H2018020139195

ମଧ୍ୟବିତ୍ତଙ୍କୁ ଉପେକ୍ଷା

67

ଏନ୍ଡିଏର ନିର୍ବାଚନୀ ବଜେଟ୍
ନୂଆଦିଲ୍ଲୀ, ୧ା୨(ଏଜେନ୍ସି): ୨୦୧୮-୧୯ ସାଧାରଣ ବଜେଟ୍କୁ ଏକ ନିର୍ବାଚନୀ ବଜେଟ୍ର ରୂପରେଖ ଦେବାରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କୌଣସି ତ୍ରୁଟି ରଖିନାହାନ୍ତି । ତେବେ ଏନ୍ଡିଏର ଏହି ନିର୍ବାଚନୀ ବଜେଟ୍ରେ ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ବର୍ଗଙ୍କୁ ସମ୍ପୂର୍ଣ୍ଣ ଉପେକ୍ଷା କରାଯାଇଛି । ଆୟକର ସୀମା ବୃଦ୍ଧି ନହେବା ଏବଂ ବୃଦ୍ଧି ପାଉଥିବା ତୈଳ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରକୁ ନିୟନ୍ତ୍ରଣ କରିବା ଲାଗି କୌଣସି ଠୋସ୍ ପଦକ୍ଷେପ ବଜେଟ୍ରେ ଗ୍ରହଣ କରାଯାଇନାହିଁ । ୨୦୧୪ ନିର୍ବାଚନରେ ଏହି ବର୍ଗର ଲୋକମାନେ ଏନ୍ଡିଏକୁ ସମ୍ପୂର୍ଣ୍ଣ ସମର୍ଥନ ଦେଇଥିଲେ । ଦେଶର ଜନସଂଖ୍ୟାର ଦୁଇ ତୃତୀୟାଂଶ ହେଉଛନ୍ତି ଏହି ବର୍ଗର । ଏହି ବର୍ଗର ଭୋଟ୍ ବିଜେପିକୁ ମିଳିବ ବୋଲି ଦଳର ଶୀର୍ଷ ନେତୃତ୍ୱ ଏହାକୁ ଗ୍ୟାରେଣ୍ଟିଭାବେ ଗ୍ରହଣ କରିନେଇଥିବାରୁ ଏହି ବର୍ଗ ପ୍ରତି ଆଦୌ ଦୃଷ୍ଟି ଦିଆଯାଇନାହିଁ । ଅଶୋଧିତ ତୈଳ ଦର ବୃଦ୍ଧି ପାଇଲେ ମୁଦ୍ରାସ୍ଫୀତି ବଢିବ । ୧୦ ଡଲାର ବୃଦ୍ଧିରେ ମୃଦ୍ରାସ୍ଫୀତି ୨ରୁ ୩% ହେବ । ଫଳରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବ, ଯାହା ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ବର୍ଗଙ୍କ ଲାଗି ବୋଝ ସଦୃଶ୍ୟ । ଏନ୍ଡିଏ ସରକାର ବଜେଟ୍ରେ ଦେଶବାସୀଙ୍କୁ ନୂଆ ସ୍ୱପ୍ନ ଦେଖାଇବା ସହ ଅନେକ ଆଶାର ସଂଚାର କରିଛନ୍ତି । ୨୦୧୯ ନୁହେଁ, ୨୦୨୨କୁ ଲକ୍ଷ୍ୟ ରଖି ବଜେଟ୍ରେ ଯୋଜନା କରାଯାଇଛି । ଦେଶର ୭୦ ଭାଗ ଲୋକ କୃଷି ଉପରେ ନିର୍ଭର କରୁଥିବାରୁ ବଜେଟ୍ରେ କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି । ସେହିଭଳି ଗୋଟିଏ ପଟେ ସରକାର ଦକ୍ଷତା ବିକାଶକୁ ଗୁରୁତ୍ୱ ଦେଉଥିବାବେଳେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଲାଗି ସେଭଳି ଆଖିଦୃଶିଆ ପ୍ରୋତ୍ସାହନ ଗ୍ରହଣ କରିନାହାନ୍ତି । କ୍ଷୁଦ୍ର ଓ ମଧ୍ୟମଶିଳ୍ପରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାଏ । ଏହାଛଡା ବିତ୍ତୀୟ ନିଅଣ୍ଟକୁ ୩.