BJP-Ra-Misrana-Parva-(32)

ଅଭିନେତା ହେବେ ବିଜେପିର ମୁଖା

79

ଗ୍ରହଣୀୟ ହେଉନାହାନ୍ତି ତଥାକଥିତ ତୁଣ୍ଡ
ଭୁବନେଶ୍ୱର(ବୁ୍ୟରୋ): ଦକ୍ଷିଣ ଭାରତ ରାଜନୀତିରେ ଚଳଚ୍ଚିତ୍ର ତାରକାମାନଙ୍କର ବେଶ୍ ପ୍ରଭାବ ରହିଛି । ବିଶିଷ୍ଟ ତାମିଲ ଅଭିନେତା ରଜନୀକାନ୍ତ ନିଜସ୍ୱ ରାଜନୈତିକ ଦଳ ଗଠନ କରିବା ପରେ ଅନ୍ୟତମ ପ୍ରମୁଖ ଅଭିନେତା କମଳା ହାସନ୍ ରାଜନୀତିରେ ଯୋଗଦେବାକୁ ମନ ବଳାଇଛନ୍ତି । ଖୁବ୍ଶୀଘ୍ର ସେ ବି ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି । ଦକ୍ଷିଣ ଭାରତରେ ଚାଲିଥିବା ଏହି ତାରକା ରାଜନୀତିର ହାୱା ଏବେ ଓଡିଶାରେ ପ୍ରବାହିତ ହେଉଛି । ବିଶେଷକରି ଆଗାମୀ ନିର୍ବାଚନରେ କ୍ଷମତାକୁ ଆସିବା ଲାଗି ବିଜେପି ଏବେ ଦକ୍ଷିଣ ଭାରତ ଫର୍ମୁଲା ଗ୍ରହଣ କରିଛି । ନିଜ ଦଳରେ କିଛି ଓଡିଆ ଚଳଚ୍ଚିତ୍ର ତାରକାଙ୍କୁ ସାମିଲ କରିବାକୁ ଯୋଜନା ଆରମ୍ଭ କରିଛି । ଏହି କ୍ରମରେ ୨୦୧୪ରେ ବିଜେଡିରେ ଯୋଗଦେଇଥିବା ମିହିର ଦାସଙ୍କୁ ବିଜେପି ଆପଣାଇ ନେଇଛି । କେବଳ ମିହିର ନୁହନ୍ତି, ଅନ୍ୟତମ ଅଭିନେତ୍ରୀ ଅନୁ ଚୌଧୁରୀ ମଧ୍ୟ ବିଜେପିରେ ଯୋଗଦେଇଛନ୍ତି । ଏହା ପୂର୍ବରୁ ପିଙ୍କି ପ୍ରଧାନ, ଶ୍ରୀତମ ଦାସ, ହାସ୍ୟ ଅଭିନେତା ହରିହର ଦାସ ବିଜେପିରେ ସାମିଲ ହୋଇସାରିଛନ୍ତି । ତେବେ ଓଡିଶା ଭୋଟରଙ୍କ ଉପରେ ଚଳଚ୍ଚିତ୍ର ତାରକାଙ୍କ ପ୍ରଭାବ ଆଦୌ ନାହିଁ କହିଲେ ଚଳେ । ଏକଥା ଜାଣି ମଧ୍ୟ ବିଜେପି ନେତା ସେମାନଙ୍କୁ ମିଶାଇବା ପଛରେ ରହିଛି ଅନେକ କାରଣ । ବିଜେପିର ଯେଉଁ ତଥାକଥିତ ରାଜ୍ୟସ୍ତରୀୟ ନେତା ଅଛନ୍ତି ଓ ଯେଉଁମାନେ ନିଇତି ସାମ୍ବାଦିକ ସମ୍ମିଳନୀ କରୁଛନ୍ତି, ସେମାନଙ୍କର ଗ୍ରହଣୀୟତା ଆଦୌ ନାହିଁ । କୋଟରୀ ମାଧ୍ୟମରେ ଦଳ ଚାଲୁଥିବାରୁ ବହୁ ବରିଷ୍ଠ ନେତା ଏବେ କୋଣଠେସା । ତେଣୁ ଲୋକଙ୍କ ପାଖରେ ନୂଆ ମୁହଁ ଦେଖାଇବା ପ୍ରୟାସରେ ଏବେ ଅଭିନେତାଙ୍କୁ ମୁଖା କରିବାକୁ ବିଜେପି ରଣନୀତି ସ୍ଥିର କରିଛି । ୨୦୧୪ ନିର୍ବାଚନରେ ଓଡିଆ ଚଳଚ୍ଚିତ୍ର ଜଗତର ସର୍ବାଧିକ ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତି ପ୍ରାର୍ଥୀ ହୋଇ ନିର୍ବାଚନ ହାରିଛନ୍ତି । ସେହିଭଳି ଚମ୍ପୁଆ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ହାସ୍ୟ ଅଭିନେତା ପପୁ ପମ୍ପମ୍ ବହୁ ଭୋଟ୍ରେ ପରାସ୍ତ ହୋଇଥିଲେ । ପ୍ରତ୍ୟକ୍ଷ ନିର୍ବାଚନରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଆକାଶ ଦାସନାୟକଙ୍କ ବ୍ୟତୀତ ଅନ୍ୟ କେଉଁ ନେତା ସଫଳ ହୋଇଥିବାର ନଜିର ନାହିଁ । ଏହି ଦୁଇ ଅଭିନେତା ବିଜେଡିର ଗଡଭାବେ ପରିଚିତ ନିର୍ବାଚନମଣ୍ଡଳୀରୁ ଜିତିଛନ୍ତି । ଆଲୋଚନା ଅନୁଯାୟୀ ଏମାନଙ୍କ ସ୍ଥାନରେ ବି ଆଉ କାହାକୁ ପ୍ରାର୍ଥୀ କରାଯାଇଥିଲେ ସେ ବି ଜିତିଥାନ୍ତେ । ତେଣୁ ଓଡିଶା ରାଜନୀତିରେ ତାରକାଙ୍କ ପ୍ରଭାବ ଶୂନ ବୋଲି ବହୁବାର ପ୍ରମାଣିତ ହୋଇଛି । ଏକଥା ବିଜେପି ନେତାଙ୍କୁ ଅଛପା ନାହିଁ । ହେଲେ ନେତା ସାଉଣ୍ଟିବା ନୀତିକୁ ଆପଣାଇଥିବା ରାଜ୍ୟ ବିଜେପି ଶାଖା ଏବେ ଏକ ନୂଆ ଯୋଜନା କରିଛି । ବିଜେପିର ସଭାସ୍ଥଳକୁ ଲୋକାରଣ୍ୟ କରିବା ଓ ଜନସାଧାରଣଙ୍କୁ ଆକୃଷ୍ଟ କରିବା ଲାଗି ଚଳଚ୍ଚିତ୍ର ତାରକାଙ୍କୁ ମୁଖା କରାଯିବ । ବିଶେଷକରି ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀର ଉପନିର୍ବାଚନ ପୂର୍ବରୁ ଏକ ହଟଚମଟ କରିବାକୁ ବିଜେପି ଚାହୁଁଛି । ଏହି ନିର୍ବାଚନମଣ୍ଡଳୀରେ ଦଳର ସ୍ଥିତି ଦିନକୁ ଦିନ ଖରାପ ଆଡକୁ ଗତି କରୁଥିବାବେଳେ ଏବେ ଚଳଚ୍ଚିତ୍ର ତାରକାଙ୍କୁ ଭରସା କରି ନିର୍ବାଚନ ପାର୍ ହେବାକୁ ଯୋଜନା କରାଯାଉଛି । କେବଳ ସେତିକି ନୁହେଁ, ବିଜେପିର ଯେଉଁଠି ସଭା ହେଉଛି ମୂଳ ସଭାମଞ୍ଚ ପାଖରେ ଆଉ ଏକ ମଞ୍ଚ ବନ୍ଧା ଯାଉଛି । ଯେଉଁଠି ଲୋକଙ୍କୁ ଆକୃଷ୍ଟ କରିବା ଲାଗି କଳାକାରମାନଙ୍କୁ ନେଇ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଉଛି । ଅବଶ୍ୟ ବିଜେଡି ସରକାର ବିରୋଧରେ ସେମାନେ ବିଭିନ୍ନ ପ୍ରସଙ୍ଗକୁ ଗୀତ ଆକାରରେ ଉପସ୍ଥାପନା କରୁଛନ୍ତି । ଆଉ କିଛି ସମୟରେ ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ଡାଇଲଗ୍ କହୁଛନ୍ତି । ଅଭିନେତାଙ୍କୁ ଆଣି ରାଜନୀତି କରାଇବା କଳା ଏବେ ପ୍ରାୟତଃ ସବୁ ଦଳକୁ ଗ୍ରାସିଛି । ହେଲେ କେଉଁ ଦଳ କେତେ ସଫଳ ହେଉଛି, ତାହା ଆଗାମୀ ନିର୍ବାଚନରେ ଜଣାପଡିବ ।
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ ଅଭିନେତାମାନେ ରାଜନୈତିକ ଦଳରେ ଯୋଗଦେବା ସମୟରେ ଦେଉଥିବା ମନ୍ତବ୍ୟ । ଅଭିନେତା ମିହିର ଦାସ କହିଛନ୍ତି, ରାଜନୀତି ନୁହେଁ, ସେ ଲୋକନୀତିରେ ବିଶ୍ୱାସ କରନ୍ତି । ତେଣୁ ତଦନୁଯାୟୀ ସେ କାର୍ଯ୍ୟ କରିବେ । ଅଭିନେତା ହିସାବରେ ଲୋକମାନଙ୍କର ଯେଉଁ ଭଲ ପାଇବା ଅଛି, ତାହାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସେ କାର୍ଯ୍ୟ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀ ତାଙ୍କୁ ପ୍ରଭାବିତ କରିଛି ବୋଲି ଶ୍ରୀ ଦାସ କହିଛନ୍ତି । ଅନୁରୂପ କୌତୁହଳପୂର୍ଣ୍ଣ ମନ୍ତବ୍ୟ ଅଭିନେତ୍ରୀ ଅନୁ ଚୌଧୁରୀ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଓ ଲୋକମାନଙ୍କ ପାଇଁ କିଛି କରିବା ଆଗ୍ରହ ତାଙ୍କୁ ରାଜନୀତିକୁ ଟାଣି ଆଣିଛି ବୋଲି କହୁଛନ୍ତି । ତେବେ ଏହି ଅଭିନେତାମାନଙ୍କୁ ନେତା ହିସାବରେ ଦଳର କର୍ମୀମାନେ କେତେଦୂର ଗ୍ରହଣ କରିବେ, ତାହା ଦେଖିବାକୁ ବାକିରହିଲା ।




Powered by odothemes.com