All_party_meet

ଆଜିଠୁ ସଂସଦ ଅଧିବେଶନ

72

ନୂଆଦିଲ୍ଲୀ, ୨୮ ।୧: ଆସନ୍ତାକାଲିଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି । ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଅଧିବେଶନ ଏପ୍ରିଲ୍ ୬ ତାରିଖ ଯାଏ ଁଚାଲିବ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜାନୁଆରୀ ୨୯ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୯ ଓ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୫ରୁ ଏପ୍ରିଲ୍ ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଫେବ୍ରୁଆରୀ ପହିଲାରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ୨୦୧୮-୧୯ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ପୂର୍ବବର୍ଷ ଅନୁଯାୟୀ ରେଳବଜେଟ୍ ବି ଏଥର ସାଧାରଣ ବଜେଟ୍ ସହ ଏକାଠି ଆଗତ ହେବ । ୨୯ ତାରିଖ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ରୀୟ ହଲ୍ରେ ସଂସଦର ଉଭୟ ଗୃହର ସଦସ୍ୟମାନଙ୍କୁ ଉଦ୍ବୋଧନ ଦେବେ ଓ ସେହିଦିନ ମଧ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ । ସଂସଦର ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ସୁମିତ୍ରା ମହାଜନଙ୍କର ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗୃହରେ କେଉଁ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ଓ କେଉଁ କେଉଁ ବିଲ୍ ଆଗତ ହେବ, ସେ ସଂପର୍କରେ ଆଲୋଚନା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ବଜେଟ୍ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା କରିବା ଲାଗି ଅନୁରୋଧ କରିଛନ୍ତି । ବୈଠକ ସଂପର୍କରେ ସୂଚନା ଦେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି ଯେ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ବିରୋଧୀ ଦଳ ପକ୍ଷରୁ ଯେଉଁ ପ୍ରସ୍ତାବ ଆସିବ, ତା’ର ଆଲୋଚନା କରିବା ପାଇଁ ସରକାର ଚାହାଁନ୍ତି । ଟି୍ରପଲ୍ ତଲାକ୍ ବିଲ୍ ଲୋକସଭାରେ ପାରିତ ହୋଇଛି । ରାଜ୍ୟସଭାରେ ବିରୋଧୀ ଦଳ ଯେପରି ବିନା ହଟ୍ଟଗୋଳରେ ଏହି ବିଲ୍କୁ ପାରିତ କରିବେ, ସେଥିଲାଗି ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଛି । ଭାରତୀୟ ଜନତା ପାର୍ଟି ପକ୍ଷରୁ କୌଣସି ରାଜନୈତିକ ଦଳକୁ ଅଣଦେଖା କରାଯିବ ନାହିଁ । ଆଶା କରୁଛୁ ଟ୍ରିପଲ୍ ତଲାକ ବିଲ୍ ରାଜ୍ୟସଭାରେ ସୁରୁଖୁରୁରେ ପାରିତ ହେବ । ଜିଏସ୍ଟିକୁ ଯେଉଁଭଳି ସର୍ବସମ୍ମତ ସହମତିରେ ପାରିତ କରାଗଲା, ଅନୁରୂପ ପଦକ୍ଷେପ ଏହି ବିଲ୍ ସଂପର୍କରେ ନିଆଯିବ । ବୈଠକରେ ରାଷ୍ଟ୍ରୀୟ ଜନତା ଦଳ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ଦଳିତ, ଚାଷୀ ଆତ୍ମହତ୍ୟା, ବେରୋଜଗାରୀ, ଗୁର୍ଗାଓଁ ହିଂସା ସମେତ ଅନେକ ପ୍ରସଙ୍ଗ ଉଠାଇଥିଲେ । ବିରୋଧୀ ଦଳଗୁଡ଼ିକ ପକ୍ଷରୁ ମଧ୍ୟ ଚଳିତ ଅଧିବେଶନରେ ଅନେକ ପ୍ରସଙ୍ଗ ରହିଛି । ଏହା ବ୍ୟତୀତ ପଛୁଆବର୍ଗ କମିଶନଙ୍କୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ, ଆଇନ୍କାନୁନ ବ୍ୟବସ୍ଥା ଅତ୍ୟାବଶ୍ୟକ, ଖାଉଟି ଦ୍ରବ୍ୟର ମୂଲ୍ୟବୃଦ୍ଧି ଇତ୍ୟାଦି ପ୍ରସଙ୍ଗରେ ସରକାରଙ୍କୁ ଅଡ଼ୁଆରେ ପକାଇବା ପାଇଁ ବିରୋଧୀ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ସର୍ବଦଳୀୟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିରୋଧୀ ଦଳର ଆଭିମୁଖ୍ୟ ଜାଣିବା ଲାଗି ଶାସକଦଳ ପକ୍ଷରୁ ଉଦ୍ୟମ କରାଯାଇଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଗ୍ରେ, ସମାଜବାଦୀ ପାର୍ଟି ନେତା ମୁଲାୟମସିଂହ ଯାଦବ, ସିପିଆଇ ନେତା ଡି.ରାଜା, ଡିଏମ୍କେ ନେତ୍ରୀ କାନିମୋଝି, ତୃଣମୂଳ କଂଗ୍ରେସ ନେତା ସୁଦୀପ ବନେ୍ଦାପାଧ୍ୟାୟ, ଏନ୍ସିପି ନେତା ତାରିକ୍ ଅନ୍ୱାର ପ୍ରମୁଖ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com