ODISHA-BAND--band-jogu-jatri-mane-nahi-na-thiba-asubidha-re-(75)

ହରତାଳରେ ହନ୍ତସନ୍ତ

32

ଭୁବନେଶ୍ୱର, (ବୁ୍ୟରୋ): କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ପରେ ରାଜ୍ୟରେ ତାତି ଥମିବାର ନାଁ ଧରୁନି । ବିଜେପିର ହରତାଳ ଓ କଂଗ୍ରେସର ବନ୍ଦ ଡାକରାରେ ଲୋକେ ନାହିଁ ନଥିବା ହନ୍ତସନ୍ତ ହୋଇଛନ୍ତି । ଗନ୍ତବ୍ୟସ୍ଥଳରୁ ବାହାରି ଆସିଥିବା ଯାତ୍ରୀମାନେ ଦିନ ତମାମ ଭୋକ ଉପବାସରେ ସମୟ କଟାଇଛନ୍ତି । ଆନେ୍ଦାଳନକାରୀମାନେ ଗାଡିରେ ଆସି ସାଧାରଣ ଲୋକଙ୍କୁ ଚଲାଇ ଚଲାଇ ପଠାଇଛନ୍ତି । ବିରୋଧୀଙ୍କ ବନ୍ଦ ଡାକରା ସାଧାରଣ ଲୋକଙ୍କୁ ହଟ୍ଟହଟା କରିଛି । କେତେକ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିଛନ୍ତି । ବ୍ରହ୍ମଗିରିରେ ପୋଡାଜଳା, ପୁରୀରେ ଗଡାପଡା, ପିପିଲିରେ ହାତାହାତି ହେବା ସହ ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡା ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ଓ ପିକେଟିଂ କରିଥିବା ସୂଚନା ମିଳିଛି । ବନ୍ଦ ପ୍ରଭାବରେ ହାଇକୋର୍ଟ ମଧ୍ୟ ଅଚଳ ହୋଇଥିବା ଜଣାପଡ଼ିଛି । ତେବେ ପୁଲିସ୍ ବିକ୍ଷୋଭକାରୀଙ୍କ ମଧ୍ୟରୁ କେତେକଙ୍କୁ ଗିରଫ କରିଛି । ପରେ ସେମାନଙ୍କୁ ପିଆର୍ ବଣ୍ଡ୍ରେ ପୁଲିସ୍ ଛାଡିଦେଇଛି । ବିରୋଧୀଙ୍କ ବନ୍ଦ ଡାକରାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି । ପୀଡିତା ପାଇଁ ଏହା ଏକ ବେଦନା ବୋଲି କୁହାଯାଉଛି । କଂଗ୍ରେସ ସନ୍ଧ୍ୟା ସମୟରେ ବନ୍ଦ ପାଇଁ ଘୋଷଣା କରିବା ପରେ ପ୍ରତିଯୋଗୀଭାବେ ବିଜେପି ହର୍ତାଳ ଡାକରା ଦେଲା । ହଠାତ୍ ୧୨ ଘଣ୍ଟିଆ ବନ୍ଦ ଡାକରା ହୁଏତ ସମସ୍ତଙ୍କୁ ଜଣାନଥିଲା । ପରୀକ୍ଷା, ମେଡିକାଲ ଆଦି ଜରୁରୀ କାର୍ଯ୍ୟରେ ଲୋକେ ଘରୁ ବାହାରି ଆସିଥିଲେ । କିଛିଦୂର ଆସିବା ପରେ ଆନେ୍ଦାଳନକାରୀ ରାସ୍ତାରେ ଟାୟାର ଜାଳି ସେମାନଙ୍କୁ ଅଟକାଇଥିଲେ । ଜରୁରୀ କାର୍ଯ୍ୟ ଅଛି କହି ନେହୁରା ହେଲେ ମଧ୍ୟ ବିକ୍ଷୋଭକାରୀମାନେ କିଛି ଶୁଣିବାକୁ ରାଜି ନଥିଲେ । ଫଳରେ ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖାଲି ପଡିଥିଲା । ରାସ୍ତାଘାଟ ଖାଁ ଖାଁ ଦେଖାଦେଇଥିଲା । ଦିନମଜୁରୀଆ ଓ ଖଟିଖିଆ ବନ୍ଦ ଯୋଗୁଁ ପ୍ରଭାବିତ ହୋଇଥିଲେ । କାମକୁ ନଯାଇପାରି ରାସ୍ତାକଡରେ ବସିରହିଥିଲେ । ବିରୋଧୀଙ୍କର ଏହି ବନ୍ଦ ଡାକରାରେ ଗରିବଠୁ ଖଟିଖିଆ ପର୍ଯ୍ୟନ୍ତ ସମସ୍ତେ ନାହିଁନଥିବା ହଇରାଣ ହରକତ ହୋଇଥିଲେ ।




Powered by odothemes.com