କ୍ଷମତାରେ ୧୫ ବର୍ଷ, ତଥାପି ଅମଳିନ

45

ଭୁବନେଶ୍ୱର, ୨୦ା୫ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଚତୁର୍ଥ ପାଳିର ସରକାର ଆସନ୍ତାକାଲି ବର୍ଷେ ପୂରଣ କରିବ । ଏଥିସହ ମୁଖ୍ୟମନ୍ତ୍ରୀତ୍ୱରେ ନବୀନ ପୂରଣ କରିବେ ୧୫ଟି ଘଟଣାବହୁଳ ବର୍ଷ । ଦିବଂଗତ ନେତା ବିଜୁ ପଟ୍ଟନାୟକଙ୍କ ତିରୋଧାନ ପରେ ଅପ୍ରତ୍ୟାଶିତଭାବେ ରାଜନୀତିକୁ ଆମନ୍ତ୍ରିତ ହୋଇଥିବା ନବୀନ ବିଜୁ ଜନତା ଦଳ (ବିଜେଡି)ର ନେତୃତ୍ୱ ନେବା ମାତ୍ରେ ସାମ୍ନା କରିଥିଲେ ଆମନ୍ତ୍ରଣକାରୀଙ୍କ ଷଡଯନ୍ତ୍ର । ତେବେ ରାଜ୍ୟବାସୀଙ୍କ ଅତୁଟ ଆସ୍ଥା ନିକଟରେ ପର୍ଯ୍ୟାୟବ୍ୟାପୀ ‘ନବୀନ ବିରୋଧୀ ଷଡଯନ୍ତ୍ର’ ପାଲଟିଥିଲା ତୁଚ୍ଛ । ନୂଆ ଶତାବ୍ଦୀରେ ତାଙ୍କ ନେତୃତ୍ୱରେ ବିଜେଡି-ବିଜେପି ମେଣ୍ଟ ସରକାର ରାଜ୍ୟରେ କ୍ଷମତାସୀନ ହୋଇଥିଲା । ୨୦୦୪ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସାରା ଦେଶରେ ପ୍ରତ୍ୟାଖ୍ୟାତ ହୋଇଥିବାବେଳେ ନବୀନଙ୍କ ନେତୃତ୍ୱରେ ଏଠାରେ ମେଣ୍ଟ ସରକାର ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାସୀନ ହୋଇଥିଲା । କନ୍ଧମାଳର ସାମ୍ପ୍ରଦାୟିକ ଦଙ୍ଗା ଘଟଣାରେ ମ୍ରିୟମ୍ରାଣ ନବୀନ ମେଣ୍ଟ ସହଯୋଗୀ ବିଜେପି ସହ ଆଉ ସାଲିସ ନକରି ଏକାକୀ ନିର୍ବାଚନ ଲଢି ୨୦୦୯ ଓ ୨୦୧୪ ନିର୍ବାଚନରେ ରେକର୍ଡ ବିଜୟ ହାସଲ କରିଥିଲେ । କ୍ଷମତା ରାଜନୀତିରେ ୧୫ଟି ଘଟଣାବହୁଳ ବର୍ଷ ଅତିବାହିତ କରିଥିବା ନବୀନଙ୍କ ଲୋକପ୍ରିୟତାର ଲେଖଚିତ୍ର (ଗ୍ରାଫ୍‍) କେବେ ବି ନିମ୍ନମୁଖୀ ନହେବା ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କୁ ଅନେକ ସମୟରେ ଚକିତ କରିଛି । ନବୀନଙ୍କ ପ୍ରତି ଓଡିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ପ୍ରତିପକ୍ଷମାନଙ୍କୁ ଏଯାଏ ଦିଗହରା କରିଆସିଛି । ଏହାର ପ୍ରତିଦାନ ସ୍ୱରୂପ ନବୀନ ସର୍ବଦା ଗୁରୁତ୍ୱ ଦେଇଆସିଛନ୍ତି ‘ରାଜ୍ୟ ଓ ରାଜ୍ୟବାସୀଙ୍କ ବିକାଶ’କୁ ।
