IMG-20180128-WA0004

ସ୍କୁଲ୍ ନିକଟରେ ଗ୍ୟାସ୍ ଡିପୋ, ପିଲାଙ୍କୁ ବିପଦ

57

ଯାଜପୁର(ଆପ୍ର): ବରୀ ବ୍ଲକ ଅଲିପୁର ପଞ୍ଚାୟତ କାନ୍ଥିଆ ଠାରେ ଖୋଲିଥିବା ଇଣ୍ଡେନ୍ ଗ୍ୟାସ୍ ଡିପୋକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସରକାରୀ ନିୟମକୁ ଅଣଦେଖା କରି ଏହି ଗ୍ୟାସ୍ ଡିପୋ ଖୋଲିଥିବାରୁ ସ୍ଥାନୀୟ ଲୋକେ ଇଣ୍ଡେନ୍ ଗ୍ୟାସ୍ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ଏହି ଡିପୋର ମାଲିକଙ୍କ ସ୍ଥାନୀୟ ଅଞ୍ଚଳରେ ଭଲ ପ୍ରଭାବ ଥିବାରୁ ପ୍ରଶାସନ ଏଥିପ୍ରତି ଆଖି ବୁଜି ଦେଉଥିବା ଅଭିଯୋଗ ହୋଇଛି । ସୂଚନା ଯେ ଅଲ୍ଲିପୁର ପଞ୍ଚାୟତର କାନ୍ଥିଆ ଠାରେ ‘ପ୍ରମିଳା ଇଣ୍ଡେନ୍ ଗ୍ରାମୀଣ ବିତରକ’ ନାମକ ଏକ ଗ୍ୟାସ୍ ଡିପୋ ଖୋଲାଯାଇଛି । ଏହି ଡିପୋକୁ ଲାଗି ଏକ ଘରୋଇ ଶିକ୍ଷାନୁଷ୍ଠାନ ଥିବାବେଳେ ଅନ୍ୟ ଏକ ପାଶ୍ୱର୍ରେ ଅଲ୍ଲିପୁର ପ୍ରାଥମିକ ବିଦ୍ୟାଳୟ ମଧ୍ୟ ରହିଛି । ଏହି ଦୁଇଟି ଶିକ୍ଷାନୁଷ୍ଠାନରେ ସ୍ଥାନୀୟ ଅଞ୍ଚଳର ଶହ ଶହ ଛୋଟ ପିଲାମାନେ ପାଠ ପଢୁଛନ୍ତି । ସରକାରୀ ନିୟମାନୁଯାୟୀ କୌଣସି ସରକାରୀ କିମ୍ବା ବେସରକାରୀ ବିଦ୍ୟାଳୟ ନିକଟରେ କୌଣସି ବିସ୍ଫୋରକ ଦ୍ରବ୍ୟ ନିର୍ମାଣ କିମ୍ବା ବିସ୍ଫୋରକ ଦ୍ରବ୍ୟ ମହଜୁଦ୍ ରଖାଯିବ ନାହିଁ ବୋଲି କଡ଼ାକଡ଼ି ନିୟମ ରହିଛି । ହେଲେ କାନ୍ଥିଆ ଠାରେ ଥିବା ଦୁଇଟି ଶିକ୍ଷାନୁଷ୍ଠାନ ମଝିରେ ଏହି ଗ୍ୟାସ୍ ଡିପୋଟି ଖୋଲିଥିବାରୁ ବିଦ୍ୟାଳୟରେ ପାଠ ପଢୁଥିବା ଶହଶହ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଉଛି ଏହି ଡିପୋ ନିକଟରେ ଦୁଇଟି ଶିକ୍ଷାନୁଷ୍ଠାନ ଥିବାବେଳେ ଜିଲ୍ଲା ପ୍ରଶାସନ କିପରି ସମ୍ପୃକ୍ତ ସଂସ୍ଥାକୁ ଏନ୍ଓସି ଯୋଗାଇ ଦେଇଛି ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ଇଣ୍ଡେନ୍ ଗ୍ୟାସ୍ କର୍ତ୍ତୃପକ୍ଷ ସ୍ଥାନୀୟ ଅଞ୍ଚଳର ଶହଶହ କୋମଳମତି ଶିଶୁଙ୍କ ସୁରକ୍ଷାକୁ ଅଣଦେଖା କରି କିପରି ସମ୍ପୃକ୍ତ ସଂସ୍ଥାକୁ ଡିପୋ ଖୋଲିବାକୁ ଅନୁମତି ଦେଲେ ତାହା ମଧ୍ୟ ତଦନ୍ତ ପରିସରକୁ ଆସିବା ଉଚିତ୍ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି । ସମ୍ପୃକ୍ତ ଡିପୋଟିକୁ ଅନ୍ୟତ୍ର ସ୍ଥାନାନ୍ତର କରାନଯାଏ ତେବେ ସ୍ଥାନୀୟ ଲୋକେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com