Photo-No.-2

ଯୋରନ୍ଦା ମେଳାରେ ୩ ଲକ୍ଷ ଶ୍ରଦ୍ଧାଳୁ

518

ଅଲେଖ ମହିମା ଧ୍ୱନୀରେ ପ୍ରକମ୍ପିତ ଖଣ୍ଡମଣ୍ଡଳ
ଗଁଦିଆ (ବାଦଲ ମହାନ୍ତି): ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମାଘ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀରେ ଅନୁଷ୍ଠିତ ହୋଇଛି । ପ୍ରଥମ ଦିନରେ ଦେଶର ବିଭିନ୍ନ ପ୍ରାନ୍ତ ଯଥା ଆସାମ, ଆନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ବିହାର, ଭୋପାଳ ସମେତ ଇଟାଲୀ ଆଦି ରାଷ୍ଟ୍ରରୁ ପ୍ରାୟ ୩ ଲକ୍ଷ ମହିମା ଧର୍ମାବଲମ୍ବୀ ସନ୍ୟାସୀ ଭକ୍ତ ଓ ଦର୍ଶନାର୍ଥୀଙ୍କ ଉପସ୍ଥିତିରେ ମହିମାଗାଦୀ ଉତ୍ସବମୁଖର ହୋଇପଡ଼ିଛି । ସନ୍ଧ୍ୟା ୫ଟା ୨୫ ରେ ପ୍ରଥମେ ଗାଦୀ ମନ୍ଦିର ପଶ୍ଚିମ ଦ୍ୱାରରେ ୪୪ ପାଖୁଡ଼ା ବିଶିଷ୍ଟ ବୃହତ୍ ପିତଳ ଝାଡ଼ରେ ଝାଡ଼ଦ୍ୱୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ସେହିପରି ପୂର୍ବଦ୍ୱାରରେ ୫୨ ପାଖୁଡ଼ା ବିଶିଷ୍ଟ ପିତଳ ଝାଡ଼, ଉତ୍ତର ଦ୍ୱାରରେ ୩୬ ପାଖୁଡା ଏବଂ ଦକ୍ଷିଣ ପାଶ୍ୱର୍ରେ ୩୨ ପାଖୁଡା ଝାଡ଼ ଦ୍ୱୀପ ସମେତ ଶୂନ୍ୟ ମନ୍ଦିରରେ ୨୧ ପାଖୁଡ଼ା, ୨୧ ହାତିଆ ମନ୍ଦିରରେ ୨୧ ପାଖୁଡ଼ା ପିତଳ ଝାଡ଼ ବୃକ୍ଷରେ ସାଧୁସନ୍ନ୍ୟାସୀ ଝାଡ଼ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଗାଦୀ ମନ୍ଦିରରେ ୪ଟି, ଶୂନ୍ୟ ମନ୍ଦିରରେ ୧ଟି, ନୀତି ମନ୍ଦିରରେ ୧ଟି, ୨୧ ହାତିଆ ମନ୍ଦିରରେ ୧ଟି, ଅଖଣ୍ଡବତୀ ମନ୍ଦିରରେ ୧ଟି, ୩୧ ପାଖୁଡ଼ା ଅଖଣ୍ଡବତୀ ପ୍ରଜ୍ଜ୍ୱଳନ କରାଯାଇଥିଲା । ସନ୍ୟାସୀମାନେ ମହିମା ଅଲେଖ ସ୍ମରଣ ପୂର୍ବକ ଘୃତାହୁତି କରିଥିଲେ । ସାଧୁସନ୍ଥ ପ୍ରାତଃ ସାଢେ ୩ଟାରେ ବେଢ଼ା ପରିଭ୍ରମଣ କରି ଆଠ ଭଜନ ଗାନ କରିଥିଲେ । ମହିମା ସ୍ୱାମୀଙ୍କର ଆଢେଣୀ, ତରାସ, ଛତ୍ର, ଚନ୍ଦନ, କର୍ପୂର ଆଳତି କରାଯାଇ ଢୋଲ, ଟମକ, ନିଶାଣ, ଭେରି ତୁରି ଆଦି ବାଦ୍ୟରେ ନିନାଦୀ କରାଯାଇଥିଲା । ରାତ୍ରର ଶେଷ ପ୍ରହରରେ ନୀତି ବାବାମାନେ ଗାଦୀ ମନ୍ଦିରରେ ରୂପା ଦାନିରେ ଚନ୍ଦନ ଅତର କର୍ପୂର ପାଣି ସିଞ୍ଚନ କରିଥିଲେ । ଏହା ପରେ ରୁକପା ଗରାରେ ମାହାଳମୂଳ ଆଶ୍ରମରେ ଥିବା ନୀତିକୂଅରୁ ପାଣି ଆଣି ମନ୍ଦିର ଚତୁଃପାଶ୍ୱର୍ରେ ପ୍ରଖ୍ୟାଳନ କରିଥିଲେ । ରୁପା ଝାଡୁରେ ଛେରା ପହଁରା କରାଯାଇଥିଲା । ଗାଦୀ ମନ୍ଦିରରେ ଅମୁଣିଆ ପ୍ରସାଦ ଅର୍ପଣ କରାଯାଇ ଭକ୍ତଙ୍କୁ ବିତରଣ କରାଯାଇଥିଲା । ଉକ୍ତ ସମୟରେ ଅଲେଖ ଷଡାକ୍ଷରୀ ମନ୍ତ୍ର ଏବଂ ଅଲେଖ ମହିମା ନାମରେ ଯୋରନ୍ଦା ପ୍ରକମ୍ପିତ ହେଉଥିଲା । ନୂତନ ସନ୍ୟାସୀମାନଙ୍କୁ ବସ୍ତ୍ର ଓ ଆଡ଼ିବନ୍ଧ ଆଦି ପ୍ରଦାନ କରାଯାଇଥିଲା । ସୁନା ଥାଳିରେ କ୍ଷୀର ଲାଗି ସପ୍ତାମୃତ ଲଗାଯାଇ ରୂପା ବିଞ୍ଚଣାରେ ଚାମର ଆଲଟ କରାଯାଇଥିଲା । ଭକ୍ତମାନେ ମାନସିକ କରିଥିବା ବାଳକ, ବାଳିକାଙ୍କ କେଶ ମଣ୍ଡନ କରି କିଣାବିକା କରିଥିଲେ । ଯାହାକି ଅନ୍ୟତ୍ର ବିରଳ । ପ୍ରାତଃ ନୀତି, ମଧ୍ୟାହ୍ନ ନୀତି ଓ ସାୟଂ ନୀତି କରାଯାଇଥିଲା । ପୂର୍ବାହ୍ନରେ ଗାଦୀ ମନ୍ଦିରକୁ ଘଣ୍ଟା ଘରଠାରୁ ପୁଲିସ ସହାୟତାରେ ସମସ୍ତ ସ୍ୱର୍ଣ୍ଣ ଅଳଙ୍କାର ଛତ୍ରୀ, ଆଢେଣି, ରୁପା ଥାଳି, ରୁପା ଝାଡୁ, ୮ ଗୋଟି ରୁପା ଗରା, ୭ ମୁଠା ସୁନା ଚାମର ଏବଂ ୬୦ଟି ରୁପା ଚାମର ଅଣାଯାଇ ୭ ଥର ଲେଖାଏଁ ସନ୍ୟାସୀଙ୍କ ଦ୍ୱାରା ବ୍ୟଞ୍ଜନ କରାଯାଇଥିଲା । ଚଳିତବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ଯୋଗୁଁ ପୁଲିସ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗାଦୀ ମନ୍ଦିର ପଶ୍ଚିମ ଏବଂ ଉତ୍ତର ଦ୍ୱାରରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିବା ବେଳେ ପୂୂର୍ବ ଏବଂ ଦକ୍ଷିଣ ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । ଏବର୍ଷ ବାହାରୁ ଆସୁଥିବା ଭକ୍ତଙ୍କ ରହିବା ପାଇଁ ଇଣ୍ଡିଆନ୍ ଅଏଲ କର୍ତ୍ତୃପକ୍ଷଙ୍କ ସହାୟତାରେ ଅସ୍ଥାୟୀ ତମ୍ବୁ ବ୍ୟବସ୍ଥା କରାଯାଇଛି । ଏଥିରେ କି ୨୦ ହଜାରରୁ ଊଦ୍ଧ୍ୱର୍ ଭକ୍ତ ରହିପାରିବେ । ଏହା ବ୍ୟତୀତ ସ୍ୱଚ୍ଛ ଭାରତ ପକ୍ଷରୁ ଏକ ମୋବାଇଲ୍ ଟଏଲଟ୍ ବ୍ୟବସ୍ଥା ଉପଲବ୍ଧ ହେଉଛି ।

ସେଆର କରନ୍ତୁ:



Powered by odothemes.com