ଚତୁର୍ଥ ପାଳିର ପ୍ରଥମ ବର୍ଷରେ ନବୀନ ସରକାରଙ୍କ ପାଇଁ ଆସିଥିଲା ଚିଟ୍‍ଫଣ୍ଡ ଠକେଇ ଅପବାଦ । ଦ୍ୱୈତନଗରୀରେ ସରକାରୀ ଜମି ଓ ଘର ଆବଣ୍ଟନ କ୍ଷେତ୍ରରେ ତିନି ଦଶନ୍ଧିର ଅନିୟମିତତା ହଠାତ୍‍ ଉଦ୍‍ଗୀରଣ ସୃଷ୍ଟି କରିଥିଲା । ଚିଟ୍‍ଫଣ୍ଡ ଠକେଇର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଧେଶ, ଜମାକାରୀଙ୍କ ସ୍ୱାର୍ଥରକ୍ଷା ପାଇଁ ଆଇନ ପ୍ରଣୟନ କରି ସରକାର କ୍ଷତିଗ୍ରସ୍ତ ଜମାକାରୀଙ୍କ ମନରେ ଆଶା ସଂଚାର କରିବାକୁ ସକ୍ଷମ ହୋଇଛନ୍ତି । ଅପରପକ୍ଷରେ ଇଚ୍ଛାଧୀନ କୋଟା ଅନିୟମିତତାର ପ୍ରଶାସନିକ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପଦକ୍ଷେପ ବିରୋଧୀ ଏବଂ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କୁ ଅଡୁଆରେ ପକାଇଛି । ଏସବୁ ରାଜନୈତିକ ଅପବାଦକୁ ସାମ୍ନା କରିବାବେଳେ ନବୀନ ସରକାର କେବେ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମରୁ ବିରତ ନରହିବା ରାଜ୍ୟବାସୀଙ୍କ ପ୍ରତି ତାଙ୍କ ପ୍ରତିବଦ୍ଧତାର ପରିଚୟ ଦିଏ ।
ଦୂରଦୂରାନ୍ତରୁ ସହରକୁ ଆସୁଥିବା ଲୋକଙ୍କୁ ମାତ୍ର ୫ ଟଙ୍କାରେ ଭାତ, ଡାଲମା ପ୍ରଦାନ ପାଇଁ ଆରମ୍ଭ କରାଯାଇଥିବା ‘ଆହାର’ ଯୋଜନା ସାଧାରଣ ଲୋକଙ୍କ ପାଇଁ ନବୀନ ସରକାରଙ୍କର ଆଉ ଏକ କଲ୍ୟାଣକାରୀ ପଦକ୍ଷେପ । ଏହି ଯୋଜନାକୁ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସମ୍ପ୍ରସାରିତ କରିବା ପାଇଁ ସରକାର ବର୍ଷପୂର୍ତ୍ତି ଅବସରରେ ନିଷ୍ପତ୍ତି ନେଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି । ବିଦୁ୍ୟତ୍ ଆବଣ୍ଟନକାରୀ ଘରୋଇ କମ୍ପାନି ରିଲାଏନ୍ସ ଏନର୍ଜିର ଲାଇସେନ୍ସ ରଦ୍ଧ, ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି, ଉଚ୍ଚଶିକ୍ଷାରେ ଅନୁସୂଚିତ ଜାତି/ଉପଜାତି ଛାତ୍ରଛାତ୍ରୀଙ୍କ ପାଇଁ ପରିବର୍ଦ୍ଧିତ ସଂରକ୍ଷଣ କୋଟା, ‘ନିରାମୟ’ ଯୋଜନାରେ ରୋଗୀଙ୍କୁ ମାଗଣା ଔଷଧ, ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ଅଭିନବ ପଦକ୍ଷେପ, ଆଳୁ ସଂକଟର ଦୀର୍ଘମିଆଦି ସମାଧାନ ପନ୍ଥା ସ୍ୱରୂପ ‘ଆଳୁ ମିଶନ୍’ ଗଠନ, ଡାକ୍ତରଙ୍କ ଅଭାବ ପୂରଣ ପାଇଁ ୫ଟି ନୂଆ ସରକାରୀ ମେଡିକାଲ କଲେଜ ସ୍ଥାପନ ନିମନ୍ତେ ପଦକ୍ଷେପ ରାଜ୍ୟବାସୀଙ୍କ ପାଇଁ ଗୁୁରୁତ୍ୱପୂର୍ଣ୍ଣ ଉପଲବ୍ଧିଭାବେ ବିବେଚିତ ହୋଇଛି ।




Powered by odothemes.com