News-1

ଶତପ୍ରତିଶତ ଟୀକାକରଣ ପାଇଁ ନିବେଦନ

53

ମିଳିମିଳା ଓ ରୁବେଲା ଟୀକାକରଣ ଅଭିଯାନ
କେନ୍ଦୁଝର,୨୯ା୧(ଆପ୍ର): ଆଜି ପୂର୍ବାହ୍ନରେ ଟାଉନ ବାଳିକା ଉଚ୍ଚବିଦ୍ୟାଳୟ କେନ୍ଦୁଝରଠାରେ ମିଳିମିଳା ଓ ରୁବେଲା (ଜର୍ମାନ ମିଳିମିଳା) ଟୀକାକରଣ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳ ଆଶିଷ ଠାକ୍ରେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୁଭାରମ୍ଭ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦୁଝର ବିଧାୟକ ଅଭିରାମ ନାଏକ ଉଦ୍ବୋଧନ ଦେଇ କେନ୍ଦୁଝର ଜିଲ୍ଲାରେ ଏହି ଟୀକାକରଣ ଅଭିଯାନର ଶତ ପ୍ରତିଶତ ସଫଳତା ପାଇଁ ସମାଜର ସବୁବର୍ଗର ଜନସାଧାରଣଙ୍କୁ ନିବେଦନ କରିଛନ୍ତି । କୌଣସି ଶିଶୁ ଯେମିତି ଏହି ପ୍ରକ୍ରିୟାରେ ବାଦ୍ ନପଡିବେ ସେଥିପାଇଁ ସମସ୍ତେ ଯତ୍ନବାନ୍ ହେବାକୁ ପରାମର୍ଶ ଦେଇଥିଲେ । ଏତଦ୍ବ୍ୟତୀତ ଗାଁ ଗହଳରେ ମଧ୍ୟ ସଚେତନତା ସୃଷ୍ଟି ନିମନ୍ତେ ସମସ୍ତେ ସହଯୋଗର ହାତ ବଢାଇବାକୁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଶ୍ରୀ ଠାକ୍ରେ ନିଜ ଅଭିଭାଷଣରେ କହିଥିଲେ ଯେ ମିଳିମିଳା ଓ ରୁବେଲା ଟୀକାକରଣ ଅଭିଯାନ ଏକ ମହତ କାର୍ଯ୍ୟକ୍ରମ । ଜିଲ୍ଲାରେ ୯ ମାସରୁ ୧୫ ବର୍ଷ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ୫ ଲକ୍ଷ ୪୮ ହଜାର ୩୪୧ ଜଣ ଶିଶୁଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ୍ କରାଯିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସହିତ ଶିକ୍ଷା ବିଭାଗ, ଅନୁସୂଚିତ ଜନଜାତି ଓ ଜାତି, ସମାଜ ମଙ୍ଗଳ, ପଞ୍ଚାୟତିରାଜ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି । ଏତଦ୍ବ୍ୟତୀତ ପ୍ରଶାସନର ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ସହଯୋଗ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଟୀକାକରଣରେ ଭୟଭୀତ କିମ୍ବା ଆତଙ୍କିତ ନହେବା ପାଇଁ ଶିଶୁ ଏବଂ ଅଭିଭାବକମାନଙ୍କୁ ସଚେତନ କରିବାକୁ ଗଣମାଧ୍ୟମ ସମେତ ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ନିବେଦନ କରିଥିଲେ । ସିଡିଏମ୍ଓ ଡାଃ ନିରଞ୍ଜନ ସ୍ୱାଇଁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସଂଜୀବ ବାରିକ ସ୍ୱାଗତ ସମ୍ଭାଷଣ କରିବା ସହ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଏବଂ ଏଡିପିଏଚଓ ତଥା ଜିଲ୍ଲା ଟୀକାକରଣ ଅଧିକାରୀ ଡା ସୁଂଧାଶୁ ଶେଖର ବଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶୁଭାରମ୍ଭ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଡିପିଏଚଓ ଡାଃ ବିଦୁଲତା ମିଶ୍ର, ଡିପିଏମ୍ ସୋନାଲି ପ୍ରିୟଦର୍ଶନୀ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ର୍ରତିଭା ମଞ୍ଜରୀ ଦାସ, ଡିପିସି ସର୍ବଶିକ୍ଷା ଅଭିଯାନ ପୂର୍ଣ୍ଣଚନ୍ଦ୍ର ସେଠୀ, ଡିଏଲ୍ଓ ଡାଃ ଶୁତକିର୍ତ୍ତୀ ମହାନ୍ତି, ଏସ୍ଏମ୍ଓ (ଡବ୍ଲୁ୍ୟଏଚ୍ଓ) ଡାଃ ସନ୍ତୋଷ କୁମାର ସାହୁ, ଭିବିଡି ବଳଦେବ ନନ୍ଦ, ଡିପିସି ତାପସ କୁମାର ଜେନା, ଡିଏମ୍ଏମ୍ ମନୋଜ କୁମାର ରାଉତ, ଆଇସିଏ ଚିତ୍ତରଞ୍ଜନ ଜେନା, ଏଏମ୍ଜିକେଏସ୍ ଅଭିଷେକ ଷଡଙ୍ଗୀ, ଆରବିଏସ୍କେ ମ୍ୟାନେଜର ବିଜନ ସାହୁ ପ୍ରମୁଖ ଉପସ୍ଥିତ ରହି ସମାରୋହ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ ଜିଲ୍ଲାରେ ୩୬୩ଟି ସବ୍ସେଣ୍ଟର, ୩୪୦୦ ଟି ବିଦ୍ୟାଳୟରେ ଟୀକାକରଣ କେନ୍ଦ୍ର ଖୋଲାଯାଇଛି । ୩୫୯ ଜଣ ସୁପରଭାଇଜର, ୫୩୭ ଜଣ ଏ.ଏନ୍.ଏମ୍., ୨୦୩୭ ଜଣ ଆଶାକର୍ମୀ ଏବଂ ୩୧୯୮ ଜଣ ଅଙ୍ଗନୱାଡିକର୍ମୀ ଏହି ଅଭିଯାନରେ ନିୟୋଜିତ ହୋଇଛନ୍ତି ।




Powered by odothemes.com