୩%ରେ ସୀମିତ ରଖିବା ଲାଗି ଅର୍ଥମନ୍ତ୍ରୀ କହୁଥିଲେ ହେଁ ଏହା ଅର୍ଥ ଆକାରରେ ଏହା ୬ ଲକ୍ଷ କୋଟି ଟଙ୍କାକୁ ଟପିବ ବୋଲି ଆକଳନ କରିଛନ୍ତି । ୨୦୧୮-୧୯ ଲାଗି ୨୪ ଲକ୍ଷ ୪୨ ହଜାର ୨୧୩ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଛି । ଗତବର୍ଷ ବଜେଟ୍ ତୁଳନାରେ ଏବର୍ଷ ଅଟକଳ ୧୧.୫% ବୃଦ୍ଧି କରାଯାଇଛି । ୨୦୧୭-୧୮ରେ ୨୨ ଲକ୍ଷ ୧୭ ହଜାର ୭୫୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଥିଲା । ବଜେଟ୍କୁ ସମତୁଲ କରିବା ଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯାଇଛି । ବର୍ଷ ଶେଷକୁ ବିତ୍ତୀୟ ନିଅଣ୍ଟ ୬ ଲକ୍ଷ ୨୪ ହଜାର ୨୭୬ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସେହିଭଳି ସାମଗ୍ରିକ ଘରୋଇ ଉତ୍ପାଦ (ଜିଡିପି)ର ଅଭିବୃଦ୍ଧି ୭.୨ରୁ ୭.୫% ଚଳିତ ଆର୍ଥôକ ବର୍ଷର ୬ ମାସ ସୁଦ୍ଧା ହେବ ବୋଲି ଅର୍ଥମନ୍ତ୍ରୀ ଆକଳନ କରିଛନ୍ତି । ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ସଂସଦରେ ବଜେଟ୍ ଉପସ୍ଥାପନ କରି କହିଛନ୍ତି ଯେ କୃଷି, ସାମାଜିକ କ୍ଷେତ୍ର, ଡିଜିଟାଲ୍ କାରବାର, ଭିତ୍ତିଭୂମି, ନିଯୁକ୍ତି ସୁଯୋଗକୁ ବଜେଟ୍ରେ ଗୁରୁତ୍ୱ ଦିଆଯାଇଛି । ୨୦୧୭-୧୮ରେ ରାଜସ୍ୱ ବ୍ୟୟ ତୁଳନାରେ ଚଳିତ ବଜେଟ୍ରେ ୨ ଲକ୍ଷ ୨୪ ହଜାର ୪୬୩ କୋଟି ଟଙ୍କା ଅଧିକ ବ୍ୟୟ କରାଯିବ ବୋଲି ଆକଳନ କରାଯାଇଛି । କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା (ସିଏସ୍ଟି) କ୍ଷେତ୍ରରେ ଅଧିକ ବ୍ୟୟବରାଦ ହୋଇଛି । ୨୦୧୮-୧୯ରେ ଏହି ଯୋଜନା ଲାଗି ୧୨ ଲକ୍ଷ ୬୯ ହଜାର ୪୩୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବଜେଟ୍ ଆକଳନ ଅନୁଯାୟୀ ୧ ଟଙ୍କାର ଆୟ ପାଇଁ ୧୯ ପଇସା ଋଣ ଓ ଅନ୍ୟ କ୍ଷେତ୍ରରୁ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ନିଗମ କର ବାବଦରେ ୧୯ ପଇସା, ଆୟକରରୁ ୧୬ ପଇସା, ସୀମା ଶୁଳ୍କରୁ ୪ ପଇସା, କେନ୍ଦ୍ରୀୟ ଅବକାରୀ ଶୁଳ୍କରୁ ୮ ପଇସା, ଦ୍ରବ୍ୟ ଓ ସେବା କରରୁ ୨୩ ପଇସା, ଅଣ ଟିକସ ରାଜସ୍ୱରୁ ୮ ପଇସା, ପୁଞ୍ଜି ଆୟରୁ ୩ ପଇସା ଆସିବ । ସେହିଭଳି ୧ ଟଙ୍କାର ଖର୍ଚ୍ଚର ହିସାବ ଅନୁଯାୟୀ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଲାଗି ୯ ପଇସା, କେନ୍ଦ୍ରୀୟ ଯୋଜନା ପାଇଁ ୧୦ ପଇସା, ଋଣ ପରିଶୋଧ ୧୮ ପଇସା, ପ୍ରତିରକ୍ଷା ପାଇଁ ୯ ପଇସା, ସବ୍ସିଡି ପାଇଁ ୯ ପଇସା, ଅର୍ଥ କମିଶନଙ୍କ ସୁପାରିସ ଓ ଅନ୍ୟାନ୍ୟ ଦେୟ ଲାଗି ୮ ପଇସା, କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ଓ ଶୁଳ୍କ ବାବଦରେ ୨୪ ପଇସା, ପେନ୍ସନ୍ ଲାଗି ୫ ପଇସା ଓ ଅନ୍ୟାନ୍ୟ ବ୍ୟୟ ଲାଗି ୮ ପଇସା ଖର୍ଚ୍ଚ କରାଯିବ ।
ଅର୍ଥମନ୍ତ୍ରୀ ଶ୍ରୀ ଜେଟ୍ଲି ବଜେଟ ଅଭିଭାଷଣ ରଖି ଶ୍ରୀ ଜେଟ୍ଲି କହିଛନ୍ତି ଯେ ସବୁ ବର୍ଗର ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବଜେଟରେ ଅର୍ଥ ବରାଦ କରାଯାଇଛି । ବିଶେଷ କରି ଗ୍ରାମ୍ୟ ଅର୍ଥନୀତିର ବିକାଶ ସହ ୨୦୧୯-୨୨ସୁଦ୍ଧା କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଲାଗି ଯୋଜନା କରାଯାଇଛି । ଖରିଫ ଋତୁରେ ଉତ୍ପାଦନ ହେଉଥିବା ସମସ୍ତ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟକୁ ଉତ୍ପାଦନ ଖର୍ଚ୍ଚ ତୁଳନାରେ ଦେଢ଼ ଗୁଣ ବୃଦ୍ଧି କରାଯିବ । ପ୍ରତ୍ୟେକ ଚାଷୀ ଯେଭଳି ଧାର୍ଯ୍ୟ ଏମ୍ଏସ୍ପି ପାଇବେ ତାହା ସୁନିଶ୍ଚିତ କରାଯିବ । କୃଷିକ୍ଷେତକୁ ଗୁରୁତ୍ୱ ଦିଆଯିବା ସହ କୃଷି ବିଜାର ବିକାଶ ପାଣ୍ଠିରେ ୨୦୦୦କୋଟି ଟଙ୍କା ବରାଦ କରାଯାଇଛି । କୃଷି ବଜାର ଗୁଡ଼ିକର ବିକାଶ ଲାଗି ଏହି ଅର୍ଥ ବ୍ୟୟ କରାଯିବ । ଗ୍ରାମୀଣ କୃଷି ବଜାର ପ୍ରସ୍ତୁତ କରଯାଇ ଚାଷୀମାନଙ୍କୁ ସିଧାସଳଖ ତାଙ୍କ ସାମଗ୍ରୀ ବିକ୍ରି କରିବାକୁ ସୁଯୋଗ ଦିଆଯବ । ସେହିଭଳି ସ୍ୱାସ୍ଥ୍ୟକ୍ଷେତ୍ରକୁ ମଧ୍ୟ ସରକାର ଅନୁରୂପ ଭାବେ ସରକାର ଗୁରୁତ୍ୱ ଦେଇଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ୧୦କୋଟି ଗରିବ ପରିବାରର ୫୦କୋଟି ହିତାଧିକାରୀଙ୍କୁ ସାମିଲ କରାଯିବ । ପ୍ରତି ପରିବାର ଲାଗି ୫ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ସେବା ପାଇଁ ପ୍ରଦାନ କରାଯିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ୧୨୦୦ କୋଟି ଟଙ୍କାର ଏକ ଯୋଜନା କାର୍ଯ୍ୟକାରୀ କରାଯିବ । ମହିଳାମାନଙ୍କୁ ଅଧିକ ପ୍ରୋତ୍ସାହନ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍)ରେ ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କ ଲାଗି ପ୍ରଥମ ୩ ବର୍ଷରେ ୮.