Mahanadi_Supreme-Court-750x430

ମାସକରେ ଟ୍ରିବୁ୍ୟନାଲ

47

ମହାନଦୀ ଜଳ ବିବାଦ ଉପରେ ସୁପ୍ରିମ୍କୋର୍ଟଙ୍କ ରାୟ
ନୂଆଦିଲ୍ଲୀ/ଭୁବନେଶ୍ୱର, ୨୩ା୧ (ବୁ୍ୟରୋ): ମହାନଦୀ ଜଳ ବିବାଦ ସମାଧାନ ପାଇଁ ଏକ ମାସ ମଧ୍ୟରେ ଟ୍ରିବୁ୍ୟନାଲ ଗଠନ ନେଇ ବିଜ୍ଞପ୍ତି ଜାରି କରିବାକୁ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ସୁପ୍ରିମକୋର୍ଟର ବିିଚାରପତି ଏସ୍ ଏ ବୋବ୍ଡେ ଓ ବିଚାରପତି ଏଲ୍ ନାଗେଶ୍ୱର ରାଓଙ୍କୁ ନେଇ ଗଠିତ ଖଣ୍ଡପୀଠ ଟ୍ରିବୁ୍ୟନାଲ ଗଠନ ସପକ୍ଷରେ ମତ ଦେଇଥିଲେ । ଏହି ପ୍ରସଙ୍ଗରେ ସୁପ୍ରିମ୍କୋର୍ଟଙ୍କ ରାୟକୁ ବିଜେଡି ପକ୍ଷରୁ ସ୍ୱାଗତ କରାଯାଇଛି । ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ ମହାନଦୀ ଜଳ ବିବାଦର ସମାଧାନ ଲାଗି ବାରମ୍ବାର ଟ୍ରିବୁ୍ୟନାଲ୍ ଗଠନ କରିବାକୁ ରାଜ୍ୟ ସରକାର ଦାବି କରିଆସୁଥିଲେ । ତେବେ ସମାଧାନ ଦିଗରେ କେନ୍ଦ୍ର ସରକାର ଛତିଶଗଡକୁ ସୁହାଇଲା ଭଳି ଆଭିମୁଖ୍ୟ ରଖୁଥିଲେ । ମହାନଦୀ ପ୍ରସଙ୍ଗରେ ସମସ୍ତ ତଥ୍ୟ ରାଜ୍ୟ ସରକାର ସୁପ୍ରିମ୍କୋର୍ଟରେ ଦାଖଲ କରିଥିଲେ ଏବଂ ନ୍ୟାୟିକ ନିଷ୍ପତ୍ତି ଉପରେ ସମ୍ପୂର୍ଣ୍ଣ ଆସ୍ଥା ରହିଥିଲା । ଯାହାକି ଆଜି ସୁପ୍ରିମ୍କୋର୍ଟ ଟ୍ରିବୁ୍ୟନାଲ୍ ଗଠନ ଲାଗି କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ବୋଲି ଶ୍ରୀ ଦେବ କହିଛନ୍ତି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ଯେ ସୁପ୍ରିମ୍କୋର୍ଟଙ୍କ ରାୟ ଓଡିଶାର ବିଜୟକୁ ପ୍ରମାଣିତ କରିଛି । ଛତିଶଗଡ ଅଯଥାରେ ପରିସ୍ଥିତିକୁ ଗୋଳିଆ କରିଚାଲିଥିଲା । ଟ୍ରିବୁ୍ୟନାଲ୍ ଗଠନ ହେଲେ ଓଡିଶାର ନ୍ୟାୟ ପାଇବ । ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା ହୋଇପାରିବ ବୋଲି ସେ କହିଛନ୍ତି । ପୂର୍ବରୁ ମହାନଦୀ ଜଳ ବିବାଦର ଶୁଣାଣି ପାଇଁ ଜାନୁଆରୀ ୧୬ ଧାର୍ଯ୍ୟ ହୋଇଥିବାବେଳେ ଉକ୍ତଦିନ ଜଷ୍ଟିସ୍ ଏସ୍ଏ ବବ୍ଦେ ଅନୁପସ୍ଥିତ ଥିବା କାରଣରୁ ଉକ୍ତ ଦିନ ଶୁଣାଣି ହୋଇପାରିନଥିଲା । ତେବେ ତା ପୂର୍ବରୁ ୨୦୧୭ ଡିସେମ୍ବର ୧୧ରେ ସୁପ୍ରିମ୍କୋର୍ଟ ମହାନଦୀ ପ୍ରସଙ୍ଗରେ ସମସ୍ତ ତଥ୍ୟ ଜାନୁଆରୀ ତୃତୀୟ ସପ୍ତାହ ସୁଦ୍ଧା ଦାଖଲ କରିବା ପାଇଁ ଜଳସମ୍ପଦ ମନ୍ତ୍ରାଳୟକୁ ନିଦେ୍ର୍ଦଶ ଦେଇଥିଲେ । ଧାର୍ଯ୍ୟ ସମୟ ମଧ୍ୟରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ତଥ୍ୟ ରଖିବାରେ ବିଫଳ ହୋଇଥିବାରୁ ସୁପ୍ରିମ୍କୋର୍ଟର ଦୁଇଜଣିଆ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ଜାହିର କରିବା