୨୦୨୨ ଟାର୍ଗେଟ୍ କାହିଁକି? | ସର୍ବସାଧାରଣ ଖବରକାଗଜ
Modi12

୨୦୨୨ ଟାର୍ଗେଟ୍ କାହିଁକି?

52

ଭୁବନେଶ୍ୱର, (ବୁ୍ୟରୋ): ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରର କାର୍ଯ୍ୟକାଳ ପାଖାପାଖି ୧୫ରୁ ୧୬ ମାସ ରହିଛି । ୪ ମାସ ପୂର୍ବରୁ ୨୦୧୯ ସାଧାରଣ ନିର୍ବାଚନ ଲାଗି ପ୍ରକ୍ରିୟା ଆରମ୍ଭ ହେବ । ଆଚରଣବିଧି ଲାଗୁ ହେଲା ପରେ କୌଣସି କାର୍ଯ୍ୟ ହେବା ସମ୍ଭବ ନୁହେଁ । ବସ୍ତୁତଃ ଦେଖିବାକୁ ଗଲେ ଏନ୍ଡିଏ ସରକାରଙ୍କ ନିକଟରେ କାର୍ଯ୍ୟ କରିବାର ସମୟ ମାତ୍ର ବର୍ଷେ ରହିଛି । ବିଗତ ୪ ବର୍ଷ ମଧ୍ୟରେ ଏନ୍ଡିଏ ସରକାର ଦେଇଥିବା କୌଣସି ପ୍ରତିଶ୍ରୁତି ପ୍ରାୟତଃ ପୂରଣ ହୋଇନଥିବା କହିଲେ ଚଳେ । ସବୁଠୁ ଆଶ୍ଚର୍ଯ୍ୟର କଥା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ କେନ୍ଦ୍ର ସରକାରର ମନ୍ତ୍ରୀଗଣ ୨୦୧୯ ନିର୍ବାଚନ ବର୍ଷକୁ ଗଣୁନାହାନ୍ତି । ସେମାନେ ଏବେ ୨୦୨୨ କଥା କହୁଛନ୍ତି । ୨୦୨୨ ବେଳକୁ କ’ଣ କରିପାରିବେ ସେ ବିଷୟ ଉଲ୍ଲେଖ କରି ପୁଣି ଏକ ସ୍ୱପ୍ନ ଦେଖାଉଛନ୍ତି । ଫେବ୍ରୁଆରୀ ପହିଲାରେ ଆଗତ ସାଧାରଣ ବଜେଟ୍ ୨୦୨୨ର ସ୍ୱପ୍ନ ବାଣ୍ଟିଛି । ୨୦୨୨ ସୁଦ୍ଧା କୃଷକଙ୍କ ଆୟକୁ ଦ୍ୱିଗୁଣିତ କରାଯିବ ବୋଲି କୁହାଯାଇଛି । ତେବେ ଏହା କିଭଳି ହେବ ତାହାର କୌଣସି ନିର୍ଦ୍ଧିଷ୍ଟ ରୂପରେଖ ନାହିଁ । ଦ୍ୱିତୀୟରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)କୁ ଉତ୍ପାଦିତ ମୂଲ୍ୟ ତୁଳନାରେ ଦେଢଗୁଣ ଅଧିକ କରିବେ ବୋଲି ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ କହି ବେଶ୍ ବାହା ବାହା ସାଉଣ୍ଟିବାକୁ ଉଦ୍ୟମ କରିଛନ୍ତି । ହେଲେ ଏହାର ଆଧାର କ’ଣ, ଏହା କେବେଠୁ ଲାଗୁ ହେବ ତାହାର କୌଣସି ସୂଚନା ନାହିଁ । ଶିକ୍ଷା