୩୩% ଭାଗିଦାରୀ ରହିବ ଓ ଏଥିରେ ସରକାରଙ୍କର ୧୨% ଭାଗ ରହିବ । ୭୬% ମୁଦ୍ରା ଋଣ ମହିଳାମାନଙ୍କ ପ୍ରଦାନ କରାଯିବ । ୮ କୋଟି ଗ୍ରାମୀଣ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ଏଲ୍ପିଜି ଦିଆଯିବ । ଉଚ୍ଚଶିକ୍ଷା କ୍ଷେତ୍ରରେ ବିକାଶ ଲାଗି ଅନେକ ଯୋଜନା ଘୋଷଣା କରାଯାଇଛି । ଜିଲ୍ଲା ହସ୍ପିଟାଲଗୁଡିକୁ ଉନ୍ନତୀକରଣ କରାଯାଇ ୨୪ଟି ନୂଆ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରାଯିବ । ପ୍ରତି ୩ ଲୋକସଭା ନିର୍ବାଚନମଣ୍ଡଳୀକୁ ନେଇ ଗୋଟିଏ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା ସହ ବିଟେକ୍ରେ ହଜାରେ ସର୍ବକ୍ରୃଷ୍ଠ କୃତି ଛାତ୍ରଙ୍କୁ ପ୍ରଧାନମନ୍ତ୍ରୀ ରିସର୍ଚ ଫେଲୋଜ୍ ପ୍ରଦାନ କରାଯିବ । ସେମାନେ ଆଇଆଇଟି ଓ ଆଇଆଇଏସ୍ସିରେ ପିଏଚ୍ଡି କରିପାରିବେ । ଏଥିଲାଗି ବୈଷୟିକ ଶିକ୍ଷାନୁଷ୍ଠାନରେ ସେମାନେ ଅଳ୍ପକିଛି ସମୟ ଅତିବାହିତ କରିବେ । ୧୮ ନୂଆ ସ୍ଥପତି ସ୍କୁଲ୍ ପ୍ରତିଷ୍ଠା କରିବା ସହ ଭଦୋଦରାରେ ରେଳବାଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଶିକ୍ଷା ଭିତ୍ତିଭୂମିରେ ଉନ୍ନତିକରଣ ପାଇଁ ସରକାର ଏକ ନୂଆ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି । ୨୦୨୨ ସୁଦ୍ଧା ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମିର ପୁନରୁଦ୍ଧାର କରାଯିବ । ଶିକ୍ଷକମାନଙ୍କୁ ବି.ଇଡି ପ୍ରଶିକ୍ଷଣ ଦିଆଯାଇ ଗୁଣାତ୍ମକ ଶିକ୍ଷକ ନିଯୁକ୍ତି କରାଯିବ । ରାଜ୍ୟଗୁଡିକୁ ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ଲାଗି ଅଧିକ ଅର୍ଥ ବରାଦ କରାଯିବ । ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ସର୍ବାଧିକ ୮% ହେବା ସହ ୨୦୧୮-୧୯ ଆର୍ଥôକ ବର୍ଷର ୬ ମାସ ପରେ ୭.୨ରୁ ୭.୫% ଅର୍ଥନୈତିକ ଅଭିବୃଦ୍ଧି ହେବ । ଗ୍ରାମୀଣ ଭିତ୍ତିଭୂମିର ବିକାଶ ଲାଗି ୧୪.୩୪ ଟ୍ରିଲିୟନ ଭାରତୀୟ ମୁଦ୍ରା ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି । ଗରିବ, ପଛୁଆ ଓ ଅବହେଳିତ ଲୋକଙ୍କ ଲାଗି ବଜେଟ୍ରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ୨୦୨୨ ସୁଦ୍ଧା ୫୦%ରୁ ଅଧିକ ବା ୨୦ ହଜାର ଜନଜାତି ରହୁଥିବା ବ୍ଲକ୍ରେ ଏକଲବ୍ୟ କିମ୍ବା ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଅନୁସୂଚିତ ଜାତିଙ୍କ କଲ୍ୟାଣ ଲାଗି ୫୬୬୧୯ କୋଟି ଓ ଅନୁସୂଚିତ ଜନଜାତିଙ୍କ କଲ୍ୟାଣ ଲାଗି ୨୯୧୩୫ କୋଟି ଟଙ୍କା ବଜେଟ୍ ବରାଦ କରାଯାଇଛି । ସେହିଭଳି ଯୋଗାଯୋଗ କ୍ଷେତ୍ରରେ ବିକାଶ ପାଇଁ ବଜେଟ୍ରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ସଡକ ଯୋଗାଯୋଗକୁ ସୁଗମ କରିବା ଲାଗି ଭାରତମାଳା ପ୍ରକଳ୍ପରେ ୫.