27-1-2018=1

ବିଜୁବାବୁ ଥିଲେ କିମ୍ବଦନ୍ତୀ

86

‘ଦ ଟଲ୍ ମ୍ୟାନ୍’ ଉନ୍ମୋଚିତ
ଭୁବନେଶ୍ୱର, ୨୭ା୧(ବୁ୍ୟରୋ): ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତିକା ‘ଟଲ୍ ମ୍ୟାନ୍’ର ଉନ୍ମୋଚନ ଉତ୍ସବରେ ଯୋଗଦେଇଥିବା ଜାତୀୟ ସ୍ତରର ନେତାମାନେ ଆଜି ବେଶ୍ ଭାବବିହ୍ୱଳ ହୋଇପଡିଛନ୍ତି । ବିଜୁବାବୁଙ୍କର ଏହି ଜୀବନୀ ପୁସ୍ତିକା ଉନ୍ମୋଚନ କରି ସେମାନେ ନିଜକୁ ଗୌରବାନ୍ୱିତ ମନେକରିବା ସହ ଏପରି କାର୍ଯ୍ୟକ୍ରମରେ ସେମାନେ ଅତୀତରେ କେବେ ସାମିଲ ହୋଇନଥିଲେ ବୋଲି ମତ ଦେଇଛନ୍ତି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ବିଜୁବାବୁଙ୍କୁ ଏକ କମ୍ବଦନ୍ତି ପୁରୁଷର ଆଖ୍ୟା ଦେଇଥିବାବେଳେ ପୂର୍ବ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡା ବିଜୁ ବାବୁଙ୍କୁ ‘ଭାରତରନô’ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ସେହିଭଳି ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲ୍କୃଷ୍ଣ ଆଡ୍ଭାନୀ ଏହି ପୁସ୍ତକ ଉନ୍ମୋଚନରେ ସେ ସାମିଲ ହେବା ତାଙ୍କ ପାଇଁ ଏକ ଗୌରବର ବିଷୟ ବୋଲି ମତ ରଖିଥିଲେ । ଉନ୍ମୋଚନ ଉତ୍ସବରେ ଅଧ୍ୟକ୍ଷତା କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ବିଜୁ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ଆଜି ଉକ୍ରଳ ମଣ୍ଡପରେ ସୁନ୍ଦର ଗଣେଶନ୍ଙ୍କ ଦ୍ୱାରା ରଚିତ ବିଜୁଙ୍କ ଜୀବନୀ ‘ଟଲ୍ ମ୍ୟାନ୍’ର ଉନ୍ମୋଚନ ହୋଇଥିଲା । ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ଶ୍ରୀ ମୁଖାର୍ଜୀ କହିଥିଲେ ଯେ ତାଙ୍କ ପରିବାର ପ୍ରତି ବିଜୁବାବୁଙ୍କର ଅଜସ୍ର ଶ୍ରଦ୍ଧା ଥିଲା । ସେହି ଶ୍ରଦ୍ଧା ହିଁ ଏହି ଉତ୍ସବକୁ ଟାଣି ଆଣିଛି ।

ତାଙ୍କ ଭଳି ଜଣେ ସର୍ଟ ମ୍ୟାନ୍ ଏଭଳି ଜଣେ ଟଲ୍ ମ୍ୟାନ୍ଙ୍କ ପୁସ୍ତକ ଉନ୍ମୋଚନ କରି ବେଶ୍ ଗର୍ବିତ । ସବୁ କ୍ଷେତ୍ରରେ ସଫଳତାର ଶୀର୍ଷକୁ ସେ ଛୁଇଁଥିଲେ । କେବଳ ଆମ ପାଇଁ ନୁହେଁ, ଆଗାମୀ ପୀଢି ପାଇଁ ସେ କିମ୍ବଦନ୍ତୀ ହୋଇରହିବେ । ରାଜନୈତିକ ଦୃଷ୍ଟିକୋଣରୁ ଆମେ ଗୋଟିଏ ପକ୍ଷରେ ନଥାଇପାରୁ, କିନ୍ତୁ ମାନସିକଭାବେ ଉଭୟ ବିଚାରଧାରାରେ ବେଶ୍ ସାମଞ୍ଜସ୍ୟ ଥିଲା । ଏହି ଜଗନ୍ନାଥ ଧାମକୁ ମୁଁ ଯେତେବେଳେ ଆସେ ବିଜୁ ପଟ୍ଟନାୟକଙ୍କ ଭଳି ଜଣେ ଦୃଢ ପ୍ରତିଜ୍ଞ ନେତାଙ୍କୁ ସ୍ମରଣ କରେ । ଆଧୁନିକ ଓଡିଶାର କେବଳ ସେ ନିର୍ମାତା ନଥିଲେ, ନିଜ ରାଜ୍ୟ ପାଇଁ ଅନେକ ସ୍ୱପ୍ନ ଦେଖିଥିଲେ । ନିଜ କାର୍ଯ୍ୟପ୍ରତି ଦୃଢ ପ୍ରତିଜ୍ଞ ଥିଲେ । ଅନେକ ଆନ୍ତର୍ଜାତିକ ସମସ୍ୟା ସମୟରେ ତାଙ୍କୁ ଭୁବନେଶ୍ୱରରୁ ଦିଲ୍ଲୀ ଡକାଯାଉଥିଲା । ତାଙ୍କର ପରାମର୍ଶରେ ଏହା ସମାଧାନ ହେଉଥିଲା । ସେ ଓଡିଶାର ଭୌଗୋଳିକ ସୀମା ମଧ୍ୟରେ ଆବଦ୍ଧ ନଥିଲେ । କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ସେ ଅନେକ ପରିଚୟ ସୃଷ୍ଟି କରିଛନ୍ତି । ବିଜୁବାବୁଙ୍କ ସହ କିଛି ବିତାଇଥିବା ମୁହୂର୍ତ୍ତରେ ଅନୁଭୂତି ସମ୍ପର୍କରେ ସେ ବର୍ଣ୍ଣନା କରିବା ସହ ଟଲ୍ ମ୍ୟାନ ପ୍ରକୃତରେ ତାଙ୍କ ବ୍ୟକ୍ତିତ୍ୱର ଏକ ପ୍ରତିଫଳନ ବୋଲି ଶ୍ରୀ ମୁଖାର୍ଜୀ କହିଛନ୍ତି । ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଶ୍ରୀ ଆଡଭାନୀ ପୁସ୍ତକ ଉନ୍ମୋଚନ ସମୟରେ ବେଶ୍ ଭାବବିହ୍ୱଳ ହୋଇପଡିଥିଲେ । ସେ କହିଥିଲେ ଯେ ଜୀବନରେ ଅନେକ ପୁସ୍ତକ ଉନ୍ମୋଚନ ଉତ୍ସବକୁ ଯାଇଛି । ହେଲେ ଆଜି ଯେଉଁ ପୁସ୍ତକ ଉନ୍ମୋଚନ ହେଉଛି, ତାହା କେବେ କରିନାହିଁ । ଏହା ମୋ ପାଇଁ ଗର୍ବର ବିଷୟ । ପୁସ୍ତକ ଉନ୍ମୋଚନ କରି ମୁଁ ଆତ୍ମସନ୍ତୋଷ ଲାଭକରିଛି । ଓଡିଶାର ରାଜଧାନୀରେ ଏଭଳି ଏକ ଉତ୍ସବକୁ କଳ୍ପନା କରିପାରୁନାହିଁ । କେବଳ ବିଜୁ ପରିବାର ନୁହେଁ, ସାରା ଓଡିଶାବାସୀଙ୍କୁ ଏହା ଖୁସି ଦେଇଥିବା ମୁଁ ଅନୁଭବ କରୁଛି । ଓଡିଆ ଭାଷା ଜାଣିନଥିଲେ ମଧ୍ୟ ମୋତେ ଗର୍ବ ଲାଗୁଛି ଯେ ଏକ ମହାନ ନେତା ଯାହାର ପ୍ରଚାର ଏବେ ସାରା ଓଡିଶାରେ ରହିଛି । ସେହି ବ୍ୟକ୍ତିଙ୍କୁ ଏତେ ସମ୍ମାନ ଓଡିଆ ଭାଷାରେ ଲୋକେ କରିଛନ୍ତି, ତାହା ପୁସ୍ତକରୁ ପ୍ରତିଫଳିତ ହେଉଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡା କହିଥିଲେ ଯେ ବିଜୁବାବୁଙ୍କ ସମ୍ପର୍କରେ ସେ ଅନେକ ତଥ୍ୟ ଜାଣିନଥିଲେ । ଏହି ପୁସ୍ତକରୁ ସେ ଜାଣିବାକୁ ପାଇଛନ୍ତି । ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବା ଓ ଦେଶର ପ୍ରଧାନମନ୍ତ୍ରୀ ହେବା ପଛରେ ବିଜୁବାବୁଙ୍କର ଅବଦାନ ରହିଥିଲା । ଅନେକ ଦୁଃସାହସିକ କାର୍ଯ୍ୟ ସେ କରିଛନ୍ତି । ଅଣ କଂଗ୍ରେସ ପ୍ଲାଟ୍ଫର୍ମକୁ ଏକାଠି କରିବାରେ ତାଙ୍କର ବହୁ ଭୂମିକା ରହିଛି । ଏଭଳି ଏକ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଭାରତରନô ପାଇବା ପାଇଁ ହକ୍ଦାର । ତାଙ୍କୁ ଭାରତରନô ପ୍ରଦାନ କରିବା ଲାଗି ସେ ପ୍ରସ୍ତାବ ଦେଉଛନ୍ତି । ବିଜୁବାବୁଙ୍କ ସମ୍ପର୍କରେ ସ୍କୁଲ୍-କଲେଜ ପାଠ୍ୟପୁସ୍ତକରେ ସ୍ଥାନିତ ହେଉ । ସିପିଆଇ ନେତା ସୀତାରାମ ୟେଚୁରୀ କହିଥିଲେ ଯେ ସେ ଯେଉଁ ମସିହାରେ ଜନ୍ମ ହୋଇଥିଲେ, ବିଜୁବାବୁ ସେହି ସମୟରେ ନିର୍ବାଚନ ଲଢିଥିଲେ । ତେଣୁ ତାଙ୍କ ସମ୍ପର୍କରେ ଅଧିକ କିଛି କହିବା ମୋ ପାଇଁ ଧୃଷ୍ଟତା ହେବ । ତେବେ ୯୦ ଦଶକରେ ଧର୍ମନିରପେକ୍ଷ ଶକ୍ତିଗୁଡିକ ମଧ୍ୟରେ ମେଣ୍ଟ ହେବା ସମୟରେ ତାଙ୍କ ସଂସ୍ପର୍ଶରେ ମୁଁ ଆସିଥିଲି ବୋଲି ସେ କହିଥିଲେ । ପୁସ୍ତକ ସମୀକ୍ଷା କରି ବିଶିଷ୍ଟ ସ୍ତମ୍ଭକାର ତଥା ସାମ୍ବାଦିକ ପ୍ରଭୁ ଚାୱଲା କହିଥିଲେ ଯେ ବିଜୁ କେବଳ ଉଚ୍ଚତାରେ ଜଣେ ଟଲ୍ ମ୍ୟାନ୍ ନଥିଲେ । ସବୁ କ୍ଷେତ୍ରରେ ସେ ସଫଳତାର ଶୀର୍ଷକୁ ଛୁଇଁବାରେ ସଫଳ ହୋଇଥିଲେ । ସେ ଏଭଳି ଜଣେ ଜାତୀୟ ସ୍ତରର ନେତା କେବେ ଖବରକାଗଜର ଶିରୋନାମାରେ ନିଜକୁ ସ୍ଥାନିତ କରିନାହାନ୍ତି । ତାଙ୍କ ପ୍ରତି ଗଣମାଧ୍ୟମ ଅବହେଳା କରିଛି । ଇତିହାସ ଏଥିଲାଗି ଆମକୁ କେବେ ଭଲ ଦୃଷ୍ଟିରେ ଦେଖିବନାହିଁ । ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ପାଇଲଟ୍, ଉଦ୍ୟୋଗୀ, ଦେଶଭକ୍ତ, ଦୂରଦ୍ରଷ୍ଟା ଯେକୌଣସି ରୂପରେ ତାଙ୍କୁ ବର୍ଣ୍ଣନା କରାଯାଇପାରିବ । ତାଙ୍କୁ କେଉଁ ରୂପରେ ବର୍ଣ୍ଣନା କରାଯିବ ସେଥିଲାଗି ଭାଷାର ଅଭାବ ରହିଛି । ଆଜି ହୁଏତ ଏହି ଟଲ୍ ମ୍ୟାନ୍ ଆମ ସାଥିରେ ନାହାନ୍ତି, ହେଲେ ତାଙ୍କ କାର୍ଯ୍ୟ ଆଜି ତାଙ୍କୁ ଆକାଶ ଉଚ୍ଚରେ ରଖିଛି ବୋଲି ସେ କହିଥିଲେ ।
