ରିପୋର୍ଟ ଦେଲେ ପ୍ରମିଳା

56

ବୈଜୟନ୍ତଙ୍କ ସମ୍ପର୍କରେ ନିଷ୍ପତ୍ତି ଖୁବ୍ଶୀଘ୍ର
ଭୁବନେଶ୍ୱର, ୨୦ା୧(ବୁ୍ୟରୋ): ସଂସଦୀୟ ନିର୍ବାଚନମଣ୍ଡଳୀର କର୍ମୀମାନଙ୍କୁ ଅଣଦେଖା କରିବା, ସାଂସଦଙ୍କ ଉନ୍ନୟନ ପାଣ୍ଠି (ଏମ୍ପି ଲ୍ୟାଡ୍)ର ଦୁରୁପଯୋଗ କରିବା, ବିରୋଧୀ କର୍ମୀଙ୍କ କଥାରେ ପରିଚାଳିତ ହେବା ଆଦି ଅଭିଯୋଗ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାମରେ ଆସିଥିଲା । ନିର୍ବାଚନମଣ୍ଡଳୀୱାରୀ କର୍ମୀମାନେ ନବୀନ ନିବାସ ଆସି ଦଳର ସୁପ୍ରିମୋ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଏହାର ଅନୁଧ୍ୟାନ କରିବା ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଶ୍ରୀମତୀ ମଲ୍ଲିକ ଆଜି ୩ ପୃଷ୍ଠାର ରିପୋର୍ଟ ଦଳର ସୁପ୍ରିମୋଙ୍କୁ ପ୍ରଦାନ କରିଛନ୍ତି । ବୈଜୟନ୍ତଙ୍କ ରାଜନୈତିକ ଭବିଷ୍ୟତ ଏବେ ପ୍ରମିଳାଙ୍କ ରିପୋର୍ଟ ଉପରେ ନିର୍ଭର କରୁଛି । ରିପୋର୍ଟ ଦେଲା ପରେ ପ୍ରତିକ୍ରିୟା ରଖି ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ଦଳର ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛି । ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ମଧ୍ୟ ଟେଲିଫୋନ୍ ଯୋଗେ ଆଲୋଚନା କରିଛି । ଯାହା ଦେଖିଲି, ଯାହା ବୁଝିଲି, ତାହାକୁ ଆଧାର କରି ରିପୋର୍ଟ ପ୍ରସ୍ତୁତ କରିଛି । ସଂଖ୍ୟାଧିକ କର୍ମୀ ଓ ନେତା ସାଂସଦଙ୍କ ବିରୋଧରେ କହିଛନ୍ତି ଏବଂ କିଛି କର୍ମୀ ଓ ନେତା ମଧ୍ୟ ତାଙ୍କ ସପକ୍ଷରେ କହିଛନ୍ତି । ରିପୋର୍ଟ ଆଧାରରେ ଦଳର ରାଜ୍ୟ ସଭାପତି ଯାହା ନିଷ୍ପତ୍ତି ନେବେ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି । ସୂଚନାଯୋଗ୍ୟ, କିଛିଦିନ ହେବ ସାଂସଦ ଶ୍ରୀ ପଣ୍ଡା ନିଜ ସଂସଦୀୟ କ୍ଷେତ୍ରରେ ପାଣି ଟାଙ୍କି ଉଦ୍ଘାଟନ ରାଜନୀତି ଆରମ୍ଭ କରିଛନ୍ତି । ଯେଉଁ ଏହି ପାଣି ଟାଙ୍କି ଉଦ୍ଘାଟନ ହେଉଛି, ସେଠାରେ ବିବାଦ ଦେଖାଦେଉଛି । ସ୍ଥାନୀୟ କର୍ମୀମାନଙ୍କୁ ଅଣଦେଖା କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସାଂସଦ ଶ୍ରୀ ପଣ୍ଡା ଏହାକୁ ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି ବର୍ଣ୍ଣନା କରିବା ସହ ତୃତୀୟ ମହଲାର କିଛି ଅଧିକାରୀଙ୍କୁ ଇଙ୍ଗିତ କରୁଛନ୍ତି । ସାଂସଦଙ୍କ ବ୍ୟକ୍ତିଗତ ସଚିବ ମଧ୍ୟ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ସମାଲୋଚନା ନକଲେ ବି ବୁଲେଇ ବଙ୍କେଇ କହୁଛନ୍ତି । ଫଳରେ ଏକ ତିକ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ନିଶ୍ଚିନ୍ତକୋଇଲି, ମହାକାଳପଡା, କେନ୍ଦ୍ରାପଡା, ରାଜନଗର ଓ ପଟ୍ଟାମୁଣ୍ଡାଇ ଓ ସାଲେପୁରର ବିଜେଡି କର୍ମୀମାନେ ଶ୍ରୀ ପଣ୍ଡାଙ୍କ ବିରୋଧରେ ନବୀନ ପଟ୍ଟନାୟକଙ୍କ ନିକଟରେ ଫେରାଦ ହୋଇଥିଲେ । ଘଟଣାର ଅନୁଧ୍ୟାନ କରାଯିବ ବୋଲି ପ୍ରତିଶ୍ରୁତି ଶ୍ରୀ ପଟ୍ଟନାୟକ ଦେଇଥିଲେ । ଏବେ ପ୍ରମିଳାଙ୍କ ରିପୋର୍ଟ ଉପରେ ବୈଜୟନ୍ତଙ୍କ ରାଜନୈତିକ ଭାଗ୍ୟ ନିର୍ଭର କରୁଛି ।




Powered by odothemes.com