୩୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଉଡାଣ ଯୋଜନାରେ ୫୬ ବିମାନବନ୍ଦରକୁ ସଂଯୋଗ କରାଯିବ । ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କର ୧୨୪ ବିମାନବନ୍ଦର ରହିଛି । ଏହାକୁ ୫ ଗୁଣ ବୃଦ୍ଧି କରାଯିବ । ନମାମୀ ଗଙ୍ଗେ ଯୋଜନାରେ ୧୮୭ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାବେଳେ ୨୦୨୨ ସୁଦ୍ଧା ସମସ୍ତ ଗରିବ ଲୋକଙ୍କୁ ଘର ଦେବା ପାଇଁ ନିଷ୍ପତ୍ତି ହୋଇଛି । ସ୍ୱଚ୍ଛ ଭାରତ ମିଶନରେ ୨ କୋଟି ଶୌଚାଳୟ ଚଳିତ ବର୍ଷ ନିର୍ମାଣ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ଦିଲ୍ଲୀରେ ଦେଖାଦେଇଥିବା ବାୟୁ ପ୍ରଦୂଷଣ ଏବେ ଚିନ୍ତାଜନକ ହୋଇଛି । ହରିଆଣା, ପଞ୍ଜାବ, ଉତ୍ତର ପ୍ରଦେଶ, ଦିଲ୍ଲୀ ସରକାରଙ୍କୁ ସହାୟତା କରିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯିବ । ୧୦ ପ୍ରମୁଖ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ୫୦୦ ସହରରେ କାର୍ଯ୍ୟକାରୀ ହେଉଥିବା ଅମୃତ ଯୋଜନାରେ ସବୁ ପରିବାରକୁ ଜଳ ଯୋଗାଣର ଲକ୍ଷ୍ୟ ରଖାଯାଇଛି । ଏଥିଲାଗି ୪୯୪ ପ୍ରକଳ୍ପ ଲାଗି ୧୯୪୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କୃଷି କ୍ଷେତ୍ର ଲାଗି ଥିବା ଋଣର ପରିମାଣକୁ ୧୦ ଲକ୍ଷ କୋଟିରୁ ୧୧ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଥିବାବେଳେ ମତ୍ସ୍ୟ, ମଧୁର ଜଳ ମତ୍ସ୍ୟ ଚାଷର ଭିତ୍ତିଭୂମି ବିକାଶ ଲାଗି ପାଣ୍ଠି ଗଠନ କରାଯିବା ସହ ପଶୁ ସମ୍ପଦ ଭିତ୍ତିଭୂମି ପାଣ୍ଠି ଗଠନ କରାଯାଇଛି । ଏହି ୨ କ୍ଷେତ୍ର ଲାଗି ୧୦ ହଜାର କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ହେବ । ଜାତୀୟ ବାଉଁଶ ମିଶନର ପୁନର୍ଗଠନ କରାଯାଇ ୧୨୯୦ କୋଟି ଟଙ୍କା ପ୍ରଦାନ କରାଯିବ । ଗ୍ରୀନ୍ ଅପରେସନ୍ ଲାଗି ୫୦୦ କୋଟି ଟଙ୍କା ଦେବାକୁ ସ୍ଥିର କରାଯାଇଛି ।




Powered by odothemes.com