19-1-2018=12

ଆଇଟିଆଇ ସିଟ୍ ଆଉ ପାଞ୍ଚ ହଜାର ବଢ଼ିବ

24

ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ ୪୯ ଟି ସରକାରୀ ଆଇଟିଆଇ ରହିଛି । ଯେଉଁଥିରେ ୧୭,୬୯୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ତେବେ ବୈଷୟିକ ଶିକ୍ଷାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ଆଉ ୨୧ ନୂତନ ଆଇଟିଆଇ ନିର୍ମାଣାଧୀନ ରହିଛି । ସେଗୁଡ଼ିକ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଶେଷ ହେବ । ନିର୍ମାଣ ସରିବା ପରେ ଆଇଟିଆଇ ସିଟ୍ ସଂଖ୍ୟା ପାଞ୍ଚ ହଜାରକୁ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଇଟିଆଇ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶକୁ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି । ଏନେଇ ରାଜ୍ୟ ସରକାର, ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଏବଂ ଟାଟା ଷ୍ଟ୍ରାଇଭ୍ ପକ୍ଷରୁ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ଅବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଶିଳ୍ପ ତାଲିମ କେନ୍ଦ୍ରଗୁଡ଼ିକର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଲାଗି ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ସଂପ୍ରତି ବିଭିନ୍ନ ଶିଳ୍ପ ତାଲିମ କେନ୍ଦ୍ରରେ ୧୭,୬୯୯ ଛାତ୍ରଛାତ୍ରୀଙ୍କୁ ବୈଷୟିକ ତାଲିମ ପ୍ରଦାନ କରାଯାଉଛି । ଆସନ୍ତା ଦୁଇ ବର୍ଷ ମଧ୍ୟରେ ସିଟ୍ ସଂଖ୍ୟା ୨୨,୬୯୯କୁ ବୃଦ୍ଧି ପାଇବ । ନିକଟ ଅତୀତରେ ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ପକ୍ଷରୁ ଦକ୍ଷତା ବିକାଶ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶର ଅଧିକ ଆବଶ୍ୟକତା ରହିଛି । ଏଦିଗରେ ବିଶିଷ୍ଠ ଲେଖିକା ସୁସ୍ମିତା ବାଗଚୀଙ୍କ ଉଦ୍ୟମ ପ୍ରସଂଶନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଶ୍ରୀମତୀ ବାଗଚୀ କହିଛନ୍ତି, ଛାତ୍ରଛାତ୍ରୀଙ୍କ ନିଯୁକ୍ତି ପାଇଁ ଉନ୍ନତମାନର ତାଲିମର ଆବଶ୍ୟକତା ରହିଛି । ଏଦିଗରେ ଟାଟା ଷ୍ଟ୍ରାଇବ୍ର ୟୁଥ୍ ଡେଭଲପ୍ମେଣ୍ଟ ମଡୁ୍ୟଲ ୧୦ ଟି ସରକାରୀ ଆଇଟିଆଇ ସେଣ୍ଟରରେ ବାର୍ଷିକ ୮ହଜାର ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରିବା ଲାଗି ଯୋଜନା ରଖିଛି । ସେଥିରେ କଟକ, ବ୍ରହ୍ମପୁର, ଭୁବେନଶ୍ୱର, ଆନନ୍ଦପୁର, ଯାଜପୁର, ଫୁଲବାଣୀ, ଉମରକୋଟ, ପୁରୀ, ଆମ୍ବଗଡ଼ ସ୍ଥିତ ଗୀତା ଏବଂ ତକତ୍ପୁର ସ୍ଥିତ ଟିଟିଆଇ ଶିକ୍ଷନୁଷ୍ଠାନଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଛି । ଏଥିପାଇଁ ମୋଟ ୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ବଜେଟର ୫୦% ଅର୍ଥ ସୁସ୍ମିତା ବାଗଚୀ ବହନ କରିବେ । ବଳକା ୫୦ ପ୍ରତିଶତ ଅର୍ଥ ଟାଟା ଷ୍ଟ୍ରାଇବ୍ ପକ୍ଷରୁ ସିଏସ୍ଆର୍ ମାଧ୍ୟମରେ ଖର୍ଚ୍ଚ କରାଯିବ ବୋଲି ଶ୍ରୀମତୀ ବାଗଚୀ କହିଛନ୍ତି । ଏ ସଂପର୍କରେ ଟାଟା କମ୍ପାନୀର ଚିଫ୍ ଅପରେଟିଂ ଅଫିସର ଅନୀତା ରାଜନ କହିଛନ୍ତି ଯେ, ଆଇଟିଆଇ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଲାଗି କ୍ୱାଲିଟି ମ୍ୟାନେଜମେଣ୍ଟର ଆବଶ୍ୟକତା ରହିଛି । ଏହାଦ୍ୱାରା ରାଜ୍ୟରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ ।




Powered by odothemes.com