dipti

ସରି ମମ୍ ଲେଖି ଆତ୍ମହତ୍ୟା କଲେ ଛାତ୍ରୀ

66

ଘରୋଇ ସ୍କୁଲ୍ର ଅମାନବୀୟ ଆଚରଣ
ହାଇଦ୍ରାବାଦ୍, ୨ା୨: ଶିକ୍ଷାର ବ୍ୟବସାୟୀକରଣ କରୁଥିବା ଘରୋଇ ସ୍କୁଲ୍ଗୁଡିକର ଛାତ୍ରଛାତ୍ରୀମାନଙ୍କୁ ମାନସିକ ନିର୍ଯାତନା ଦେବାର ଆଉ ଏକ ନଜିର ଦେଖିବାକୁ ମିଳିଛି । ହାଇଦରାବାଦ୍ର ଏକ ଘରୋଇ ସ୍କୁଲ୍ର କର୍ତ୍ତୃପକ୍ଷ ଜଣେ ୧୪ ବର୍ଷର ଦଳିତ ଛାତ୍ରୀଙ୍କୁ ପରୀକ୍ଷାରେ ବସିବା ଲାଗି ଅନୁମତି ନଦେବାରୁ ସମ୍ପୃକ୍ତ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ପରେ ପୁଲିସ୍ ପକ୍ଷରୁ ଘରୋଇ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଗିରଫ କରିଛି । ଘଟଣାରୁ ପ୍ରକାଶ ଯେ ମାଲକାଞ୍ଜ ଅଞ୍ଚଳର ଜ୍ୟୋତି ହାଇସ୍କୁଲ୍ରେ ନବମ ଶ୍ରେଣୀର ଦଳିତ ଛାତ୍ରୀ କେ.ସାଇ ପରୀକ୍ଷା ଫି’ ନଦେବା କାରଣରୁ ତାକୁ ଗୁରୁବାର ପରୀକ୍ଷାରେ ବସିବାକୁ ସୁଯୋଗ ଦିଆଯାଇନଥିଲା । ଶିକ୍ଷକମାନେ ତାକୁ ଫେରାଇ ଦେଇଥିଲେ । ଏଥିରେ ମାନସିକ ସ୍ତରରେ ଭାଙ୍ଗିପଡି ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପୂର୍ବରୁ ସେ ନିଜ ହାତଲେଖାରେ ‘ସରି ମମ୍’ ମୋତେ ପରୀକ୍ଷାରେ ବସିବାକୁ ଅନୁମତି ଦିଆଗଲା ନାହିଁ ବୋଲି ଲେଖିଛନ୍ତି । ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିବା ତା’ର ବଡ ଭଉଣୀ ସାଇଲତା ଏ ସମ୍ପର୍କରେ ପୁଲିସ୍କୁ ସୂଚନା ଦେଇଥିଲେ । ଦୀପ୍ତି ଶୋଇବା ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ଦୀପ୍ତିର ଭଉଣୀ କହିବା ଅନୁଯାୟୀ କଲେଜ୍ର ଅଧ୍ୟକ୍ଷା ତାଙ୍କୁ ସବୁବେଳେ ଅପମାନିତ କରୁଥିଲେ । ଏପରିକି ତା’ର ସହପାଠିନୀ ଓ ଖେଳ ସମୟ ମଧ୍ୟରେ ଏଭଳି କରିବାକୁ ପଛାଉନଥିଲେ । ଫି’ ନଦେବା କାରଣରୁ ତାକୁ ଶ୍ରେଣୀ ଗୃହ ବାହାରେ ଠିଆ କରାଯାଉଥିଲା । ଆତ୍ମହତ୍ୟା କରିଥିବା ଦୀପ୍ତିର ବାପା କେ.ଏସ୍ ବାଲ୍କ୍ରିଷ୍ଣନ ହେଉଛନ୍ତି ଜଣେ ଚିତ୍ରକର । ଦୀପ୍ତିର ମା’ ସୁନିଥା ସ୍ଥାନୀୟ ସୁପର ମାର୍କେଟ୍ରେ କାର୍ଯ୍ୟ କରନ୍ତି । ସେମାନଙ୍କ କହିବା ଅନୁଯାୟୀ ସ୍କୁଲ୍ ପରିଚାଳନା କମିଟି ତାକୁ ଗୁରୁବାରଠାରୁ ଆରମ୍ଭ ହୋଇଥିବା ୟୁନିଟ୍ ଟେଷ୍ଟ୍ରେ ବସିବା ଲାଗି ଅନୁମତି ନଦେବା ପାଇଁ ନିଷ୍ପତ୍ତି ନେଇଥିଲା । ୨ ହଜାର ଟଙ୍କା ସ୍କୁଲ୍ ଫି’ ସେ ଦେଇପାରିନଥିଲା । ବୁଧବାର ସ୍କୁଲ୍କୁ ଯାଇଥିଲେ ଓ ପରିଚାଳନା କମିଟିକୁ ଫି’ ଦେବା ପାଇଁ ଆଉ କିଛିଦିନ ସମୟ ମାଗିଥିଲେ । ପରିଚାଳନା କମିଟି ଏଥିରେ ରାଜି ହୋଇଥିଲେ । କିନ୍ତୁ ଗୁରୁବାର ସେମାନେ ତାଙ୍କ ଝିଅକୁ ପରୀକ୍ଷା ଦେବାକୁ ଅନୁମତି ଦେଇନଥିଲେ । ପରୀକ୍ଷା ଦେବାକୁ ଅନୁମତି ନଦେଇ ତାଙ୍କ ଝିଅକୁ ଅପମାନିତ କରିବା ପରିବର୍ତ୍ତେ ବରଂ ତାଙ୍କୁ ଡକାଯାଇପାରିଥାନ୍ତା । ଧାର କରଜ କରି ଏହି ଅର୍ଥ ସେ ପ୍ରଦାନ କରିପାରିଥାନ୍ତେ । ପୁଲିସ୍ କହିବା ଅନୁଯାୟୀ, ଜ୍ୟୋତି ହାଇସ୍କୁଲ୍ର ଅଧ୍ୟକ୍ଷା ଲକ୍ଷ୍ମୀଙ୍କ ନାମରେ ମାମଲା ରୁଜୁ କରାଯାଇଛି । ସେହିଭଳି ଯେଉଁ ଶିକ୍ଷକ ଜଣଙ୍କ ତାଙ୍କୁ ପରୀକ୍ଷା ଦେବାକୁ ବାରଣ କରିଥିଲେ ତାଙ୍କ ନାମରେ ଏତଲା ହୋଇଛି । ତାଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ।




Powered by odothemes.com