Chief-Electoral-Officer

ପ୍ରଶାସନିକ, ରାଜନୈତିକ ତତ୍ପରତା ବୃଦ୍ଧି

42

ବିଜେପୁର ବିଜ୍ଞପ୍ତି ଆଜି
ଭୁବନେଶ୍ୱର, ୨୯ା୧(ବୁ୍ୟରୋ): ବିଜେପୁର ଉପନିର୍ବାଚନ ଲାଗି ଉଭୟ ପ୍ରଶାସନିକ ଓ ରାଜନୈତିକ ତପ୍ତରତା ବୃଦ୍ଧି ପାଇଛି । ଆସନ୍ତାକାଲି ନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବ । ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡିଏନ୍ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ଅପରପକ୍ଷରେ ବିଜେଡି ଓ ବିଜେପି ଉପନିର୍ବାଚନ ଲାଗି ପ୍ରାର୍ଥୀଚୟନ ଚୂଡାନ୍ତ କରିଥିବାବେଳେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୂଡାନ୍ତ ପାଇଁ କସରତ ଆରମ୍ଭ ହୋଇଛି । ବିଜେପି ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୩ ବ୍ଲକ୍ ଲାଗି ବରିଷ୍ଠ ନେତାମାନଙ୍କୁ ଦାୟିତ୍ୱ ଦେଇଛି । ଗାଇସିଲଟ ବ୍ଲକ୍ ଲାଗି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ବିଜେପୁରରେ ଜୟନାରାୟଣ ମିଶ୍ର ଓ ବରପାଲିରେ ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ ଦାୟିତ୍ୱରେ ରହିବେ । ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ ପ୍ରିୟଦର୍ଶୀ ମିଶ୍ର, ବିଜେପିରୁ ଗୋଲକ ମହାପାତ୍ର, କଂଗ୍ରେସରୁ ଲଲାଟେନ୍ଦୁ ମହାପାତ୍ର, ଉପେନ୍ଦ୍ର ସାମନ୍ତରାୟ, ସୁଶାନ୍ତ ତ୍ରିପାଠୀ ଓ ଆଇନସେଲ୍ ସମ୍ପାଦକ ସିଦ୍ଧାର୍ଥ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଫେବ୍ରୁଆରୀ ୨୪ରେ ହେବାକୁ ଥିବା ଉପନିର୍ବାଚନରେ ସବୁ ବୁଥ୍ଗୁଡିକରେ ଇଭିଏମ୍ ଓ ଭିଭିପାଟ୍ର ବ୍ୟବହାର, ଭୋଟ୍ଗ୍ରହଣ ସମୟରେ ଭୋଟର ପରିଚୟପତ୍ର, ଆଦର୍ଶ ଆଚରଣବିଧି ପାଳନ, ଅବାଧ ଓ ମୁକ୍ତ ନିର୍ବାଚନ ନିମନ୍ତେ ବୈଠକରେ ଆଲୋଚନା କରାଯାଇଥିଲା । ନିର୍ବାଚନକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ ନିର୍ବାଚନ ଅଧିକାରୀ ସବୁ ରାଜନୈତିକ ଦଳର ସହଯୋଗ ଲୋଡିଥିଲେ । ବୈଠକ ପରେ ନିର୍ବାଚନ ଅଧିକାରୀ ଶ୍ରୀ ଗୁପ୍ତା ଗଣମାଧ୍ୟମକୁ କହିଛନ୍ତି ଯେ କମିଶନ ପକ୍ଷରୁ ଉପନିର୍ବାଚନ ସମ୍ପର୍କୀତ ସମସ୍ତ ପୂର୍ବ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାରେ ପହଞ୍ଚôଛି । ବିଶେଷକରି ନିର୍ବାଚନ ପରିଚାଳନା ଯୋଜନା, ସୁରକ୍ଷା ବ୍ୟବସ୍ଥା, ଆଦର୍ଶ ଆଚରଣବିଧି ପରିଚାଳନା ସମ୍ପର୍କିତ ଦିଗ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ନିର୍ବାଚନମଣ୍ଡଳୀରେ ୨୭୦ ବୁଥ୍ ରହିଛି । ପୂର୍ବ ନିର୍ବାଚନ ରିପୋର୍ଟ ଆଧାରରେ ଏହି ବୁଥ୍ ମଧ୍ୟରୁ କେତୋଟି ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ରହିଛି ସେ ସମ୍ପର୍କରେ ଜିଲ୍ଲାପାଳ ଓ ଏସ୍ପିଙ୍କଠାରୁ ରିପୋର୍ଟ ତଲବ କରାଯାଇଛି । ଉପନିର୍ବାଚନ ତଦାରଖ କରିବା ଲାଗି ୨ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ନିର୍ବାଚନମଣ୍ଡଳୀରେ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହ ସାଧାରଣ ମତଦାନ ସମ୍ପର୍କିତ ପ୍ରଚାର ଓ ପ୍ରସାର ଲାଗି ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦିଆଯାଇଥିବା ସେ କହିଛନ୍ତି ।
ଅପରପକ୍ଷରେ ବିଜେପୁର ନିର୍ବାଚନ ପାଇଁ ରାଜନୈତିକ ତପ୍ତରତା ବୃଦ୍ଧି ପାଇଛି । ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ ଦଳୀୟ ନିର୍ବାଚନ ପରିଚାଳନା ଦାୟିତ୍ୱ ନେଇଛନ୍ତି । ବିଜେପୁର ଦାୟିତ୍ୱରେ କେଉଁ ମନ୍ତ୍ରୀ ଓ ବିଧାୟକ ରହିବେ, ତାହାର ତାଲିକା ପ୍ରସ୍ତୁତ କରାଯାଇଛି । ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହଙ୍କଠାରୁ ସ୍ନେହାଙ୍ଗିନୀ ଛୁରିଆ, ପ୍ରଫୁଲ୍ଲ ମଲ୍ଲିକ, ନିରଞ୍ଜନ ପୂଜାରୀ ଓ ଦେବୀ ପ୍ରସାଦ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି । ଅପରପକ୍ଷରେ ବିଜେପି ପାଇଁ ଧର୍ମେନ୍ଦ୍ର ପ୍ରଧାନ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ଶ୍ରୀ ପ୍ରଧାନ ଓ ଜୁଏଲ୍ ଓରାମ ପ୍ରଚାରର ମଙ୍ଗ ଧରିବେ । ତେବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ରାମକୃପାଲ ଯାଦବ, ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ ପ୍ରଚାର ପାଇଁ ବିଜେପୁର ଆସିବେ । ବିଜେପି ପ୍ରଭାରୀ ଅରୁଣ ସିଂହ ଓ ସୌଦାନ ସିଂହ ମଧ୍ୟ ପ୍ରଚାର କାର୍ଯ୍ୟରେ ନିୟୋଜିତ ହେବେ । କଂଗ୍ରେସର ପ୍ରଚାରର ମଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଧରିବେ । ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ବିଜେପୁର ହେଉଛି କଂଗ୍ରେସର ଗଡ । ପୁନର୍ବାର ଏଠାରୁ କଂଗ୍ରେସ ଜିତିବ ।




Powered by odothemes.com