ଭିତ୍ତିଭୂମି ବିକାଶର ଲକ୍ଷ୍ୟ ୨୦୨୨ କରାଯାଇଛି । ୨୦୨୨ ସୁଦ୍ଧା ବି ସମସ୍ତ ଆଦିବାସୀ ଅଧୁ୍ୟଷିତ ଅଞ୍ଚଳଗୁଡିକରେ ଏକଲବ୍ୟ କିମ୍ବା ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବାର ପ୍ରତିଶ୍ରୁତି ଦିଆଯାଇଛି । ସବୁ ଗରିବ ଲୋକଙ୍କୁ ଘର ୨୦୨୨ ସୁଦ୍ଧା ମଧ୍ୟ ଶେଷ ହେବ । ୨ କୋଟି ଶୌଚାଳୟ ନିର୍ମାଣ ଲକ୍ଷ୍ୟ ଚଳିତ ବର୍ଷ କରାଯାଇଛି । ତେବେ ବର୍ଷକ ମଧ୍ୟରେ କିଭଳି ଏହା ନିର୍ମାଣ ହେବ ତାହା ପ୍ରଶ୍ନବାଚୀ । ଦକ୍ଷତା ବିକାଶକୁ ଗୁରୁତ୍ୱ ଦେଇଛନ୍ତି । କିନ୍ତୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ପ୍ରୋତ୍ସାହନ ନାହିଁ । ତାଲିମ ନେଉଥିବା ଯୁବକମାନେ କିଭଳି ନିଯୁକ୍ତି ପାଇବେ ତାହାର କୌଣସି ସୂଚନା ନାହିଁ ।୨୦୧୪ ନିର୍ବାଚନ ସମୟରେ ବିଜେପି ସଂକଳ୍ପ ପତ୍ର ଜାରି କରିଥିଲା । ଅନ୍ୟ ଦଳଗୁଡିକ ଯାହାକୁ ଇସ୍ତାହାର କହନ୍ତି, ବିଜେପି ଭାଷାରେ ତାହା ସଂକଳ୍ପ । ସେଥିରେ ଉଲ୍ଲେଖ ଥିଲା ଯେ ଏମ୍ଏସ୍ପିକୁ ଦେଢଗୁଣା କରିବେ । ଚାଷୀର ଜୀବନ ଧାରଣ ମାନରେ ପରିବର୍ତ୍ତନ ଓ ସବୁ ଜମିକୁ ପାଣି ଦେବେ । ୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ଓ ବିଦେଶରୁ କଳାଟଙ୍କା ଆଣି ଗରିବଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଦେବେ । ଏହିଭଳି ଅନେକ ସ୍ୱପ୍ନ ଥିଲା ସଂକଳ୍ପରେ । ୨୦୧୮ ସୁଦ୍ଧା ଏଥିରୁ ଗୋଟିଏ ବି ପୂରଣ ହୋଇପାରିଲାନାହିଁ । ନିର୍ବାଚନର ବର୍ଷକ ପୂର୍ବରୁ ପୁଣି ସମାନ ସ୍ୱପ୍ନ ବିକାଯାଇଛି । ରାଜନୈତିକ ସମୀକ୍ଷକଙ୍କ ମତରେ ଦେଶର ଗରିବ ଓ ଅବହେଳିତ ଲୋକମାନେ ସ୍ୱପ୍ନରେ ବଞ୍ଚôବାକୁ ପସନ୍ଦ କରିଥାନ୍ତି । ଆଗକୁ କିଛି ମିଳିବ ଆଶା କରି ଆଖିବୁଜା ସମର୍ଥନ ଦିଅନ୍ତି । ଏହି ମାନସିକତାକୁ ବିଜେପିର