି ପ୍ରଥମରୁ ବେଶ୍ ଦୃଢ଼ତାର ସହ ଖେଳିଥିଲେ । ଉଭୟଙ୍କ ମଧ୍ୟରେ ୭୧ ରନ୍ର ଭାଗୀଦାରୀ ହୋଇଥିଲା । ପୃଥ୍ୱୀ(୨୯)ଙ୍କୁ ଆଉଟ୍ କରି ୱିଲ୍ ସଦରଲାଣ୍ଡ୍ ଏହି ଯୋଡ଼ି ଭାଙ୍ଗିଥିଲେ । ଅନ୍ୟପଟେ ମନଜୋତ୍ଙ୍କ ଉଜ୍ଜ୍ୱଳ ଇନିଂସ୍ ଜାରି ରହିଥିଲା । ସେ ନୂଆ ବ୍ୟାଟ୍ସମ୍ୟାନ୍ ଶୁଭମାନ୍ ଗିଲ୍ଙ୍କ ସହ ମିଶି ଇନିଂସ୍କୁ ୧୦୦ ଅତିକ୍ରମ କରାଇବା ସହ ୬୦ ରନ୍ର ଭାଗୀଦାରୀ କରିଥିଲେ । ଶୁଭମାନ୍ ୩୧ ରନ୍ କରି ପରମ ଉପ୍ପଲଙ୍କ ଶିକାର ହୋଇଥିଲେ । ଏହାପରେ ମନଜୋତ୍ ଓ ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍ ହାର୍ଦ୍ଦିକ ଦେଶାଇ ମିଶି ଇନିଂସ୍କୁ ଲକ୍ଷ୍ୟପଥରେ ଅଗ୍ରସର କରାଇଥିଲେ । ଏହି ଯୋଡ଼ି ଭାଙ୍ଗିବାରେ ସଫଳ ହୋଇ ନ ଥିଲେ ଅଷ୍ଟ୍ରେଲୀୟ ବୋଲର୍ । ବିଜୟର ଅବ୍ୟବହିତ ପୂର୍ବରୁ ମନଜୋତ୍ ଶତକ ପୂରଣ କରିଥିଲେ । ଉଭୟ ୩୯ତମ ଓଭର୍ରେ ଦଳକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ଭାରତୀୟ ଦଳ ୩୮.୫ ଓଭର୍ରେ ୨ ୱିକେଟ୍ ହରାଇ ୨୨୦ ରନ୍ ସଂଗ୍ରହ କରିଥିଲା । ମନଜୋତ୍ ୧୦୨ ବଲ୍ରୁ ୮ ଚୌକା ଓ ୩ ଛକା ସହାୟତାରେ ୧୦୧ ଏବଂ ହାର୍ଭିକ ୫ ଚୌକା ସହାୟତାରେ ୪୭ ରନ୍ କରି ଅପରାଜିତ ଥିଲେ ।
ଏଥିପୂର୍ବରୁ ଅଷ୍ଟ୍ରେଲିଆର ଅଧିନାୟକ ଜାସନ୍ ସାଙ୍ଘା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଜୋନାଥନ୍ ମେର୍ଲୋଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ଙ୍କ ପ୍ରଦର୍ଶନ ଆଶାନୁରୂପକ ନ ଥିଲା । ମେର୍ଲୋ ସର୍ବାଧିକ ୭୬ (୬ ଚୌକା ସହାୟତାରେ) ରନ୍ କରିଥିବା ବେଳେ ଉପ୍ପଲ୍ ୩୪, ଜ୍ୟାକ୍ ଏଡ୍ୱାର୍ଡ୍ସ ୨୮, ନାଥନ୍ ମ୍ୟାକ୍ସ୍ୱିନୀ ୨୩, ମ୍ୟାକ୍ସ ବ୍ରାଏଆଣ୍ଟ ୧୪, ଅଧିନାୟକ ସାଙ୍ଘା ୧୩ ରନ୍ ସଂଗ୍ରହ କରିଥିଲେ । ଭାରତୀୟ ବୋଲର୍ଙ୍କ ସାମ୍ନା କରି ନ ପାରି ଅଷ୍ଟ୍ରେଲୀୟ ଦଳ ୪୭.୨ ଓଭର୍ରେ ୨୧୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଇଶାନ୍ ପଟେଲ୍, ଶିବ ସିଂହ, କମଳେଶ ନଗରକୋଟି ଓ ଅନୁକୂଳ ରାୟ ୨ଟି ଲେଖାଏଁ ଏବଂ ଶିବମ୍ ମାଭି ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ ।

ସେଆର କରନ୍ତୁ:



Powered by odothemes.com