joges-singh

ଯୋଗେଶ ଅଯୋଗ୍ୟ

49

ଜାଲ ଜାତି ପ୍ରମାଣପତ୍ର କାଳ
କଟକ,୩୦ା୧(ବୁ୍ୟରୋ): କଂଗ୍ରେସ ପାଇଁ ପୁଣି ଏକ ଝଟ୍କା ହୋଇଛି । ବିଜେପୁରର ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ କଂଗ୍ରେସର ସୁନ୍ଦରଗଡ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଲାଗି ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଫଳରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୬ରୁ ୧୪କୁ ଖସିଆସିଛି । ବିଧାନସଭାରେ ଏବେ କଂଗ୍ରେସକୁ ବିରୋଧୀ ଦଳର ମାନ୍ୟତା ମିଳିବ କି ନାହିଁ ସେ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି । ପ୍ରକାଶଯୋଗ୍ୟ, ସୁନ୍ଦରଗଡର ବିଧାନସଭା ନିର୍ବାଚନ ଅନିୟମିତତା ମାମଲାର ବିଚାରକରି ହାଇକୋର୍ଟ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟପଦକୁ ରଦ୍ଦ କରିଛନ୍ତି । ବିଧାୟକ ଶ୍ରୀ ସିଂହ ଜାଲ ଜାତିପ୍ରମାଣପତ୍ର ଦେଇ ଅନୁସୂଚୀତ ଉପଜାତିଙ୍କ ପାଇଁ ସଂରକ୍ଷିତ ଆସନ ସୁନ୍ଦରଗଡରୁ ନିର୍ବାଚନ ଲଢି ଜିତିଥିବାରୁ ମାନ୍ୟବର ହାଇକୋର୍ଟ ଆଜି ତାଙ୍କ ସଭ୍ୟପଦକୁ ରଦ୍ଦ କରିଛନ୍ତି । ଏ ନେଇ ଏଠାରୁ ପରାଜିତ ବିଜେପି ପାର୍ଥୀ ସହଦେବ ଖାଖା ଓ ସ୍ଥାନୀୟ ଭୋଟର ଅଜୟ ପଟେଲ ପୃଥକ ଭାବେ ଆଗତ କରିଥିବା ଦୁଇଟି ମାମଲାର ଏକତ୍ର ଶୁଣାଣି କରି ବିଚାରପତି ବିଜୟ କୁମାର ନାୟକ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ତେବେ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ୍କୋର୍ଟକୁ ଯିବେ ବୋଲି ଯୋଗେଶଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶଯେ ସୁନ୍ଦରଗଡ଼ ଜିଲ୍ଲାର ସଦର ମହକୁମା ସୁନ୍ଦରଗଡ ବିଧାନସଭା ଆସନଟି ଅନୁସୂଚୀତ ଉପଜାତି(ଏସ୍ଟି) ପାଇଁ ସଂରକ୍ଷିତ ହୋଇଥିବା ବେଳେ ରାଜପରିବାରର ଯୋଗେଶ ସିଂହ ଉକ୍ତ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥô ଭାବେ ନିର୍ବାଚନ ଲଢି ନିର୍ବାଚିତ ହୋଇଛନ୍ତିି । ଯୋଗେଶ ସିଂହ ରାଜପରିବାର ତଥା ଭୁୟାଁ ଖଣ୍ଡାୟତ ବର୍ଗର ହୋଇଥିବା ବେଳେ ୨୦୧୪ ମସିହା ନିର୍ବାଚନରେ ସେ ପ୍ରାର୍ଥôପତ୍ର ଦାଖଲ କରିବା ବେଳେ ଏସ୍ଟି ଭୁୟାଁ ଜାତିର ବୋଲି ସତ୍ୟପାଠରେ ଦର୍ଶାଇଥିଲେ । ନିର୍ବାଚନରେ ବିଧାୟକ ଭାବେ ଜିତିବା ପରେ ଜାଲ ଜାତି ପ୍ରମାଣ ନେଇ ତାଙ୍କ ବିରୋଧରେ ହାଇକୋର୍ଟରେ ୨୦୧୪ ଅଗଷ୍ଟ ୨୯ ତାରିଖରେ ଏକ ନିର୍ବାଚନ ମାମଲା ରୁଜୁ ହୋଇଥିଲା । ଏଠାରୁ ପରାଜିତ ବିଜେପି ନେତା ସହଦେବ ଖାଖା ତାଙ୍କ ନିର୍ବାଚନକୁ ରଦ୍ଦ କରିବାକୁ ଏହି ମାମଲା ରୁଜୁ କରିଥିବା ବେଳେ ପରବର୍ତ୍ତୀ ସମୟରେ ସ୍ଥାନୀୟ ଭୋଟର ଅଜୟ ପଟେଲ ମଧ୍ୟ ଅନୁରୂପ ଆବେଦନ କରିଥିଲେ । ତେବେ ନିର୍ବାଚନ ମାମଲାଟି ତାଙ୍କ ବିରୋଧରେ ଚାଲୁଥିବା ବେଳେ ଶ୍ରୀ ସିଂହ କୋର୍ଟରେ ହାଜର ନ ହେବା ଓ ସାକ୍ଷ୍ୟ ପ୍ରମାଣ ଦେବାରେ ହେଳା କରିବାରୁ ହାଇକୋର୍ଟ କ୍ଷୁବ୍ଧ ହୋଇଥିଲେ । ଫଳରେ ୨୦୧୫ ଅଗଷ୍ଟ ୨୬ ତାରିଖରେ ବିଧାୟକ ସିଂହଙ୍କୁ ୨୫୦୦ ଟଙ୍କା, ସେପ୍ଟେମ୍ବର ୩୦ ତାରିଖରେ ତିନି ହଜାର ଟଙ୍କା ଲେଖାଏଁ ଦୁଇଟି ମାମଲା ପାଇଁ ମୋଟ ୬ ହଜାର ଟଙ୍କା ଏବଂ ଅଦାଲତଙ୍କ ନିଦେ୍ର୍ଦଶ ସତ୍ତ୍ୱେ ଯୋଗେଶ ବ୍ୟକ୍ତିଗତ ଭାବେ ହାଜର ନ ହେବାରୁ ୨୦୧୫ ନଭେମ୍ବର ୪ ତାରିଖରେ ପୁଣି ୨ ହଜାର ଟଙ୍କା ଓ ଜେରା ସମୟରେ ହାଜର ନ ହେବାରୁ ୨୦୧୫ ନଭେମ୍ବର ୧୯ରେ ସିଂହଙ୍କୁ ଏହି ଦୁଇଟି ମାମଲାରେ ୧ ହଜାର ଟଙ୍କା ଲେଖାଏଁ ମୋଟ୍ ୨ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରଯାଇଥିଲା । ଏହାଛଡା ୨୦୧୬ ମେ ୧୨ ତାରିଖରେ ବିଧାୟକ ସିଂହଙ୍କ ପକ୍ଷରୁ ସାକ୍ଷୀ ଦିଆଯାଇ ନ ପାରିବାରୁ ହାଇକୋର୍ଟ ଦୁଇଟି ମାମଲା ପାଇଁ ୨୫୦୦ ଟଙ୍କା ଲେଖାଏଁ ମୋଟ ୫ ହଜାର ଟଙ୍କା, ୨୦୧୬ ସେପ୍ଟେମ୍ବର ୧୧ ତାରିଖରେ ୭ ହଜାର ୫୦୦ ଟଙ୍କା, ୨୦୧୭ ଜାନୁୟାରୀରେ ୧୦ ହଜାର ଓ ୨୦୧୭ ଅଗଷ୍ଟ ୨୩ ତାରିଖରେ ୨ ହଜାର ଟଙ୍କା ଓ ସେପ୍ଟେମ୍ବର ୭ ତାରିଖରେ ପୁନର୍ବାର ୧୦ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଥିଲେ । ଅନ୍ୟପକ୍ଷରେ ଏହି ମାମଲାକୁ ଶୁଣାଣି ପୂର୍ବରୁ ଖାରଜ କରିବାକୁ ବିଧାୟକ ସିଂହଙ୍କ ତରଫରୁ ଆଗତ ଏକ ମିସ୍କେସ୍କୁ ମାନ୍ୟବର ହାଇକୋର୍ଟ ଖାରଜ କରି ଦେଇଥିଲେ । ଏହି ମାମଲାରେ ଆବେଦନକାରୀ ସହଦେବଙ୍କ ପକ୍ଷରୁ ଗୋପାଳ ଅଗ୍ରୱାଲ, ପଟେଲଙ୍କ ପକ୍ଷରୁ ଦୟାନନ୍ଦ ମହାପାତ୍ର, ରାମଚନ୍ଦ୍ର ଷଢଙ୍ଗୀ ଓ ବିଧାୟକ ସିଂହଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶ୍ରୀ ଆଚାର୍ଯ୍ୟ ମୋକଦ୍ଦମା ପରିଚାଳନା କରୁଥିଲେ ।

ସେଆର କରନ୍ତୁ:



Powered by odothemes.com