ସହ ଓଡିଶା-ଛତିଶଗଡ ଆନ୍ତଃରାଜ୍ୟ ଜଳବିବାଦର ତୁରନ୍ତ ସମାଧାନ ଲାଗି ଏକମାସ ମଧ୍ୟରେ ଟ୍ରିବୁ୍ୟନାଲ୍ ଗଠନ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ମହାନଦୀ ବିବାଦର ସାମଧାନ ପାଇଁ ସଲିସିଟର ଜେନେରାଲ ଆତ୍ମାରାମ ନାଦକର୍ଣ୍ଣି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଯୁକ୍ତିି ଉପସ୍ଥାପନ କରିବା ସହ ଏନେଇ ଆହୁରି ଦୁଇ ମାସ ସମୟ ଦିଆଯାଉ ବୋଲି ଅନୁରୋଧ କରିଥିଲେ । ତେବେ ଏ ଯୁକ୍ତିରେ ପ୍ରଭାବିତ ନହୋଇ ଟ୍ରିବୁ୍ୟନାଲ ଗଠନ ଉପରେ ଜୋର ଦେଇଥିଲେ ଉଭୟ ବିଚାରପତି । ଅନ୍ୟପକ୍ଷରେ ବିନା ଟ୍ରିବୁ୍ୟନାଲରେ ମହାନଦୀ ବିବାଦ ସମାଧାନ ଅସମ୍ଭବ ବୋଲି ଓଡ଼ିଶା ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା । ଆଇନ୍ଜୀବୀ ମୁକୁଲ ରୋହତ୍ଗୀ ଓଡ଼ିଶା ପକ୍ଷରୁ ଯୁକ୍ତି କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ ମହାନଦୀ ଜଳ ବିବାଦକୁ ନେଇ ଉଭୟ ଛତିଶଗଡ ଓ ଓଡ଼ିଶା ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିସାରିଛନ୍ତି । ତେବେ ଉଭୟ ରାଜ୍ୟ ନିଜ ନିଜ ଜିଦ୍ରେ ଅଟଳ ରହିଛନ୍ତି । ୧୯୮୩ ଏପି୍ରଲ ୨୮ତାରିଖ ଚୁକ୍ତିନାମାର ସ୍ମାରକପତ୍ର ଅନ୍ତର୍ଗତ ୧୧ନଂ ଧାରା ଅନୁଯାୟୀ ଯୁଗ୍ମ ନିୟନ୍ତ୍ରଣବୋର୍ଡ ଗଠନ କରାଯାଉ ବୋଲି ଛତିଶଗଡ ସତ୍ୟପାଠରେ ଦାଖଲ କରିଛି । ଅନ୍ୟପକ୍ଷରେ ଯୁଗ୍ମ ଅନ୍ତଃରାଜ୍ୟ ଜଳସେଚନ ପ୍ରକଳ୍ପ ମଧ୍ୟରେ ସୀମିତ ବୋଲି ଓଡ଼ିଶା ଦର୍ଶାଇଛି । ତେବେ ମହାନଦୀ ଜଳବିବାଦ ସଂପର୍କରେ ଯେଉଁ ଅଭିଯୋଗ ପିଟିସନ୍ ୨୦୧୬ ନଭେମ୍ବର ୧୯ରେ କେନ୍ଦ୍ର ଜଳସଂପଦ ମନ୍ତ୍ରଣାଳୟ ନିକଟରେ ଦାଖଲ କରାଯାଇଥିଲା ତାହା ସେହି ପ୍ରସଙ୍ଗର ଅଂଶ ନଥିଲା । ଏହାଛଡା ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ପ୍ରସ୍ତାବ କେବଳ ୪ଟି ଯୁଗ୍ମ ପ୍ରକଳ୍ପରେ ସୀମିତ ଥିଲା । ବୁଝାମଣାର ଧାରା ୧୧କୁ ନେଇ ଛତିଶଗଡ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ବିଭ୍ରାନ୍ତି ସୃଷ୍ଟି କରୁଛି ବୋଲି ଓଡ଼ିଶା କହିଛି । କେବଳ ଟ୍ରିବୁ୍ୟନାଲ ଗଠନର ସାମ୍ବିଧାନିକ ଅଧିକାରରୁ ଓଡ଼ିଶାକୁ ବଞ୍ଚିତ କରିବା ଛତିଶଗଡ ଅଭିଯାନ ଚଳାଇଛି । ସେଥିପାଇଁ ବିନା ଟ୍ରିବୁ୍ୟନାଲରେ ମହାନଦୀ ବିବାଦର ସମାଧାନ ସମ୍ଭବ ନୁହେଁ ବୋଲି ଓଡ଼ିଶା ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା । ଏଥିରେ ଉଭୟ ବିଚାରପତି ଟ୍ରିବୁ୍ୟନାଲ ଗଠନ ସଂପର୍କରେ ମତ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com