ଶୀର୍ଷ ନେତୃତ୍ୱ ବୋଧେ ବୁଝି ସେମାନଙ୍କୁ ଶୋଷଣ କରିବାକୁ ମନ ସ୍ଥିର କରିଛନ୍ତି । ଅନ୍ୟପକ୍ଷରେ ମଧ୍ୟବିତ୍ତ ବର୍ଗ ୟୁପିଏ ଶାସନ ସମୟରେ ମୁଦ୍ରାସ୍ଫୀତି, ମୂଲ୍ୟ ବୃଦ୍ଧିକୁ ନେଇ ଅଣନିଶ୍ୱାସୀ ହୋଇପଡିଥିଲେ । ସେହି ସମୟରେ ତୈଳ ଓ ଏଲ୍ପିଜି ଦର ଥରେ ବଢିଲେ ବିଜେପିର ଶୀର୍ଷ ନେତୃତ୍ୱମାନେ ପ୍ରଧାନମନ୍ତ୍ରୀଭାବେ ମନମୋହନ ସିଂହଙ୍କର କ୍ଷମତାରେ ରହିବାର ଅଧିକାର ନାହିଁ ବୋଲି ବୟାନବାଜି କରିବା ସହ ଗ୍ୟାସ୍ ଟାଙ୍କି ଧରି ରାଜରାସ୍ତାକୁ ଓହ୍ଲାଉଥିଲେ । ଜିଏସ୍ଟି, ଏମ୍ଜିନରେଗା, ଆଧାରକୁ ତୀବ୍ର ବିରୋଧ କରୁଥିଲେ । ପାକିସ୍ତାନ ପକ୍ଷରୁ ନିୟନ୍ତ୍ରଣ ରେଖା ନିକଟରେ ହେଉଥିବା ବାରମ୍ବାର ଅସ୍ତ୍ରବିରତୀ ଉଲ୍ଲଂଘନକୁ ମଧ୍ୟ ପ୍ରସଙ୍ଗ କରୁଥିଲେ । କ୍ଷମତାକୁ ଆସିଲା ପରେ ୟୁପିଏର ଯୋଜନାକୁ ଗଳାମାଳି କଲେ । ଜିଏସ୍ଟିକୁ ରାତି ଅଧରେ ଲାଗୁ କରି ଆର୍ଥôକ କ୍ଷେତ୍ରରେ ସବୁଠୁ ବଡ ସଂସ୍କାର ବୋଲି ମତ ଦେଲେ । ଏମ୍ଜିନରେଗାରେ ଅନୁଦାନ ବଢାଇ ତାଙ୍କ ସରକାରର ଅନ୍ୟନ୍ୟ ସଫଳତା ବୋଲି ପ୍ରଚାର କଲେ । ଆଧାରକୁ ସବୁ କ୍ଷେତ୍ରରେ ସଂଯୋଗ କରାଇଲେ । ୨୦୧୪ରେ ୨୦୧୮ ମଧ୍ୟରେ ଏନ୍ଡିଏ ସରକାର ନିଜସ୍ୱ ଯୋଜନା ପ୍ରଣୟନ ନକରି ୟୁପିଏର ଯୋଜନାକୁ ନୂଆ ରୂପରେଖ ଦେଇ ନିଜର ବୋଲି ଦାବି କରିଚାଲିଛନ୍ତି । ଦେଶ ସ୍ୱାଧୀନ ହେଲା ପରେ ଯେତେ ସରକାର ଗଠନ ହୋଇଛି, ସବୁ ସରକାର ଅନେକ ଯୋଜନା ଘୋଷଣା କରିଛନ୍ତି । ସେ ଯୋଜନାର ସ୍ଥିତି କ’ଣ ତାହା କେହି କହିପାରିବେନାହିଁ । ସରକାର ବଦଳିଲେ ଯୋଜନା ବଦଳେ କିମ୍ବା ପୁରୁଣା ଯୋଜନାକୁ ନୂଆ ନାମରେ ଚାଲୁକରାଯାଏ । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାର କେବଳ ନୂଆ ବୋତଲରେ ପୁରୁଣା ମଦ ରଖି ବାହା ବାହା ନେଉଛି ।




Powered by odothemes.com