ସଭାପତି ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଦଳମତ, ଧର୍ମ, ଆଦର୍ଶ ଓ ବୟସ ନିର୍ବିଶେଷ ଆଜି ସମସ୍ତେ ଏଠାରେ ଏକାଠି ହୋଇଛନ୍ତି । ବିଜୁବାବୁଙ୍କୁ ସେମାନଙ୍କ ଭଲପାଇବା ଓ ସମ୍ମାନ ପ୍ରଦାନ କରୁଛନ୍ତି । ମୋ ମତରେ ବିଜୁବାବୁ ହେଉଛନ୍ତି, ଦୂରଦ୍ରଷ୍ଟା, ସ୍ୱାଭିମାନୀ, ନିଃସ୍ୱାର୍ଥପର ସେବା ଓ ସଶକ୍ତିକରଣର ଏକ ବ୍ୟକ୍ତି । ପୂର୍ବରୁ ସେ ଚିନ୍ତା କରିଥିବା ବିଷୟ ଏବେ ପରବର୍ତ୍ତୀ ପିଢି ଲାଗି ପ୍ରେରଣା ହୋଇରହିଛି । ୧୮୦ ପୃଷ୍ଠାରେ ‘ଦ ଟଲ୍ ମ୍ୟାନ୍’ଙ୍କୁ ଧରି ରଖିବା ବାସ୍ତବିକ୍ ଅସମ୍ଭବ । ଏଥିଲାଗି ସେ ସୁନ୍ଦର ଗଣେଶନ୍ଙ୍କୁ ଏଭଳି ଏକ ବିରାଟ କାର୍ଯ୍ୟ ପାଇଁ ଧନ୍ୟବାଦ୍ ଦେଉଛି । ଏହି ପୁସ୍ତକଟି ସମଗ୍ର ବିଶ୍ୱରେ ଏବେ ଆମାଜାନ୍ ଓ ଫ୍ଲିପ୍କାର୍ଟ ମାଧ୍ୟମରେ ଉପଲବ୍ଧ ହେଉଛି । ବିଜୁବାବୁ କୌଣସି ସାଧାରଣ ସୀମା ମଧ୍ୟରେ ସୀମିତ ନଥିଲେ । ତାଙ୍କର ଜଣେ ବନ୍ଧୁ ଓ ସମାଲୋଚକ ପ୍ରଭୁ ଚାୱଲା ଏହି ପୁସ୍ତକର ସମୀକ୍ଷା କରିଥିବାରୁ ସେ ତାଙ୍କୁ ଧନ୍ୟବାଦ୍ ଦେଉଛନ୍ତି । ଗୋଟିଏ ମଞ୍ଚରେ ବିଜୁବାବୁଙ୍କର ଜଣାଶୁଣା ବନ୍ଧୁମାନଙ୍କ ଗହଣରେ ଏହାର ଉନ୍ମୋଚନ ହେବା ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି । ଆଡ୍ଭାନୀ ଜୀ ଓ ବିଜୁବାବୁ ଦୀର୍ଘଦିନ ଧରି ପରସ୍ପରର ସହଯୋଗୀ ଥିଲେ । ତାଙ୍କର ଉପସ୍ଥିତି ଆଜିର ସନ୍ଧ୍ୟାକୁ ଉଜ୍ଜ୍ୱଳମୟ କରୁଛି । ଦେବଗୌଡ ଜୀ ବିଜୁବାବୁଙ୍କ ସହ ତାଙ୍କର ସ୍ୱତନ୍ତ୍ର ସମ୍ପର୍କ ବାବଦରେ ସେ ଉଲ୍ଲେଖ କରିଛନ୍ତି । ତାଙ୍କୁ ଧନ୍ୟବାଦ୍ ଦେଉଛି । ପ୍ରଣବ ମୁଖାର୍ଜୀଙ୍କର ଉପସ୍ଥିତି ଓ ତାଙ୍କର ଉଦ୍ବୋଧନ ପାଇଁ ତାଙ୍କୁ ଅଶେଷ ଧନ୍ୟବାଦ୍ ଦେଉଛି । ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ କମିଟି ଦିନରାତି ଏକକରି ଏଭଳି ଏକ ସ୍ମରଣୀୟ ସନ୍ଧ୍ୟାରେ ବାସ୍ତବରେ ଅଣରାଜନୈତିକ ସଭା କରିବାରେ ସଫଳ ହୋଇଛି । ଏହା ହେଉଛି ମୋ ପାଇଁ ଏକ ଭାବବିହ୍ୱଳ ମୁହୂର୍ତ୍ତ । ବିଜୁବାବୁଙ୍କଠାରୁ ମିଳିଥିବା ସ୍ନେହ-ଶ୍ରଦ୍ଧା ଆଜି ମୋତେ ତାଙ୍କର ଉପସ୍ଥିତିକୁ ସ୍ମରଣ କରାଉଛି ।

ସେଆର କରନ୍ତୁ:



Powered by odothemes.com